୨୨ ପାହାଚରେ ପିଲାଙ୍କୁ ଗଡ଼ାଯାଏ କାହିଁକି? ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କାହିଁକି ପକାଯାଏ ମହାପ୍ରସାଦ?  

ଶ୍ରୀମନ୍ଦିରକୁ ପ୍ରବେଶ କରିବା ବେଳେ ପ୍ରଥମେ ଅରୁଣ ସ୍ତମ୍ଭ ଆଉ ତା ପରେ ଦର୍ଶନ ଦିଅନ୍ତି ପ୍ରଭୁ ପତିତପାବନ। ପରେ ପରେ ଉପରକୁ ଉଠିବାକୁ ଆମକୁ ଚଢିବାକୁ ପଡେ ୨୨ ପାହଚ। ସାଧାରଣ ଶ୍ରଦ୍ଧାଳୁ ବା ଭକ୍ତଟିଏ ପାଇଁ, ଶ୍ରୀମନ୍ଦିରର ଏହି ବଡ଼ ପାହାଚା ସବୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଛୋଟ ଛୁଆମାନଙ୍କୁ ଅନେକ ସମୟରେ ଏହା ଉପରେ ଗଡ଼ାଇ ବାପ ମାଆ ବଡ଼ଠାକୁରଙ୍କୁ ମୁଣ୍ଡିଆ ମାରି କୁହନ୍ତି, ‘ହେ ମହାପ୍ରଭୁ ! ମୋ ସନ୍ତାନକୁ ଚକ୍ର ଆଢୁଆଳରେ ରଖିଥିବ।’ ପୁଣି କେତେବେଳେ ପିତୃପୁରୁଷଙ୍କୁ ତର୍ପଣ ଓ ପିଣ୍ଡଦାନ କରି ବି ପୂର୍ବଜଙ୍କ ମୋକ୍ଷ କାମନା କରିଥାନ୍ତି ଭକ୍ତ। ଏମିତି କିଛି ପରମ୍ପରା ହିଁ ୨୨ ପାହାଚର ମହନୀୟତାକୁ ବର୍ଣ୍ଣନା କରୁଛନ୍ତି। ହେଲେ କେବେ ଭାବିଛନ୍ତି ଏଠି ଗଣିଗଣି ୨୨ଟି ପାହାଚ କାହିଁକି ରହିଲା ? ୨୩ ପାହାଚ କି ୨୪ ପାହାଚ କାହିଁକି ନ ହେଲା ? ତା ହେଲେ ଆସନ୍ତୁ ଜାଣିବା ୨୨ପାହାଚ ସମ୍ପର୍କରେ କିଛି ରୋଚକ କଥା।

ରାଜା ଭାନୁଦେବଙ୍କ ସମୟର କଥା। ମନ୍ଦିର ପରିସୀମା ଭିତର ବେଢା ପର୍ଯ୍ୟନ୍ତ ସୀମିତ ଥାଏ। ରାଜା ଭାନୁଦେବ ମହାପ୍ରଭୁଙ୍କ ପ୍ରଚଣ୍ଡ ଭକ୍ତ ଥିଲେ ମଧ୍ୟ ସେ ଥିଲେ ଅପୁତ୍ରିକ। ଏହି ଦୁଃଖ ଲାଘବ କରିବାକୁ ରାଜା ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଶିବ ତଥା ଶ୍ରୀମନ୍ଦିରର ପଞ୍ଚଶମ୍ଭୁଙ୍କ ମଧ୍ୟରୁ ଅନ୍ୟତମ ପ୍ରଭୁ ଜମ୍ବେଶ୍ୱରଙ୍କ ଶରଣାପନ୍ନ ହୋଇଥିଲେ। ମହାଦେବଙ୍କ ଦୟାରେ ଭାନୁଦେବ ପୁଅଟିଏ ପାଇଥିଲେ ବି ବାଳକଟି ଥିଲା ଅଳ୍ପାୟୁ। ଜାତକର୍ମ ସମୟରେ ଜଣେ ବ୍ରାହ୍ମଣ ଏହି ବାଳକର ମୃତ୍ୟୁ ୨୨ ବର୍ଷ ବୟସରେ ହୋଇଯିବ ବୋଲି କହିବାରୁ ରାଜା ଦୁଃଖିତ ହୋଇ ପୁନର୍ବାର ଜେମ୍ବେଶ୍ୱରଙ୍କ ଶରଣାପନ୍ନ ହୁଅନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟକୁ ଶ୍ରଦ୍ଧାଳୁ ଯାଉଥିବା ପଥରେ ନିଜ ପୁଅ ପାଇଁ ୨୨ ଗୋଟି ପାହାଚ ନିର୍ମାଣ ଲାଗି ରାଜାଙ୍କୁ ନିର୍ଦ୍ଦେଶ ହୁଏ। ଆଉ ଆରମ୍ଭ ହୁଏ ୨୨ ପାବଚ୍ଛ ନିର୍ମାଣ କାମ। ପାବଚ୍ଛ ନିର୍ମାଣ ପରେ ପୁତ୍ରର ଆୟୁ ବୁଦ୍ଧି ପାଇଁ ରାଜା ନିଜ ଜନ୍ମିତ ପୁତ୍ରକୁ ପ୍ରଥମ ଥର ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ କରି ଗଡ଼ାଇ ଦେଇଥିଲେ। ଯାହା କ୍ରମେ ଓଡ଼ିଆ ଘରର ପରମ୍ପରା ପାଲଟି ଗଲା। ପୁରୀ ଗଲେ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଏବେବି କାଳିଆ କୋଳରେ ଏହି କାରଣରୁ ହିଁ ଗଡ଼ାଇ ଦିଅନ୍ତି ନିଜ ସନ୍ତାନଙ୍କୁ।

