ଇଚ୍ଛାଧୀନ କୋଟା ପ୍ରସଙ୍ଗ: ବିକ୍ରମ ଆରୁଖଙ୍କ ପତ୍ନୀଙ୍କୁ ବିଡିଏ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: ଇଚ୍ଛାଧୀନ କୋଟା କେଳେଙ୍କାରୀକୁ ନେଇ ପୁଣି ରାଜ୍ୟ ରାଜନୀତି ସରଗରମ ହୋଇଛି। ପୂର୍ବରୁ ଘର ଫେରାଇ ଥିବା କହୁଥିବା ମନ୍ତ୍ରୀ ବିକ୍ରମ ଆରୁଖଙ୍କ ପତ୍ନୀଙ୍କୁ ବିଡିଏ କାରଣ ଦର୍ଶାଅ ନୋଟିସ ଜାରି କରିବା ଘଟଣା ଜଣାପଡିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇଚ୍ଛାଧୀନ କୋଟାରେ ଆବଣ୍ଟିତ ସମସ୍ତ ପ୍ଲଟ୍ ଓ ଫ୍ଲାଟ୍‌ ବାତିଲ ପାଇଁ ସରକାର କରିଥିବା ଦମ୍ଭୋକ୍ତିକୁ ନେଇ ଏବେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ବିଜେପି ସିବିଆଇ ତଦନ୍ତ ଦାବିକୁ ଦୋହରାଇ […]

notice

Rakesh Mallick
  • Published: Sunday, 17 April 2016
  • , Updated: 17 April 2016, 06:11 PM IST

ଭୁବନେଶ୍ୱର: ଇଚ୍ଛାଧୀନ କୋଟା କେଳେଙ୍କାରୀକୁ ନେଇ ପୁଣି ରାଜ୍ୟ ରାଜନୀତି ସରଗରମ ହୋଇଛି। ପୂର୍ବରୁ ଘର ଫେରାଇ ଥିବା କହୁଥିବା ମନ୍ତ୍ରୀ ବିକ୍ରମ ଆରୁଖଙ୍କ ପତ୍ନୀଙ୍କୁ ବିଡିଏ କାରଣ ଦର୍ଶାଅ ନୋଟିସ ଜାରି କରିବା ଘଟଣା ଜଣାପଡିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇଚ୍ଛାଧୀନ କୋଟାରେ ଆବଣ୍ଟିତ ସମସ୍ତ ପ୍ଲଟ୍ ଓ ଫ୍ଲାଟ୍‌ ବାତିଲ ପାଇଁ ସରକାର କରିଥିବା ଦମ୍ଭୋକ୍ତିକୁ ନେଇ ଏବେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ବିଜେପି ସିବିଆଇ ତଦନ୍ତ ଦାବିକୁ ଦୋହରାଇ ଥିବା ବେଳେ ସରକାର ଶାସକ ଦଳର କିଛି ପ୍ରଭାବଶାଳୀ ଲୋକଙ୍କୁ ଘଣ୍ଟ ଘୋଡାଉ ଥିବା ଅଭିଯୋଗ କରିଛି।

ମନ୍ତ୍ରୀ ଆରୁଖଙ୍କ ଦୁଇଟି ଘରକୁ ନେଇ ଚର୍ଚ୍ଚା ହେବା ପରେ ସେ ଗୋଟିଏ ଘର ଫେରାଇ ଦେବାକୁ କହିଥିଲେ। ହେଲେ ଏକାଧିକ ଆବଣ୍ଟନରେ ବିଡିଏ ଦେଇଥିବା କାରଣ ଦର୍ଶାଅ ନୋଟିସ ତାଲିକାରେ ବିକ୍ରମଙ୍କ ପତ୍ନୀ ଜୟଲକ୍ଷ୍ମୀ ଆରୁଖଙ୍କ ନାଁ ରହିଛି। କଳିଙ୍ଗ ବିହାର ହାଉସିଂ ସ୍କିମର ୧୬୭ ନମ୍ବର ପ୍ଲଟ ପାଇଁ ବିଡିଏ କାରଣ ଦର୍ଶାଅ ନୋଟିସ୍‌ ଦେଇଛି।

