ଅକ୍ଷୟ ତୃତୀୟାଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥାଏ ଚନ୍ଦନ ଯାତ୍ରା। ଏହି ଯାତ୍ରାର ଅବଧି ହେଉଛି ୪୨ ଦିନ। ଏହି ସମୟରେ ଶ୍ରୀମନ୍ଦିରରେ ବିରାଜିତ ଦାରୁ ବିଗ୍ରହମାନଙ୍କୁ ଚନ୍ଦନ ଲାଗି ବେଶ କରାଯାଉଥିବା ବେଳେ, ଦ୍ୱିପ୍ରହର ଧୂପ ପରେ ଠାକୁରଙ୍କ ନୌକା ବିହାର ବା ଚାପଖେଳ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥାଏ।
ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ ଓ ରାମକୃଷ୍ଣ ଶ୍ରୀକ୍ଷେତ୍ରର ଆରାଧ୍ୟ ପଞ୍ଚ ମହାଦେବଙ୍କ ସହ ନରେନ୍ଦ୍ର ସରୋବରରେ ଚାପ ଖେଳିଥାନ୍ତି। ଏହି ସମୟରେ ଠାକୁରମାନଙ୍କ ପାଖରେ ୨ଟି ପାରମ୍ପରିକ ପ୍ରସାଦ ଲାଗି ହୋଇଥାଏ। ଗୋଟିଏର ନାଁ ମାଣ୍ଡୁଅ ଓ ଅନ୍ୟଟି ହେଉଛି ହଂସକେଳି। ଏହି ଦୁଇ ମିଷ୍ଠାନ୍ନ ପ୍ରସାଦ କେମିତି ପ୍ରସ୍ତୁତ ହୁଏ ଆସନ୍ତୁ ଜାଣିବା।
ମାଣ୍ଡୁଅ: ଛେନା, ଅଟା, ଅଳେଇଚ, ଲବଙ୍ଗ, କର୍ପୁର ଓ ଚିନିରେ ପ୍ରସ୍ତୁତ ଗୋଲାକାର ମିଷ୍ଠାନ୍ନ ହେଉଛି ମାଣ୍ଡୁଅ। ଚିନି, ଲବଙ୍ଗ ଓ ଅଳେଇଚ ଭିନ୍ନ ଭିନ୍ନ କରି ଗୁଣ୍ଡ କରି ଚୂରି ଦିଆଯାଏ। ତା ପରେ ଛେନାକୁ ଚିପୁଡି ଏଥିରେ ଅଟା ଅଳ୍ପ ଅଳ୍ପ କରି ଗୋଳାଇ ଦିଆଯାଏ। ଏହି ଗୋଳାରେ ମିଶାଇ ଦିଆଯାଏ ଅଳେଇଚ, ଲବଙ୍ଗ ଓ କର୍ପୁର ଗୁଣ୍ଡ। ଏହି ମିଶ୍ରଣକୁ ଗୁଳା ଗୁଳା କରି କଦଳୀ ପତ୍ରରେ ରଖି ଏହାକୁ ଘିଅରେ ଛଣାଯାଏ ଏବଂ ଶେଷରେ ଏଥିରେ ଚିନି ଗୁଣ୍ଡ ଛିଞ୍ଚି ଦିଆଯାଏ। ମହାପ୍ରଭୁ ଚାପରେ ବିଜେକରି ଜଳକ୍ରୀଡା କରିବା ପରେ ଏହି ସୁସ୍ୱାଦୁ ମାଣ୍ଡୁଅ ପ୍ରସାଦ ଭାବେ ଗ୍ରହଣ କରିଥାନ୍ତି।
ହଂସକେଳି: ଏହି ନାଁରୁ ହିଁ ଆପଣ ବାରି ପାରୁଥିବେ ଏହି ସୁନ୍ଦର ଓ ସୁସ୍ୱାଦୁ ଦିବ୍ୟ ବ୍ୟଞ୍ଜନର ସ୍ୱରୂପକୁ। ବାସ୍ତବରେ ପାଣିରେ ହଂସଟିଏ ପହଁରିବା ବେଳେ ଯେଉଁ ଜଳ ତରଙ୍ଗ ସୃଷ୍ଟି ହୁଏ ତାହାର ପ୍ରତିକୃତି ହେଉଛି ଏହି ବ୍ୟଞ୍ଜନ। ବିରି, ନଡିଆ, ଚାଉଳ ଚୂନା, ଗୁଡ଼, କର୍ପୁର ଓ ଅଳେଇଚରେ ଏହି ଦିବ୍ୟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ।
ପ୍ରଥମେ ନଡ଼ିଆ କୋରାଯାଇ ରଖାଯାଏ। ଏହାକୁ ଗୁଡ଼ ପାଗରେ ପକାଇ କର୍ପୁର ଓ ଅଳେଇଚ ଗୋଲାଇ ପୁର ପ୍ରସ୍ତୁତ କରାଯାଏ। ଏହାପରେ ଚାଉଳ ଚୂନା ଓ ବିରି ମିଶାଇ ମଣ୍ଡାପିଠା ଭଳି ଆକୃତି ଦିଆଯାଏ। ଏହା ମଧ୍ୟରେ ଉପରୋକ୍ତ ପୁର ପକାଇ ଘିଅରେ ଛଣାଯାଏ। ମାଣ୍ଡୁଅ ସହ ଏହାକୁ ମହାପ୍ରଭୁଙ୍କ ସମ୍ମୁଖରେ ପରସି ଦିଆଯାଏ। ଏହି ପ୍ରସାଦ ପାଇବା ପରେ ଠାକୁରମାନେ ପୁନଃ ରାତିଚାପକୁ ବିଜେ କରିଥାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।