ସୁନ୍ଦରଗଡ଼: ଇଣ୍ଡିଆନ୍ ବ୍ୟାଙ୍କ ଶାଖାରୁ ୧୪ ଲକ୍ଷ ଟଙ୍କା ଓ ୯ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍

ରାଉରକେଲା: ସୁନ୍ଦରଗଡ଼ସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କ ଶାଖାରେ ଆଜି ହୋଇଛି ସଶସ୍ତ୍ର ଡକାୟତି। ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି ପ୍ରାୟ ୧୪ ଲକ୍ଷ ଟଙ୍କା। ଏହା ସହିତ ବ୍ୟାଙ୍କର ଷ୍ଟ୍ରଙ୍ଗରୁମରୁ ୯ ଲକ୍ଷ ଟଙ୍କାର ସୁନାଗହଣା ମଧ୍ୟ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏପରିକି ଗଲା ବେଳେ ସେମାନେ ବ୍ୟାଙ୍କରେ ଲାଗିଥିବା ସିସିଟିଭି ରେକର୍ଡରକୁ ମଧ୍ୟ ନେଇଯାଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ସୁନ୍ଦରଗଡ଼ର ମିଶନ୍ ରୋଡରେ ଥିବା ଇଣ୍ଡିଆନ୍ ବ୍ୟାଙ୍କର ଏହି ଶାଖାରେ ଆଜି […]

loot

Rakesh Mallick
  • Published: Thursday, 24 September 2015
  • , Updated: 24 September 2015, 03:21 PM IST

ରାଉରକେଲା: ସୁନ୍ଦରଗଡ଼ସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କ ଶାଖାରେ ଆଜି ହୋଇଛି ସଶସ୍ତ୍ର ଡକାୟତି। ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି ପ୍ରାୟ ୧୪ ଲକ୍ଷ ଟଙ୍କା। ଏହା ସହିତ ବ୍ୟାଙ୍କର ଷ୍ଟ୍ରଙ୍ଗରୁମରୁ ୯ ଲକ୍ଷ ଟଙ୍କାର ସୁନାଗହଣା ମଧ୍ୟ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏପରିକି ଗଲା ବେଳେ ସେମାନେ ବ୍ୟାଙ୍କରେ ଲାଗିଥିବା ସିସିଟିଭି ରେକର୍ଡରକୁ ମଧ୍ୟ ନେଇଯାଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ସୁନ୍ଦରଗଡ଼ର ମିଶନ୍ ରୋଡରେ ଥିବା ଇଣ୍ଡିଆନ୍ ବ୍ୟାଙ୍କର ଏହି ଶାଖାରେ ଆଜି ଅପରାହ୍ନ ପ୍ରାୟ ଅଢେଇଟା ବେଳେ ହୋଇଥିଲା ଏହି ଲୁଟପାଟ୍। ମଧ୍ୟାହ୍ନ ଭୋଜନ ପରେ କର୍ମଚାରୀମାନେ ଆସି କାମ କରୁଥିବା ବେଳେ ହଠାତ୍ ବ୍ୟାଙ୍କ ଭିତରକୁ ପଶି ଆସିଥିଲେ ୫ ଜଣ ସଶସ୍ତ୍ର ଲୁଟେରା। ସମସ୍ତଙ୍କ ହାତରେ ଥିଲା ପିସ୍ତଲ।ସେତେବେଳ ବ୍ୟାଙ୍କରେ ୮ ରୁ ୧୦ ଜଣ ଗ୍ରାହକ ମଧ୍ୟ ଉପସ୍ଥିତ ଥିଲେ। ସଶସ୍ତ୍ର ଡକାୟତମାନେ ଉପସ୍ଥିତ ଗ୍ରାହକମାନଙ୍କୁ ଧମକଚମକ ଦେବା ସହିତ କ୍ୟାସ୍ କାଉଣ୍ଟରରେ ଯାଇ ପହଞ୍ଚିଥିଲେ। ସେମାନେ ସବୁ ଟଙ୍କା ଦେଇ ଦେବାକୁ କ୍ୟାସ୍ କାଉଣ୍ଟର ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ କହିଥିଲେ। ସେ ଭୟରେ କ୍ୟାସକାଉଣ୍ଟରରେ ଥିବା ପ୍ରାୟ ୧୪ ଲକ୍ଷ ଟଙ୍କା ଦେଇ ଦେଇଥିଲେ। ତା’ପରେ ଡକାୟତମାନେ ବ୍ୟାଙ୍କ ମ୍ୟାନେଜରଙ୍କୁ ଷ୍ଟ୍ରଙ୍ଗରୁମ୍ ଚାବି ମାଗିଥିଲେ। ଡକାୟତଙ୍କ ହାତରେ ବନ୍ଧୁକ ଦେଖି ବ୍ୟାଙ୍କ ମ୍ୟାନେଜର ଷ୍ଟ୍ରଙ୍ଗରୁମ୍ ଚାବି ଦେଇ ଦେଇଥିଲେ। ଡକାୟତମାନେ ଷ୍ଟ୍ରଙ୍ଗରୁମରେ ଗଚ୍ଛିତ ୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ନେଇ ଯାଇଥିଲେ। ଗଲାବେଳେ ସେମାନେ ବ୍ୟାଙ୍କରେ ଲାଗିଥିବା ସିସିଟିଭିର ରେକର୍ଡରକୁ ମଧ୍ୟ ନେଇ ଯାଇଥିଲେ। ବ୍ୟାଙ୍କ କର୍ମଚାରୀ ଓ ସେଠାରେ ଉପସ୍ଥିତ ଗ୍ରାହକମାନେ କହିଛନ୍ତି ଯେ ଏହି ଡକାୟତମାନେ ଏକ ଚାରି ଚକିଆ ଗାଡ଼ିରେ ଆସିଥିଲେ।

ଡକାୟତମାନଙ୍କ ଲୁଟପାଟ୍ ଶୈଳୀରୁ ପୋଲିସ୍ ଆଶଙ୍କା କରୁଛି ଯେ ସେମାନେ ରାଜ୍ୟ ବାହାରର ହୋଇଥିବେ। ଏହି ଡକାୟତମାନେ ବିହାର କିମ୍ବା ଝାଡ଼ଖଣ୍ଡର ହୋଇଥାଇପାରନ୍ତି ବୋଲି ପୋଲିସ୍ କହୁଛି। ଖବର ପାଇବାର ୧୫ରୁ ୨୦ ମିନିଟ୍ ମଧ୍ୟରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଏହା ସହିତ ସହର ବାହାରକୁ ତଥା ରାଉରକେଲା ସୀମାକୁ ସିଲ୍ କରି ଛାନଭିନ୍ ଚଲାଇଛି ପୋଲିସ୍। ନିଜେ ସୁନ୍ଦରଗଡ଼ ଏସପି ଘଟଣାର ତଦନ୍ତ ଉପରେ ନଜର ରଖିଛନ୍ତି।

Related story