ଦୁଇଟି ଘର ନେଇଥିବା ତାଲିକାରେ ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁରଙ୍କ ପରି ନେତା ନାଁ ରହିଛି। ସେହିପରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଓ ଉମେଶ ସ୍ୱାଇଁଙ୍କ ପରି ନେତାଙ୍କୁ ମଧ୍ୟ ନୋଟିସ୍‌ କରାଯାଇଛି। ନୋଟିସ୍‌ ତାଲିକାରେ ବହୁ ଆଇଏସ୍‌ ଅଫିସରଙ୍କ ନାଁ ମଧ୍ୟ ରହିଛି। ଇଚ୍ଛାଧୀନ କୋଟା ଓ ଏକାଧିକ ଆବଣ୍ଟନରେ ମୋଟ ୧୯୧୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏବେ ପ୍ରଶ୍ନ ଉଠୁଛି ଏସବୁ ଆବଣ୍ଟନ ବାତିଲ କରିବା ସରକାରଙ୍କ ପାଇଁ କେତେ ସହଜ ହେବ? ବ୍ୟକ୍ତିଗତ ଶୁଣାଣି ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର କହୁଥିବା ବେଳେ ବିରୋଧୀ ଏହାକୁ ଭରସା କରୁନାହାନ୍ତି। କାରଣ ସବୁ ଇଚ୍ଛାଧୀନ କୋଟା ବାତିଲ ପାଇଁ ଟସ୍କଫୋର୍ସ ସୁପାରିଶ କରିଥିଲେ ବି ପ୍ରଭାବଶାଳୀ ଲୋକଙ୍କ ପାଇଁ ସରକାର ବାତିଲ କରିବାକୁ ପଛଘୁଞ୍ଚା ଦେଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

କଂଗ୍ରେସ ମୁଖପାତ୍ର ଶରତ ରାଉତ କହିଛନ୍ତି, “ସରକାରୀ ଦଳର ବହୁ ନେତା, ମନ୍ତ୍ରୀ, ବିଧାୟକ ସରକାରୀ ପ୍ଲଟ ବେଆଇନ ଭାବେ ନେଇଛନ୍ତି। ୧୬ ମାସ ବିତିଗଲା, ୧୬ ଜଣଙ୍କ ପ୍ଲଟ ରଦ୍ଦ କରି ପାରିଲେ ନାହିଁ। ନୀତିଗତ ଭାବେ ସୁପାରିଶକୁ ଗ୍ରହଣ କରିଛନ୍ତି ସତ, ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ଭୟ କରୁଛନ୍ତି।

ବିଜେପି ରାଜ୍ୟ ଉପସଭାପତି ସମୀର ମାହାନ୍ତି କହିଛନ୍ତି, “ଆମେ ଦାବି କରିଛୁ ଯେଉଁମାନେ ବେଆଇନ କାମ କରିଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯାଉ। ପ୍ରଥମ ଦିନରୁ ସିବିଆଇ ତଦନ୍ତ ଦାବି କରିଥିଲୁ। ଭ୍ରଷ୍ଟାଚାରରେ ଯିଏ ବି ସମ୍ପୃକ୍ତ ସେମାନଙ୍କୁ ଦଣ୍ଡ ଦିଆଯାଉ।”

ବିଜେଡି ମୁଖପାତ୍ର ଅମର ଶତପଥି କହିଛନ୍ତି, “ଟାସ୍କଫୋର୍ସ ଆଧାରରେ ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି, ବିଳମ୍ବ ହେବ ନାହିଁ।”

ମୁଖ୍ୟ ଶାସନ ସଚିବ ବିଡିଏ, ସିଡିଏ, ହାଉସିଂ ବୋର୍ଡ ଓ ଭିଜିଲାନ୍ସକୁ ୨ରୁ ୩ ମାସ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାର ୧୬ ମାସ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ କରି ପାରି ନ ଥିବା ବେଳେ କେମିତି ଏହାକୁ ୩ମାସରେ ଶେଷ କରିବେ ଦେଖିବାକୁ ବାକି ରହିଲା।

Related story