ନୂଆଦିଲ୍ଲୀ: ମାର୍ଚ୍ଚ ୨୩ ତାରିଖକୁ ଆମେ ସହିଦ୍ ଦିବସ ରୂପେ ପାଳନ କରିଥାଉ। ୧୯୩୧ ମସିହା ଆଜିର ଦିନରେ ଭଗତ୍ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ଫାସୀ ଦିଆଯାଇଥିଲା। ଫାସୀ ଦିଆଯିବା ବେଳେ ମଧ୍ୟ ସେ ହସୁଥିଲେ। ଦେଶର ସ୍ୱାଧୀନତା ପାଇଁ ସେମାନେ ନିଜ ପ୍ରାଣକୁ ଉତ୍ସର୍ଗ କରି ଦେଇଥିଲେ। ଏପରିକି ମୃତ୍ୟୁ ପୂର୍ବରୁ ସେମାନେ ପୁଣିଥରେ ଏହି ଦେଶରେ ଜନ୍ମ ଦେବାକୁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ଭଗତ୍ ସିଂହ ଓ ତାଙ୍କ ସାଥୀମାନଙ୍କୁ ଯେଉଁଦିନ ଫାସୀ ଦିଆଗଲା, ଜେଲ୍ର ସମସ୍ତ କଏଦୀଙ୍କ ଆଖି ଲୁହରେ ଭରିଯାଇଥିଲା। ଏପରିକି ଜେଲ୍ର କର୍ମଚାରୀ ଓ ଅଧିକାରୀଙ୍କ ହାତ ଥରି ଉଠିଥିଲା ଫାସୀ ଦେବାକୁ। ଭଗତ୍ ସିଂହ ୧୯୦୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଆଜି ସହିଦ ଦିବସରେ ଆମେ ଆପଣଙ୍କୁ ଭଗତ୍ ସିଂହଙ୍କ ଶେଷ ଚିଠି ବିଷୟରେ କହିବୁ, ଯାହା ସେ ଫାସୀ ଦିଆଯିବା ପୂର୍ବଦିନ ଲେଖିଥିଲେ।
ଚିଠିରେ ଲେଖାଥିଲା, “ସାଥୀମାନେ ମୋର ବି ବଞ୍ଚିବାକୁ ଇଚ୍ଛା ଅଛି, ଏ କଥା ମୁଁ ଲୁଚାଇବାକୁ ଚାହୁଁ ନାହିଁ। କିନ୍ତୁ ମୁଁ କଏଦୀ ହୋଇ ବଞ୍ଚି ପାରିବିନାହିଁ। ମୋର ନାଁ ଭାରତରେ କ୍ରାନ୍ତିର ପ୍ରତୀକ ହୋଇସାରିଲାଣି। କ୍ରାନ୍ତିକାରୀ ଦଳର ଆଦର୍ଶ ମୋତେ ବହୁତ ଉଚ୍ଚସ୍ଥାନକୁ ଉଠାଇ ଦେଇଛି। ଏତେ ଉଚ୍ଚ ଯେ, ଜୀବିତ ରହିଲେ ବି ମୁଁ ସେହି ସ୍ଥାନରେ ପହଞ୍ଚି ପାରିବିନି। ମୁଁ ହସି ହସି ଫାସୀ ଖୁଣ୍ଟରେ ଝୁଲିବା, ଦେଶ ପାଇଁ ପ୍ରାଣବଳୀ ଦେଉଥିବା ସହିଦଙ୍କ ସଂଖ୍ୟା ଏତେ ବଢ଼ାଇ ଦେବ ଯେ, କ୍ରାନ୍ତିକୁ ଆଉ ରୋକିହବ ନାହିଁ। ଆଜିକାଲି ମୋତେ ନିଜ ଉପରେ ବହୁତ ଗର୍ବ ଅନୁଭବ ହେଉଛି। ଏବେ ତ ମୁଁ ଉତ୍ସାହର ସହ ଅନ୍ତିମ ପରୀକ୍ଷାର ଅପେକ୍ଷା କରିଛି। କାମନା କରୁଛି ଯେ ଏହା ଅତି ଶୀଘ୍ର ଆସିଯାଉ।”
କୁହାଯାଏ ଯେ, ଫାସୀ ବେଳେ ଭଗତ୍ ସିଂହ ‘ଇନ୍କଲାବ୍ ଜିନ୍ଦାବାଦ୍’ ନାରା ଦେଇଥିଲେ। ଏହି ନାରା ଦେଇ ସେ ଦେଶବାସୀଙ୍କୁ କହିଥିଲେ, “ମୁଁ ଏହା ମାନି ଯାଉଛି ଯେ ଆପମମାନେ ବାସ୍ତବରେ ଏହା ହିଁ ଚାହୁଁଛନ୍ତି। ଏବେ ଆପଣଙ୍କୁ କେବଳ ନିଜ କଥା ଭାବିବା ବନ୍ଦ କରିବାକୁ ହେବ। ବ୍ୟକ୍ତିଗତ ଆରାମର ସ୍ୱପ୍ନ ଛାଡ଼ି ଆମକୁ ଆଗକୁ ବଢ଼ିବାକୁ ହେବ। ଆଉ ଏଥିପାଇଁ ଅଦମ୍ୟ ସାହସ ଓ ଦୃଢ ସଙ୍କଳ୍ପ ଦରକାର। କୌଣସି ବି ବାଧା ଆପଣଙ୍କୁ ନ ରୋକିପାରୁ। କୌଣସି ବି ବିଶ୍ୱାସଘାତରୁ ଆପଣଙ୍କ ହୃଦୟ ନ ଭାଙ୍ଗୁ। କଷ୍ଟ ଓ ବଳୀଦାନ ଦେଇ ହିଁ ଆପଣଙ୍କୁ ବିଜୟ ଲାଭ ହେବ। ”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।