କେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ବିଧାନସଭା ପରିସରରେ ଧାରଣା ଦେଲେ ବିଜେଡି ବିଧାୟକ

ଭୁବନେଶ୍ୱର: ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଆଜି ଶାସକ ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବସି ଧାରଣା ଦେଇଥିଲେ। କେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ସେମାନେ ବ୍ୟାନର ଧରି ଧାରଣା ଦେଇଥିଲେ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ପାଇଁ ୧.୨୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିବା ପରେ ଆଜି ବିଜେଡି ବିଧାୟକମାନେ ଧାରଣା ଦେଇଥିଲେ।

assembly1

Rakesh Mallick
  • Published: Wednesday, 19 August 2015
  • , Updated: 19 August 2015, 11:35 AM IST

ଭୁବନେଶ୍ୱର: ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଆଜି ଶାସକ ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବସି ଧାରଣା ଦେଇଥିଲେ। କେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ସେମାନେ ବ୍ୟାନର ଧରି ଧାରଣା ଦେଇଥିଲେ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ପାଇଁ ୧.୨୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିବା ପରେ ଆଜି ବିଜେଡି ବିଧାୟକମାନେ ଧାରଣା ଦେଇଥିଲେ।

ଦଳୀୟ ନେତା ତଥା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ସରକାର ଆବଶ୍ୟକ ଅନୁଦାନ ଦେଉ ନାହାନ୍ତି। ବରଂ ଅନୁଦାନ ରାଶି କାଟି ଦେଉଛନ୍ତି। ଓଡ଼ିଶା ପ୍ରତି କେନ୍ଦ୍ର ସରକାର ପକ୍ଷପାତିତା କରୁଛନ୍ତି। ବିହାରକୁ ୧.୨୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣାରୁ ଏହା ପ୍ରମାଣିତ ହୋଇଯାଇଛି। ଏଣୁ ଏହା ବର୍ତ୍ତମାନ ଓଡ଼ିଶା ପାଇଁ ବଡ଼ ପ୍ରସଙ୍ଗ। ଏହାକୁ ବିଧାନସଭା ଭିତରେ ଉଠାଇବାରେ କିଛି ଭୁଲ୍ ନାହିଁ।

ସେହିପରି ଅନ୍ୟତମ ବିଜେଡି ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି ଯେ ରଜନୈତିକ ମାନସିକତା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ଓ ଓଡ଼ିଶାକୁ ଅଣଦେଖା କରିଛନ୍ତି। ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଭାଷଣ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଦେଶର ପୂର୍ବରେ ଥିବା ସମସ୍ତ ରାଜ୍ୟକୁ ସମାନ ସୁବିଧା ଯୋଗାଇ ଦିଆଯିବ। କିନ୍ତୁ ସେ ତାହାକୁ କାର୍ଯ୍ୟରେ କରି ଦେଖାଇଲେ ନାହିଁ। ବର୍ଷ ବର୍ଷ ଧରି ଓଡ଼ିଶାର ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଆସୁଛି। ତେଣୁ କେବଳ ବିଧାନସଭା ଭିତରେ ନୁହେଁ, ଆଗକୁ ବିଧାନସଭା ବାହାରେ ମଧ୍ୟ ବିଜେଡି ପକ୍ଷରୁ ଏହାର ପ୍ରତିବାଦ କରାଯିବ ଏବଂ ଆନ୍ଦୋଳନକୁ ଜୋରଦାର କରାଯିବ।

ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ କୁହାଯାଇଛି ଯେ ଗୃହକୁ ଚାଲିବାକୁ ନଦେବାକୁ ଏହା ହେଉଛି ବିଜେଡିର ଏକ ଚାଲ୍। କଂଗ୍ରେସ ବିଧାୟକ ନବ ଦାସ କହିଛନ୍ତି, ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ର ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନାରୁ ବର୍ତ୍ତିବା ପାଇଁ ଶାସକ ବିଜେଡି ଏମିତି ବାହାନା କରୁଛି। କେନ୍ଦ୍ରୀୟ ଅବହେଳା ନେଇ ରାଜ୍ୟ ସରକାରଙ୍କ ଏ ଚିତ୍କାର କେବଳ କୁମ୍ଭୀରକାନ୍ଦଣା। ସେହିପରି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ଗୃହକୁ ଚଲାଇ ନଦେବା ଲାଗି ବିଜେଡି ବହୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲା। ତେଣୁ କେନ୍ଦ୍ରୀୟ ଅବହେଳାକୁ ଦଳ ଖାଲି ମିଛଟାରେ ଢାଳ କରି ବାହାରିଛନ୍ତି। ସେହିପରି ବିଜେପିର ବିଧାୟକ ଦଳ ନେତା ବସନ୍ତ ପଣ୍ଡା କହିଛନ୍ତି ଯେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଯେଉଁ ବ୍ୟବସ୍ଥା ସବୁ କରିଛନ୍ତି ତାହା ତ ସରକାର କହୁନାହାନ୍ତି। ପ୍ରକାଶ ମିଶ୍ର ପ୍ରସଙ୍ଗରେ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନାରୁ ବର୍ତ୍ତିବା ପାଇଁ ସରକାର ଖାଲି ବାହାନା କରୁଛନ୍ତି।

ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରାରମ୍ଭରୁ ଗୃହ ହୁଲୁସ୍ତୁଲୁ ହୋଇଥିଲା। ପ୍ରଶ୍ନକାଳ ଆରମ୍ଭ ହେବାର ମାତ୍ର ୨ ମିନିଟ୍ ପରେ ବାଚସ୍ପତି ଗୃହକୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମୁଲତବି ରଖଥିଲେ। ବିରୋଧୀ ଦଳଗୁଡ଼ିକ ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ର ମାମଲାରେ ଆଲୋଚନା କରିବାକୁ ଚାହିଁଥିଲେ। ତେବେ ବାଚସ୍ପତି ଏନେଇ ଅନୁମତି ନଦେବା ପରେ ବିରୋଧୀ କଂଗ୍ରେସ ବ୍ୟାନର ଧରି ହୋହାଲ୍ଲା ଆରମ୍ଭ କରି ଦେଇଥିଲା। ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ଶାସକ ବିଜେଡି ବିଧାୟକମାନେ ମଧ୍ୟ ବ୍ୟାନର ପ୍ରଦର୍ଶନ କରି କେନ୍ଦ୍ରୀୟ ଅବହେଳେ ପ୍ରସଙ୍ଗ ଉଠାଇଥିଲେ। ଓଡ଼ିଶାର ଅଗ୍ରଗତିରେ କେନ୍ଦ୍ର ବାଧକ, ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ସୀମା ଲଂଘିଛି- ଆଦି ଲେଖାଥିବା ବ୍ୟାନର ପ୍ରଦର୍ଶନ କରିଥିଲେ ବିଜେଡି ବିଧାୟକମାନେ। ହୋହାଲ୍ଲା ଯୋଗୁ ଗୃହ ମୁଲତବି ହେବା ପରେ ବିଜେଡି ବିଧାୟକମାନେ ଯାଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ।

Related story