ମାଲକାନଗିରି: ଗୁରୁପ୍ରିୟା ସେତୁ ନିର୍ମାଣ ସରିବା ପରେ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ହୋଇଯିବ, ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ହେବ। ସେତୁ କାମ ଆରମ୍ଭ ହେବା ପରେ ଏପରି ସ୍ୱପ୍ନ ଦେଖିଥିଲେ ବିଚ୍ଛିନ୍ନାଞ୍ଚଳରେ ରହୁଥିବା ୧୫୨ଟି ଗାଁର ଲୋକେ। ହେଲେ ନିର୍ମାଣ ହୋଇଥିବା ୬୪ ପାଇଲରୁ ୪ଟି ଢଳିଥିବା ଜଣାପଡିବା ପରେ ନିମ୍ନମାନର କାମ କରାଯାଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କେବଳ ଅଞ୍ଚଳବାସୀ ନୁହନ୍ତି, ରାଜ୍ୟ ସରକାରଙ୍କ ପାଇଁ ଏହି ସେତୁର ବହୁ ଗୁରୁତ୍ୱ ରହିଛି। ହେଲେ ପାଇଲ ଢଳିବା ପରେ କାମର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗୁରୁପ୍ରିୟା ସେତୁ ବିଚ୍ଛିନ୍ନାଞ୍ଚଳ ଲୋକଙ୍କ ପାଇଁ ଯେତିକି ଆବଶ୍ୟକ ତା’ଠାରୁ ଅଧିକ ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଗମନାଗମନ ସୁବିଧା ନ ଥିବାରୁ ଏହି ଅଞ୍ଚଳ ମାଓବାଦୀଙ୍କ ଅଭେଦ ଦୁର୍ଗ ହୋଇ ରହିଛି। ଯାହା ମାଓ ଦମନ କାର୍ଯ୍ୟକ୍ରମକୁ ବହୁ ପରିମାଣରେ ପ୍ରଭାବିତ କରୁଛି। ଦୀର୍ଘ ବର୍ଷର ଘାତ ପ୍ରତିଘାତ ପରେ ସରକାର ଏହି ସେତୁ ନିର୍ମାଣ ଆରମ୍ଭ କରିଛନ୍ତି। ହେଲେ ଆରମ୍ଭରୁ ସେତୁ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ଆସିଛି। ବର୍ତ୍ତମାନ ସୁଦ୍ଧା ସେତୁର ୧୧୨ ପାଇଲରୁ ୬୪ଟି ନିର୍ମାଣ କରାଯାଇଛି। ଯେଉଁଥିରୁ ୪ଟି ବାହାରକୁ ଢଳି ଯାଇଛି। ଏହା ଜଣାପଡିବା ପରେ ବିଚ୍ଛିନ୍ନାଞ୍ଚଳର ୧୫୨ଟି ଗ୍ରାମର ଲୋକଙ୍କ ବର୍ଷ ବର୍ଷର ସ୍ୱପ୍ନ ଚୂରମାର ହେବାକୁ ଯାଉଥିବା ଅଭିଯୋଗ ହୋଇଛି।
ପାଇଲ ଢଳିଥିବା ସ୍ଥାନରେ ଏବେ ୪୦ ଫୁଟ୍ର ପାଣି ଥିବାରୁ ଏହାର ମରାମତି ମଧ୍ୟ କରାଯାଇ ପାରିବ ନାହିଁ। ଢଳିଥିବା ପାଇଲ ମରାମତି କରା ନ ଯାଇ ସେତୁ କରାଗଲେ ଏହା ଦୀର୍ଘ ସ୍ଥାୟୀ ହେବା ଆଶା କମ୍। ଏପରି ସ୍ଥିତିରେ ସେତୁ କାମକୁ ନେଇ ବିଚ୍ଛିନ୍ନାଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।
ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, “ଯୋଗାଯୋଗ ସୁବିଧା ନ ଥିବାରୁ ବର୍ଷ ବର୍ଷ ଧରି ଅବହେଳିତ ହୋଇ ରହିଆସିଛୁ। ଏହାସହ ମାଓବାଦୀ ଭୟ ରହୁଛି। ପ୍ରତିଦିନ ଡଙ୍ଗାରେ ଯା’ଆସ କରିବା ସମ୍ଭବ ହେଉନାହିଁ। ସେତୁ କାମ ଶେଷ ହୋଇଥିଲେ ଆମେ ଉପକୃତ ହୋଇଥାନ୍ତୁ। ହେଲେ ପାଇଲ ଢଳିବା ଖବର ମିଳିବା ଆମର ଏହି ଆଶା ପୂରଣ ହେବ କି ନାହିଁ ତାହା ଏବେ ଚିନ୍ତା କରୁଛୁ। ଏଥିପ୍ରତି ସରକାର ଦୃଷ୍ଟି ଦେଇ ଏହାର ମରାମତି ବ୍ୟବସ୍ଥା କରନ୍ତୁ।
ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, “ବାରମ୍ବାର ସେତୁ ନିର୍ମାଣ ହେବ ନାହିଁ, ଥରଟିଏ ହେବ। ଏହା କେମିତି ଭଲରେ ହେବ ଓ ଦୀର୍ଘ ସ୍ଥାୟୀ ହୋଇ ରହିବ ଦେଖିବା ସରକାରଙ୍କ କାମ। ଖାଲି ନିର୍ମାଣକାରୀ ସଂସ୍ଥାକୁ କାମ ଦେଇ ଦେଲେ ହେବ ନାହିଁ। କାମ ଠିକରେ ହେଉଛି କି ନାହିଁ ତା’ର ଅନୁଧ୍ୟାନ ହେବ ଦରକାର। କାମ ଆରମ୍ଭରୁ ଯଦି ଏପରି ସ୍ଥିତି, ଏହାର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନ ଉଠିବା ସ୍ୱଭାବିକ।”
ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି, “ଗୁରୁପ୍ରିୟା ସେତୁରେ ୪ଟି ପାଇଲ୍ ବାହାରକୁ ଢଳିଛି। ଏହା ଜଣାପଡିବା ପରେ ମୁଁ ନିଜେ ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥା ସହ କଥା ହୋଇଛି। ଉକ୍ତ ସଂସ୍ଥା ଡିଜାଇନରଙ୍କୁ ଡିଜାଇନ୍ ରିଭ୍ୟୁ ପାଇଁ ଦେଇଛନ୍ତି। ଡିଜାଇନ୍ ରିଭ୍ୟୁ ପରେ ନିର୍ମାଣ କାର୍ଯ୍ୟ ଆଗେଇବ।”