ଝାରସୁଗୁଡ଼ା,ଢେଙ୍କାନାଳରେ ବ୍ୟାଙ୍କ ଡକାୟତି; ୬୦ ଲକ୍ଷ ଲୁଟ୍‌

ଝାରସୁଗୁଡ଼ା/ଢେଙ୍କାନାଳ: ଆଜି ଝାରସୁଗୁଡା ଓ ଢେଙ୍କାନାଳରେ ଥିବା ୨ଟି ବ୍ୟାଙ୍କକୁ ଦୁର୍ବୃତ୍ତମାନେ ଟାର୍ଗେଟ କରିଛନ୍ତି। ମୁଖାପିନ୍ଧା ଦୁର୍ବୃତ୍ତମାନେ ବ୍ୟାଙ୍କ ଚାଲିଥିବା ସମୟରେ ଭିତରେ ପଶି ବନ୍ଧୁକ ମୁନରେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ଭୟଭୀତ କରି ୬୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଝାରସୁଗୁଡ଼ାର ବେହେରାମାଲ ସ୍ଥିତ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରୁ ଆଜି ୫୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଛି। ଅପରାହ୍ନ ପ୍ରାୟ ଦୁଇଟାରୁ ଅଢ଼େଇଟା ମଧ୍ୟରେ ଆଠ ରୁ ନଅ ଜଣ ଡକାୟତ […]

bank-loot

Rakesh Mallick
  • Published: Thursday, 05 May 2016
  • , Updated: 05 May 2016, 04:06 PM IST

ଝାରସୁଗୁଡ଼ା/ଢେଙ୍କାନାଳ: ଆଜି ଝାରସୁଗୁଡା ଓ ଢେଙ୍କାନାଳରେ ଥିବା ୨ଟି ବ୍ୟାଙ୍କକୁ ଦୁର୍ବୃତ୍ତମାନେ ଟାର୍ଗେଟ କରିଛନ୍ତି। ମୁଖାପିନ୍ଧା ଦୁର୍ବୃତ୍ତମାନେ ବ୍ୟାଙ୍କ ଚାଲିଥିବା ସମୟରେ ଭିତରେ ପଶି ବନ୍ଧୁକ ମୁନରେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ଭୟଭୀତ କରି ୬୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ଝାରସୁଗୁଡ଼ାର ବେହେରାମାଲ ସ୍ଥିତ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରୁ ଆଜି ୫୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଛି। ଅପରାହ୍ନ ପ୍ରାୟ ଦୁଇଟାରୁ ଅଢ଼େଇଟା ମଧ୍ୟରେ ଆଠ ରୁ ନଅ ଜଣ ଡକାୟତ ମୁଖା ପିନ୍ଧି ବ୍ୟାଙ୍କ ଭିତରେ ପଶି ଥିଲେ ଓ ପିସ୍ତଲ ଦେଖାଇ କ୍ୟାସ୍ କାଉଣ୍ଟର ଏବଂ ଷ୍ଟ୍ରଙ୍ଗରୁମ୍‌ରୁ ଟଙ୍କା ଲୁଟ୍ କରି ଚାଲି ଯାଇଥିଲେ। ସେମାନେ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ଡକାୟତମାନଙ୍କୁ ଧରିବାକୁ ଉଦ୍ୟମ କରୁଛି।

ଝାରସୁଗୁଡ଼ା ଏସ୍‌ପି ଉମାଶଙ୍କର ଦାସ କହିଛନ୍ତି,“ବ୍ୟାଙ୍କ କର୍ମଚାରୀମାନଙ୍କ କହିବା ଅନୁଯାୟୀ ୬ରୁ ଅଧିକ ଡକାୟତ ଆସିଥିଲେ। ସେମାନେ କେତେ ଟଙ୍କା ଲୁଟ୍ କରିଛନ୍ତି ତା’ର ସଠିକ୍‌ ତଥ୍ୟ ବ୍ୟାଙ୍କ ତରଫରୁ ଦିଆଯାଇନି। ହିସାବ କରି ସେମାନେ ସେ ତଥ୍ୟ ଦେବେ। ତେବେ ପୋଲିସ୍ ପକ୍ଷରୁ ଡକାୟତମାନଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି।”

ସେହିପରି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଧଳପୁର ୟୁକୋ ବ୍ୟାଙ୍କ ଶାଖାରୁ ୧୦ ଲକ୍ଷ ଟଙ୍କା ୨ଟି ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ଆସି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପ୍ରମାଣ ନଷ୍ଟ କରିବାକୁ ଯାଇ ଡକାୟତ ମାନେ ସିସିଟିଭି ଓ ମନିଟରକୁ ବାଡେଇ ଭାଙ୍ଗି ଦେଇଛନ୍ତି। ତରବରିଆ ଭାବେ ଡକାୟତମାନେ ଚାଲିଯିବା ବେଳେ ସେମାନଙ୍କ ହାତରୁ ଏକ ଲକ୍ଷ ଟଙ୍କା ବ୍ୟାଙ୍କ ବାହାରେ ଖସି ପଡିଥିଲା। ପୋଲିସ ଏହି ଟଙ୍କା ଜବତ କରିବା ସହ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି।

ଅନ୍ୟପକ୍ଷରେ ଖୋର୍ଦ୍ଧାଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୟାବନ୍ଧ ଛକରେ ଜଣେ ଠିକାଦାରଙ୍କ ଠାରୁ ଅଢେଇ ଲକ୍ଷଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଠିକାଦାର ଜଣଙ୍କ ଖୋର୍ଦ୍ଧା ଏସ୍‌ବିଆଇ ବ୍ରାଞ୍ଚରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ୩ ଜଣ ଦୁବୃର୍ତ୍ତ ତାଙ୍କୁ ପିଛା କରି ଲୁଟ୍‌ କରିଥିଲେ। ତେବେ ଠିକାଦାରଙ୍କ ପାଟି ଣୁଣି ସ୍ଥାନୀୟ ଲୋକେ ଜଣେ ଦୁର୍ବୃତ୍ତଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି।

Related story