କନ୍ଧମାଳ ଘଟଣାର ପ୍ରତିବାଦ: କଟକରେ ବିକ୍ଷୋଭ ବେଳେ କଂଗ୍ରେସ କର୍ମୀ-ପୋଲିସ ଧସ୍ତାଧସ୍ତି

କଟକ: କନ୍ଧମାଳ ଗୁଳିକାଣ୍ଡ ଘଟଣା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି। ବିକ୍ଷୋଭକାରୀ ମାନେ ଡିଜି ଅଫିସକୁ ପଶିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଫଳରେ ଜଣେ ମହିଳା କଂଗ୍ରେସ କର୍ମୀ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଟମାଟୋ ଓ ପାଣି ପାଉଚ୍‌ ମାଡ଼ କରିଛନ୍ତି। ଉତ୍ତେଜନା ପରିସ୍ଥିତି ଲାଗି ରହିଥିବାରୁ ଡିଜି ଅଫିସ ଚାରିପଟେ […]

ctc2

Rakesh Mallick
  • Published: Friday, 15 July 2016
  • , Updated: 15 July 2016, 01:18 PM IST

କଟକ: କନ୍ଧମାଳ ଗୁଳିକାଣ୍ଡ ଘଟଣା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି। ବିକ୍ଷୋଭକାରୀ ମାନେ ଡିଜି ଅଫିସକୁ ପଶିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଫଳରେ ଜଣେ ମହିଳା କଂଗ୍ରେସ କର୍ମୀ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଟମାଟୋ ଓ ପାଣି ପାଉଚ୍‌ ମାଡ଼ କରିଛନ୍ତି। ଉତ୍ତେଜନା ପରିସ୍ଥିତି ଲାଗି ରହିଥିବାରୁ ଡିଜି ଅଫିସ ଚାରିପଟେ ବାରିକେଡ କରିବା ସହ ୧୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

କନ୍ଧମାଳରେ ସୁରକ୍ଷାକର୍ମୀ ୬ ଜଣ ଆଦିବାସୀଙ୍କୁ ଗୁଳିକରି ହତ୍ୟା କରିବା ପ୍ରତିବାଦରେ କଟକ ନଗର କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ କରାଯାଇଛି। ଦଳ ପକ୍ଷରୁ ଦକ୍ଷିଣାଞ୍ଚଳ ଆଇଜି ଏବଂ କନ୍ଧମାଳ ଏସ୍‌ପିଙ୍କୁ ନିଲମ୍ବନ ସହ ସେମାନଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ବକ୍ସିବଜାରରୁ ଶତାଧିକ କର୍ମୀ ନଗର କଂଗ୍ରେସ ସଭାପତି ତଥା ପିସିସି କୋଷାଧ୍ୟକ୍ଷ ମହମ୍ମଦ ମୋକିମଙ୍କ ନେତୃତ୍ୱରେ  ଶୋଭାଯାତ୍ରାରେ ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ମୋକିମ କହିଛନ୍ତି, “ପୋଲିସ ସବୁବେଳେ କିଛି କାରଣ ନ ଥାଇ ପରିସ୍ଥିତିକୁ ଜଟିଳ କରୁଛନ୍ତି। ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ଅଣ୍ଡାମାଡ଼ କରିଦେଲେ ବୋଲି ୩୦୭ ଦଫାରେ ସେମାନଙ୍କୁ ଗିରଫ କରି ପକାଇଲେ। ହେଲେ ୬ଜଣ ନୀରିହ ଆଦିବାସୀଙ୍କୁ ପୋଲିସ ସୁରକ୍ଷାକର୍ମୀ ଗୁଳିକରି ହତ୍ୟା କରିଥିଲେ ମଧ୍ୟ ଦକ୍ଷିଣାଞ୍ଚଳ ଆଇଜି ଏବଂ କନ୍ଧମାଳ ଏସ୍‌ପିଙ୍କୁ ନିଲମ୍ବନ କରାଯାଇନାହିଁ କି ଗିରଫ କରାଯାଇନାହିଁ। ଏତେ ବଡ଼ ଘଟଣା ଘଟି ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କି ପୋଲିସ ଡିଜି ସେଠାକୁ ଯାଇନାହାନ୍ତି। ଏହାର ପ୍ରତିବାଦ କରିବାକୁ ଡିଜି ଅଫିସକୁ ଆସିଥିବା ବେଳେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜଣେ ଆଦିବାସୀ ମହିଳାଙ୍କୁ ଆକ୍ରମଣ କରିଛି। ତାଙ୍କ ମୁଣ୍ଡ ଫାଟିଯାଇଛି। ନଗର କଂଗ୍ରେସ ଏହାକୁ ବରଦାସ୍ତ କରିବ ନାହିଁ। ଏହି ଆନ୍ଦୋଳନକୁ ରାଜ୍ୟ ବ୍ୟାପୀ କରାଯିବ।”

ଦକ୍ଷିଣାଞ୍ଚଳ ଆଇଜି ଏବଂ କନ୍ଧମାଳ ଏସ୍‌ପିଙ୍କୁ ଗିରଫ କରା ନ ଯିବା ପର୍ଯ୍ୟନ୍ତ କଂଗ୍ରେସ ଏହି ଆନ୍ଦୋଳନକୁ ଜାରି ରଖିବା ବୋଲି ମୋକିମ କହିଛନ୍ତି।

Related story