୨୨ ପାହାଚରେ ରହିଥିବା ମାଙ୍କଡା ପଥରଟି କ’ଣ ?

ଏହି ୨୨ ପାହାଚ ଚଢ଼ିବା ବେଳେ ଆମେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ମାଙ୍କଡା ପଥରଟିଏ ଦେଖିଥାଉ । ଯାହାକୁ ‘ଯମଶିଳା’ ମଧ୍ୟ କୁହାଯାଏ। ପିଣ୍ଡଦାନ ହେଉ ଅଥବା ଘରକୁ ମହାପ୍ରସାଦ ଆଣି ଆସିବା ବେଳେ, କୁହାଯାଏ ଏହି ଶିଳାରେ ମହାପ୍ରସାଦ ଚଢ଼ାଇଲେ ଆପଣଙ୍କ ପିତୃପୁରୁଷ ମୋକ୍ଷପ୍ରାପ୍ତି ହୁଅନ୍ତି। ହେଲେ ଏହି ମାଙ୍କଡ଼ା ପଥରର କାହାଣୀ ବି ଭାରି ରୋଚକ । ପଣ୍ଡିତ ଜଗଦେବ ମିଶ୍ରଙ୍କ ‘କ୍ଷେତ୍ର ମହାତ୍ମ୍ୟ’ ପୁସ୍ତକରେ ଏହି ମାଙ୍କଡ଼ା ପଥରଟିକୁ ରାଜା ଭାନୁଦେବଙ୍କ କାହାଣୀ ସହ ଯୋଡ଼ାଯାଇଛି। କୁହାଯାଇଛି, ପୁଅର ଆୟୁ ବୃଦ୍ଧି ପାଇଁ ୨୨ ପାହାଚ ନିର୍ମାଣ ବେଳେ ଗୋଟିଏ ସ୍ଥାନରେ ଝର ପଡ଼ିଲା। ପଥର ଯୋଡ଼େଇ ହୋଇପାରିଲା ନାହିଁ। ଶେଷରେ ସେହି ଯମ୍ବେଶ୍ୱର ମହାଦେବଙ୍କ ସ୍ୱପ୍ନାଦେଶ ପରେ ସମୁଦ୍ର କୂଳରେ ଭାସି ଆସି ଲାଗିଥିବା ଏକ ମାଙ୍କଡା ପଥରକୁ ଉକ୍ତ ଝର ସ୍ଥାନରେ ରଖାଯାଇଥିଲା। ଆଉ ଝର ବନ୍ଦ ହୋଇଥିଲା। ସାଧାରଣ ଲୋକଙ୍କ ମତରେ ଶ୍ରୀକ୍ଷେତ୍ରରେ ଯମଦଣ୍ଡ ଲାଗେନି। ଏଠି ମହାପ୍ରଭୁ ହିଁ ସର୍ବଶ୍ରେଷ୍ଠ ସଂହାରକ। ଏଣୁ ଏହି ମାଙ୍କଡା ପଥର ଜରିଆରେ ଯମଙ୍କ ମୁଖରେ ମହାପ୍ରସାଦ ଦେଇ ତାଙ୍କୁ ସନ୍ତୁଷ୍ଟ କରାଯାଏ। ରାଜପୁତ୍ର ଆୟୁବୃଦ୍ଧି ପ୍ରସଙ୍ଗ ତାଙ୍କ ମୃତ୍ୟୁର ଭବିଷ୍ୟବାଣୀ ସହ ସମ୍ପୃକ୍ତ ଥିଲା। ଏଣୁ ପ୍ରକାରାନ୍ତରେ ଏହା ଯମଙ୍କ କାର୍ଯ୍ୟ ପରିସରୁ ପ୍ରତିହତ କରିଥିଲା। ସମ୍ଭବତଃ ଏହି କାରଣରୁ ହିଁ ଧର୍ମରାଜ ଯମଙ୍କ ତୁଲ୍ୟ ଏହି ମାଙ୍କଡ଼ା ପଥର ଖଣ୍ଡକୁ ଏଠାରେ ସମ୍ମାନ ଦିଆଯାଇଛି।