ଜ୍ଵର ହେଲେ ଏସବୁ ଖାଇବା ନିହାତି ଦରକାର

ଜ୍ଵର ହେଉଛି ଏକ କ୍ଷୟ ପ୍ରକ୍ରିୟା। ଏଥିରେ ପୁଷ୍ଟିସାର କ୍ଷୟ ବଢ଼ିଯାଏ। ତା’ ସାଙ୍ଗକୁ ଜ୍ଵର ହେଲେ ଦେହର ତାପମାତ୍ରାକୁ କମେଇବା ନିମନ୍ତେ ଦେହରୁ ବେଶି ଝାଳ ବାହାରେ। ସେହି ଝାଳ ମାଧ୍ୟମରେ ଦେହରୁ ଜଳ ଏବଂ ସୋଡିୟମ, ପୋଟାସିୟମ ଆଦି ଧାତବଲବଣ ବାହାରିଯାଏ। ତେଣୁ ଜ୍ଵର ରୋଗୀ ପାଇଁ ବେଶି ପରିମାଣର ଶ୍ଵେତସାର, ପୁଷ୍ଟିସାର, ଜୀବସାର ବା ଭିଟାମିନ୍ ଧାତୁସାର ବା ଧାତବଲବଣ ଏବଂ ଜଳ ଦରକାର। -ଶ୍ଵେତସାରର ପାଇଁ ରୋଗୀକୁ ଗ୍ଳୁକୋଜ, ମହୁ, ଫଳ […]

food image

Rakesh Mallick
  • Published: Sunday, 04 March 2018
  • , Updated: 04 March 2018, 03:23 PM IST

ଜ୍ଵର ହେଉଛି ଏକ କ୍ଷୟ ପ୍ରକ୍ରିୟା। ଏଥିରେ ପୁଷ୍ଟିସାର କ୍ଷୟ ବଢ଼ିଯାଏ। ତା’ ସାଙ୍ଗକୁ ଜ୍ଵର ହେଲେ ଦେହର ତାପମାତ୍ରାକୁ କମେଇବା ନିମନ୍ତେ ଦେହରୁ ବେଶି ଝାଳ ବାହାରେ। ସେହି ଝାଳ ମାଧ୍ୟମରେ ଦେହରୁ ଜଳ ଏବଂ ସୋଡିୟମ, ପୋଟାସିୟମ ଆଦି ଧାତବଲବଣ ବାହାରିଯାଏ। ତେଣୁ ଜ୍ଵର ରୋଗୀ ପାଇଁ ବେଶି ପରିମାଣର ଶ୍ଵେତସାର, ପୁଷ୍ଟିସାର, ଜୀବସାର ବା ଭିଟାମିନ୍ ଧାତୁସାର ବା ଧାତବଲବଣ ଏବଂ ଜଳ ଦରକାର।
-ଶ୍ଵେତସାରର ପାଇଁ ରୋଗୀକୁ ଗ୍ଳୁକୋଜ, ମହୁ, ଫଳ ରସ,ସନ୍ଦେଶ, ଖଜୁରୀ, କିସ୍‌ମିସ୍ ପାଚିଲା କଦଳୀ, ପାଚିଲା ଅମୃତଭଣ୍ଡା, ସେଓ, ଅଙ୍ଗୁର ଇତ୍ୟାଦି ସାଙ୍ଗକୁ ଭାତ, ରୁଟି, ଡାଲି, ଆଳୁ, ସାଗୁ, ବାର୍ଲି, ସୁଜି, ଖିରି, ଖେଚୁଡ଼ି, ପାଉଁରୁଟି ଟୋଷ୍ଟ, କନଫ୍ଲେକ୍ସ ଉପମା, ହାଲୁଆ ଇତ୍ୟାଦି ଖାଦ୍ୟ ନିରାପଦରେ ଦେଇହେବ।

