ବିଜେଡି ଟିମ୍‌ ଛତିଶଗଡ଼ରେ ସାରାଡିହ ବ୍ୟାରେଜ ଅଞ୍ଚଳକୁ ନ ଯିବାକୁ ନେଇ ବିବାଦ

ଭୁବନେଶ୍ୱର: ମହାନଦୀ ଉପରେ ଛତିଶଗଡ଼ ସରକାର ନିମାଣ କରୁଥିବା ପ୍ରକଳ୍ପ ସ୍ଥଳ ପରିଦର୍ଶନରେ ଯାଇଥିବା ବିଜେଡି ଟିମ୍‌କୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ବିଜେଡି ଟିମ୍‌ ଛତିଶଗଡ଼ ଯାଇଥିବା ବେଳେ ସାରାଡିହ ବ୍ୟାରେଜ ପରିଦର୍ଶନ ନ କରିବାକୁ ନେଇ ଏହି ପ୍ରଶ୍ନ ଉଠିଛି। ରାଜ୍ୟ ସରକାରଙ୍କ ପାଣି ମାପକ କାର୍ଯ୍ୟାଳୟ ସାରାଡିହରେ ଥିବା ବେଳେ କାହିଁକି ବିଜେଡି ଟିମ୍‌ ସେଠାକୁ ଗଲେନାହିଁ ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ମହାନଦୀ ଉପରମୁଣ୍ଡରେ ଥିବା ଛତିଶଗଡ଼ର ବସନ୍ତପୁର […]

mahanadi

Rakesh Mallick
  • Published: Sunday, 14 August 2016
  • , Updated: 14 August 2016, 11:20 PM IST

ଭୁବନେଶ୍ୱର: ମହାନଦୀ ଉପରେ ଛତିଶଗଡ଼ ସରକାର ନିମାଣ କରୁଥିବା ପ୍ରକଳ୍ପ ସ୍ଥଳ ପରିଦର୍ଶନରେ ଯାଇଥିବା ବିଜେଡି ଟିମ୍‌କୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ବିଜେଡି ଟିମ୍‌ ଛତିଶଗଡ଼ ଯାଇଥିବା ବେଳେ ସାରାଡିହ ବ୍ୟାରେଜ ପରିଦର୍ଶନ ନ କରିବାକୁ ନେଇ ଏହି ପ୍ରଶ୍ନ ଉଠିଛି। ରାଜ୍ୟ ସରକାରଙ୍କ ପାଣି ମାପକ କାର୍ଯ୍ୟାଳୟ ସାରାଡିହରେ ଥିବା ବେଳେ କାହିଁକି ବିଜେଡି ଟିମ୍‌ ସେଠାକୁ ଗଲେନାହିଁ ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ମହାନଦୀ ଉପରମୁଣ୍ଡରେ ଥିବା ଛତିଶଗଡ଼ର ବସନ୍ତପୁର ଓ କଲମା ବ୍ୟାରେଜକୁ ବିଜେଡି ଟିମ୍‌ ଅନୁଧ୍ୟାନ ପାଇଁ ଯାଇଥିଲେ। କିନ୍ତୁ ଏହି ଦୁଇ ବ୍ୟାରେଜ ମଧ୍ୟରେ ଥିବା ସାରାଡିହ ବ୍ୟାରେଜକୁ ଟିମ୍‌ ଯାଇ ନ ଥିଲା। ସାରାଡିହରେ ଓଡ଼ିଶା ଜଳସମ୍ପଦ ବିଭାଗର ପାଣିମାପକ କାର୍ଯ୍ୟାଳୟ ରହିଛି। ଟିମ୍‌ ଗସ୍ତ ବେଳେ ସାରାଡିହରେ ଛତିଶଗଡ଼ ଜନତା କଂଗ୍ରେସ ପକ୍ଷରୁ ଜଳ ସତ୍ୟାଗ୍ରହ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଟିମ୍‌ ସେଠାକୁ ଯାଇ ନ ଥିବା କୁହାଯାଉଛି।

ଅନ୍ୟପକ୍ଷରେ ଟିମ୍‌ ସେଠାକୁ ଯାଇଥିଲେ ରାଜ୍ୟ ସରକାରଙ୍କ ମିଛ ପଦାରେ ପଡିଯାଇଥାନ୍ତା ବୋଲି ମଧ୍ୟ ଚଚ୍ଚର୍ର ଜୋର ଧରିଛି। ସାରାଡିହରେ ନିଜର ଅଫିସ୍‌ ଥାଇ ମଧ୍ୟ ରାଜ୍ୟ ସରକାର ଛତିଶଗଡ଼ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ବିଷୟରେ କିପରି ଜାଣିପାରିଲେ ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି। ଟିମ୍‌ ସେଠାକୁ ଯିବାକୁ ପୂର୍ବରୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଶେଷ ମୂହୁର୍ତ୍ତରେ ବାତିଲ କରାଯାଇଥିଲା।

ବିଜେଡି ଟିମ୍‌ ସାରାଡିହ ନ ଯିବାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ପ୍ରଶ୍ନ ଉଠାଇଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ସେଠାରେ ଅଛି। ୨୦୦୧ରୁ ରାଜ୍ୟ ସରକାର ସମସ୍ତ ବିଷୟରେ ଅବଗତ ଥିବା ପ୍ରମାଣିତ ହୋଇସାରିଛି। ସେଥିପାଇଁ ବୋଧ ହୁଏ ପଛଘୁଞ୍ଚା ଦେଉଛନ୍ତି।”

ବିଜେପି ଉପ ସଭାପତି ସମୀର ମହାନ୍ତି କହିଛନ୍ତି, “ସାରାଡିହ କାହିଁକି ଗଲେନାହିଁ। ସେଠାକୁ ଯାଇଥିଲେ ସେମାନଙ୍କ ମିଛ ଧରା ପଡିଯାଇଥାନ୍ତା। ସାଂସଦ, ବିଧାୟକ ଓ ନେତା କ’ଣ ଆକଳନ କରିବେ? ଏହା ପ୍ରହସନ ଛଡା ଆଉ କିଛି ନୁହେଁ।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ସାରାଡିହ ନ ଯିବା ନେଇ ଯେଉଁ ଯୁକ୍ତି କରାଯାଉଛି ସମ୍ପୂର୍ଣ୍ଣ ଭୁଲ। ଯେତିକି ସମ୍ଭବ ଆମେ ବୁଲିଛୁ। ସମୟର ଅଭାବରୁ ଆମେ ସେଠାକୁ ଯାଇପାରିନାହୁଁ।”

ଛତିଶଗଡ଼ ସରକାର ନିର୍ମାଣ କରୁଥିବା ପ୍ରକଳ୍ପ ଯୋଗୁଁ ଓଡ଼ିଶାର ବ୍ୟାପକ କ୍ଷତି ହେବ ବୋଲି ବିଜେଡି ଟିମ୍‌ ଆଶଙ୍କା କରୁଛି। ଛତିଶଗଡ଼ରୁ ଫେରିବା ପରେ ଟିମ୍‌ ସଦସ୍ୟଙ୍କୁ ନେଇ ଦୁଇ ଥର ବୈଠକ ବସିଲାଣି। ହେଲେ ରିପୋର୍ଟ ଚୂଡାନ୍ତ ହୋଇପାରୁନାହିଁ। ତେବେ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କମିଟି ଅଧ୍ୟକ୍ଷ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

Related story