କଳାହାଣ୍ଡିରେ ଅଜଣା ରୋଗ: ମାସକରେ ମଲେଣି ୧୭!

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ ତଳନାଗୀ ପଞ୍ଚାୟତର ପାଞ୍ଚଟି ଗାଁରେ ଅଜଣା ରୋଗର ଆତଙ୍କ ଦେଖାଦେଇଛି। ମାସକରେ ଏ ରୋଗରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି। ଏ ନେଇ ଖବର ପ୍ରଚାରିତ ହେବା ପରେ ଆଜି ମେଡିକାଲ ଟିମ୍‌ ଉକ୍ତ ପଞ୍ଚାୟତରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ରକ୍ତ ନମୂନା ସଂଗ୍ରହ କରିଛି। ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ରହିଥିବା ତଳନାଗୀ ପଞ୍ଚାୟତରେ ୧୬ ଖଣ୍ଡ ଗାଁ। ଏସବୁ ଗାଁର ଅଧିକାଂଶ […]

kalahandi

Rakesh Mallick
  • Published: Thursday, 11 August 2016
  • , Updated: 11 August 2016, 10:05 PM IST

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ ତଳନାଗୀ ପଞ୍ଚାୟତର ପାଞ୍ଚଟି ଗାଁରେ ଅଜଣା ରୋଗର ଆତଙ୍କ ଦେଖାଦେଇଛି। ମାସକରେ ଏ ରୋଗରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି। ଏ ନେଇ ଖବର ପ୍ରଚାରିତ ହେବା ପରେ ଆଜି ମେଡିକାଲ ଟିମ୍‌ ଉକ୍ତ ପଞ୍ଚାୟତରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ରକ୍ତ ନମୂନା ସଂଗ୍ରହ କରିଛି।

ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ରହିଥିବା ତଳନାଗୀ ପଞ୍ଚାୟତରେ ୧୬ ଖଣ୍ଡ ଗାଁ। ଏସବୁ ଗାଁର ଅଧିକାଂଶ ଅଧିବାସୀ ଆଦିବାସୀ ସମ୍ପ୍ରଦାୟର। ଏହି ପଞ୍ଚାୟତକୁ ଯିବା ପାଇଁ ରାସ୍ତାନାହିଁ। ଲଞ୍ଚରେ ୧୬ କିମି ଗଲେ ପଡ଼ିଥାଏ ଗାଁ ଗୁଡ଼ିକ। ଏବେ ଏହି ପଞ୍ଚାୟତରେ ଅଜଣା ରୋଗର ଆତଙ୍କ। ମାସକରେ ୧୭ ଲୋକଙ୍କ ମୃତ୍ୟୁ ଘଟିଲାଣି। ସେମାନଙ୍କ ମଧ୍ୟରୁ ୫ ଜଣ ଶିଶୁ ଅଛନ୍ତି। ଶିଶୁଙ୍କ ବୟସ ୨ରୁ ୩ ବର୍ଷ ହେବ। ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁନଥିବା ଅଭିଯୋଗ ହେଉଛି।

ସ୍ୱାସ୍ଥ୍ୟ ସେବା ଏମାନଙ୍କ ପାଇଁ ସାତ ସପନ। ସରକାରୀ ଯୋଜନା କଣ ଏହି ପଞ୍ଚାୟତ ଲୋକେ ଜାଣନ୍ତିନାହିଁ। ଅଜଣା ରୋଗର ଆତଙ୍କ ପରେ ଥୁଆମୂଳରାମପୁର ବିଡ଼ିଓଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍‌ ଆଜି ଗାଁରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛି।

ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ମଙ୍ଗାଦେଇ ମାଝି କହିଛନ୍ତି, “ଜ୍ୱର ଓ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମାସକରେ ଆମ ଗାଁରେ ୩ ଜଣ ମଲେଣି।”

ସରପଞ୍ଚ ରାମ ସିଂ ମାଝି କହିଛନ୍ତି, “ଆମ ପଞ୍ଚାୟତର ୫ଟି ଗାଁରେ ମାସକରେ ୧୭ ଜଣ ମଲେଣି। ରୋଗ କିଛି ଜଣାପଡ଼ୁନି। ଏବେ ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି”।

ଧର୍ମଗଡ଼ ଡାକ୍ତର ଅବିନାଶ ତିର୍କି କହିଛନ୍ତି, “ରୋଗ ସମ୍ପର୍କରେ କିଛି ଜଣାପଡ଼ୁନି, ତଥାପି ରକ୍ତ ନମୂନା ସଂଗ୍ରହ କରାଯାଇଛି। ଏଠାରେ ପାନୀୟ ଜଳ ସମସ୍ୟା ଉତ୍କଟ ରହିଛି।”

ବିଡ଼ିଓ ପିୟୁଷ ଲୁହାର କହିଛନ୍ତି, “ଏହି ଗାଁରେ ଥିବା ଅଙ୍ଗନୱାଡ଼ି କର୍ମୀଙ୍କୁ ନିୟମିତ କରିବା ପାଇଁ ସିଡ଼ିପିଓଙ୍କ ସହିତ ଆଲୋଚନା କରିଛି। ଗାଁର ପରିସ୍ଥିତି ସମ୍ପର୍କରେ ମୁଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବି।”

Related story