ମହାଜନୀ ଜାଲରେ ଛନ୍ଦି ହୋଇଛି ଚାଷୀ

ଭୁବନେଶ୍ୱର(ରାଜକିଶୋର ବେହେରା): ପ୍ରଥମେ ବରଗଡ଼, ପରେ ବାଲେଶ୍ୱର ଏବେ ବୌଦ୍ଧ ଜିଲ୍ଲାରୁ ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ। କେବଳ ପ୍ରାକୃତିକ ଦୁର୍ବିପାକ ନୁହେଁ ପ୍ରଶାସନିକ ଅପରାଗତା ଯୋଗୁଁ ଜଣଙ୍କ ପରେ ଜଣେ ଚାଷୀଙ୍କ ଜୀବନ ଚାଲିଯାଉଛି। ପ୍ରଶାସନିକ ବ୍ୟବସ୍ଥାରେ ଅବ୍ୟସ୍ଥା ଚାଷୀଙ୍କୁ ମହାନଜଙ୍କ ପାଖକୁ ଯିବାକୁ ବାଧ୍ୟ କରୁଛି। ମହାଜନୀ ଜାଲ୍‌ରେ ଛନ୍ଦି ହୋଇ ଚିନ୍ତାଗ୍ରସ୍ତ ଚାଷୀ ଶେଷରେ ମୃତ୍ୟୁକୁ ଶେଷ ବାଟ ଭାବେ ବାଛି ନେଉଛନ୍ତି। ବାଲେଶ୍ୱର ଜିଲ୍ଲା ପାଖରାବଡ଼ା ଗାଁରେ ଚାଷୀ ସୁଦାମ ଖଟୁଆଙ୍କ […]

sudam

Rakesh Mallick
  • Published: Thursday, 16 March 2017
  • , Updated: 16 March 2017, 10:30 PM IST

ଭୁବନେଶ୍ୱର(ରାଜକିଶୋର ବେହେରା): ପ୍ରଥମେ ବରଗଡ଼, ପରେ ବାଲେଶ୍ୱର ଏବେ ବୌଦ୍ଧ ଜିଲ୍ଲାରୁ ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ। କେବଳ ପ୍ରାକୃତିକ ଦୁର୍ବିପାକ ନୁହେଁ ପ୍ରଶାସନିକ ଅପରାଗତା ଯୋଗୁଁ ଜଣଙ୍କ ପରେ ଜଣେ ଚାଷୀଙ୍କ ଜୀବନ ଚାଲିଯାଉଛି। ପ୍ରଶାସନିକ ବ୍ୟବସ୍ଥାରେ ଅବ୍ୟସ୍ଥା ଚାଷୀଙ୍କୁ ମହାନଜଙ୍କ ପାଖକୁ ଯିବାକୁ ବାଧ୍ୟ କରୁଛି। ମହାଜନୀ ଜାଲ୍‌ରେ ଛନ୍ଦି ହୋଇ ଚିନ୍ତାଗ୍ରସ୍ତ ଚାଷୀ ଶେଷରେ ମୃତ୍ୟୁକୁ ଶେଷ ବାଟ ଭାବେ ବାଛି ନେଉଛନ୍ତି। ବାଲେଶ୍ୱର ଜିଲ୍ଲା ପାଖରାବଡ଼ା ଗାଁରେ ଚାଷୀ ସୁଦାମ ଖଟୁଆଙ୍କ ଆତ୍ମହତ୍ୟା ଅଭିଯୋଗ ଆସିବା ପରେ ଓଟିଭି ଗ୍ରାଉଣ୍ଡ ଜିରୋରେ ପରଖି ଥିଲା ବାସ୍ତବ ଚିତ୍ର।

ସୁଦାମଙ୍କ ଘର ଲୋକଙ୍କ କହିବା ଅନୁସାରେ ପରିବା ଚାଷ ପାଇଁ ସୁଦାମ କାହାଠାରୁ ବାର୍ଷିକ ୬୦ ପ୍ରତିଶତ ତ ଆଉ କାହାଠାରୁ ୮୦ ପ୍ରତିଶତ ସୁଧରେ ଟଙ୍କା ଆଣି ଖଟାଇଥିଲେ। ଗଜଲକ୍ଷ୍ମୀ ପୂଜା କମିଟିରୁ ୧୦,୦୦୦ ଟଙ୍କା ନେଇ ବର୍ଷକ ଭିତରେ ୧୬,୦୦୦ ଟଙ୍କା ଫେରାଇ ଦେଇଥିଲେ।