- ପୁଷ୍ଟିସାର ପାଇଁ କ୍ଷୀର, ଦହି ଛେନା ସୋୟାବିନ୍ ଡାଲି ଗଜାମୁଗ, ଗଜାବୁଟ, ଗଜା ଚିନାବାଦାମ ଆଦି ଖାଦ୍ୟ ଖାଇପାରିବ। ମାଛ, ମାଂସ, ଅଣ୍ଡା ଆଦି ଆମିଷ ଜିନିଷ କମ୍ ଖାଇବା ଭଲ।
- ଭିଟାମିନ୍ ଏ’ ବି’ ଓ ଭିଟାମିନ୍ ସି’ର ଚାହିଦା ପୂରଣ ନିମନ୍ତେ ଯଥେଷ୍ଟ ପରିମାଣର ପାଚିଲା ଫଳ ଓ ତଟକା ପନିପରିବା ଦରକାର। ପାଚିଲା ଆମ୍ବ, ପାଚିଲା ଅମୃତ ଭଣ୍ଡା, କମଳା, କମଳା, ବାତାପି, ଡାଳିମ୍ବ, ତରଭୁଜ, ସେଓ, ଅଙ୍ଗୁର, ପିଜୁଳି ଆଦି ଫଳ ଏବଂ କଖାରୁ ପୋଟଳ ବାଇଗଣ, ଜହ୍ନି, ଭେଣ୍ଡି, ଛଚିନ୍ଦ୍ରା, ଫୁଲକୋବି, ବନ୍ଧକୋବି, ଜ୍ଵର ରୋଗୀକୁ ଖାଇବା ପାଇଁ ଦେବା ଆବଶ୍ୟକ। ଏହା ସାଙ୍ଗକୁ ଦୈନିକ ଗୋଟିଏ ଲେଖାଏଁ ମଲ୍ଟି ଭିଟାମିନ୍ ମିନୋରାଲ ବଟିକା ଓ ଭିଟାମିନ୍ ସି’ ବଟିକା ମଧ୍ୟ ଦିଆଯାଇପାରେ।
- ଜ୍ଵର ହେଲେ ରୋଗୀଠାରେ ଜଳ ଓ ଧାତବଲବଣ ଅଭାବ ହେବାର ଆଶଙ୍କା ଅଧିକ । ତେଣୁ ରୋଗୀର ଇଚ୍ଛା ହେଉ କି ନ ହେଉ ତା’କୁ ଓଆରଏସ୍, ଫଳରସ, ଲୁଣ- ଚିନି ପାଣି, ଲେମ୍ବୁ ସରବତ, ପଇଡ଼ ପାଣି, ଘୋଳଦହି ଇତ୍ୟାଦି ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପିଇବାକୁ ଦିଅନ୍ତୁ। ରୋଗୀକୁ ଦୈନିକ ତିନିରୁ ଚାରିଲିଟର ପାଣି ପିଇବାକୁ ଦିଅନ୍ତୁ।
- ଚା’ କଫି ପିଇବାରେ ମନା ନାହିଁ, କିନ୍ତୁ ଚା’ କଫି ପିଇଲେ ପରିସ୍ରା ପରିମାଣ ବଢ଼ି ଯାଉଥିବାରୁ ପାଣି ପିଇ ଏହି କ୍ଷୟର ଭରଣା କରାଯାଇପାରିବ।
- ବହୁ ଲୋକଙ୍କର ଧାରଣା ଯେ, ଜ୍ଵର ରୋଗୀକୁ ଭାତ ଖାଇବାକୁ ଦେଲେ ଜ୍ଵର ନ କମି ବଢ଼ିଯାଇପାରେ କିନ୍ତୁ ଏଭଳି ଧାରଣାର ପଛରେ କୌଣସି ବୈଜ୍ଞାନିକ ଭିତ୍ତିନାହିଁ। ରୋଗୀ ଯାହା ଯାହା ଖାଇବା ପାଇଁ ଚାହିଁବ, ତାହା ତା’କୁ ନିରାପଦରେ ଦିଆଯାଇପାରିବ। ସେ ସବୁ ପ୍ରକାରର ଖାଦ୍ୟ ଖାଇପାରିବ ଓ ଏହା ତା’ର କୌଣସି କ୍ଷତି ନ କରି ବରଂ ବେଶି ଉପକାର କରିବ। ଭାତ ଓ ଚାଉଳରୁ ପ୍ରସ୍ତୁତ ଖାଦ୍ୟ ସହଜରେ ହଜମ ହୋଇଥାଏ।
- ତେଲ, ଘିଅ, ଲହୁଣି, ଚର୍ବି, ଛଣାଚଣି ଜିନିଷ, ମସଲାପକା ଖାଦ୍ୟ ଫାଷ୍ଟଫୁଡ୍, ଆଇସକ୍ରିମ କୋଲଡ୍ ଡ୍ରିଙ୍କସ୍ ଇତ୍ୟାଦିରୁ ଦୂରେଇ ରୁହନ୍ତୁ।
ମନେ ରଖନ୍ତୁ ଯେ ରୋଗୀର ଖାଇବା ଠିକ୍ ଠିକ୍ ଚାଲିଥିଲେ, ତା’ଠାରେ ଜ୍ଵର ଯେତେଦିନ ଧରି ଚାଲିଥାଉ ପଛେ ସେ ଦୁର୍ବଳତା ଅନୁଭବ କରି ନ ଥାଏ।

Related story