ଲକ୍ଷ୍ମୀନାରାୟଣ କମିଟିରୁ ୧୦,୦୦୦ ନେଇ ୧୮,୦୦୦ ଓ ପଡ଼ୋଶୀ ମମତା ଖଟୁଆଙ୍କ ଠାରୁ ୧୫,୦୦୦ ନେଇ ୨୫,୦୦୦ ସହ ଏମିତି ପ୍ରାୟ ଏକ ଲକ୍ଷ ଟଙ୍କା ଶୁଝିବାର ଥିଲା।

ମୃତ ସୁଦାମଙ୍କ ମାଆ ମନୋରମା ଖଟୁଆ କହିଛନ୍ତି,“ମହାଜନୀ କାରବାର ଚାଲେ। ଯେଉଁମାନଙ୍କର ଅଛି ସେମାନଙ୍କ ପାଖରୁ ଆଣି ଚାଷ କରୁ। ଫସଲ ଅମଳ ହେବା ପରେ ଆମେ ଦେଇଦେଉ। କିଛିଦିନ ଆଗରୁ ଯେଉଁମାନେ ଟଙ୍କା ଦେଇଥିଲେ ମାଗିଥିଲେ। ସେ ଘରେ ଆସି କହୁଥିଲା ଲୋକେ ତାକୁ ବାଟରେ ଅପମାନିତ କରିଛନ୍ତି।”

ଧାର ଦେଇଥିବା ମମତା ଖଟୁଆ କହିଛନ୍ତି,“ପରିବା ଅମଳ ହେବା ପରେ ଟଙ୍କା ଦେଇ ଦେବ ବୋଲି କହିଥିଲା। ବହୁତ ଥର ମାଗିଥିଲି। ଆଜି ଦେବି କାଲି ଦେବି ବୋଲି କହୁଥିଲା। ହେଲେ ବିଷ ଖାଇ ଦେଲା।”

ଭାଗକୁ ଜମି ଆଣି ହାତ ଉଧାରିରେ ବୁଡି ପ୍ରାୟ ୨ ଏକର ଜମିରେ ସୁଦାମ ପରିବା ଚାଷ କରିଥିଲେ। ବର୍ଷା ଯୋଗୁଁ କଲରା କିଆରି ଉଜୁଡି ଗଲା। ଲଙ୍କା ଭଲ ଫଳିଥିଲା। ହେଲେ ବଜାରରେ ଲଙ୍କା କିଲୋ ୪୦ ଟଙ୍କା ଥିବା ବେଳେ ବେପାରୀ ୫ ଟଙ୍କାରେ ବି ଲଙ୍କା ନେଲେ ନାହିଁ। ଏଭଳି ସ୍ଥିତିରେ ପରିବାର କେମିତି ଚଳିବ, ହାତ ଉଧାରି କେମିତି ଶୁଝିବ ସେହି ଚିନ୍ତାରେ ସୁଦାମ ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗ ହେଉଛି।

ଏସବୁ ଭିତରେ ଜିଲ୍ଲା ପ୍ରଶାସନ ଗାଁକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ସଦର ତହସିଲଦାର ରଶ୍ମୀରେଖା ଖଟୁଆ କହିଛନ୍ତି,“ସୁଦାମ କାହା ପାଖରୁ ଟଙ୍କା ନେଇଛନ୍ତି ତାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ। ଏନେଇ ମୋତେ ନିର୍ଦ୍ଦେଶ ଦିଆଯାଇଛି।”

ଜିଲ୍ଲାପାଳ ପ୍ରମୋଦ ଦାସ କହିଛନ୍ତି,“ମୃତ ସୁଦାମଙ୍କ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରି ତାଙ୍କ ଅବସ୍ଥା ବୁଝିଲି। ଅନ୍ୟ ଅଧିକାରୀମାନେ ଆସିଛନ୍ତି, ତାଙ୍କ ଆର୍ଥୀକ ଅବସ୍ଥା ଓ ଅନ୍ୟ ଦିଗ ଉପରେ ବୁଝାବୁଝି କରୁଛନ୍ତି।”

Related story