ମହାନଦୀ ପ୍ରସଙ୍ଗରେ ଆଇନର ଆଶ୍ରୟ ନେବାକୁ ସରକାରଙ୍କୁ ବିଜେଡିର ପ୍ରସ୍ତାବ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ତୁରନ୍ତ ଆଇନର ଆଶ୍ରୟ ନେବାକୁ ସରକାରଙ୍କୁ ଅନୁରୋଧ କରିଛି ବିଜେଡି। ଆଜି ଦଳ ପକ୍ଷରୁ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି କଥା କୁହାଯାଇଛି। ବିଜେଡିର ବରିଷ୍ଠ ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ମହାନଦୀ ପ୍ରସଙ୍ଗରେ ରାଜ୍ୟର ଦାବି ସଂପର୍କରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ଚିଠିର ଉତ୍ତର ଦେଲେ ନାହିଁ। ମୁଖ୍ୟମନ୍ତ୍ରୀ କରିଥିବା ଦାବି ଅନୁଯାୟୀ ଏହି ପ୍ରସଙ୍ଗରେ କୌଣସି ପ୍ରତିକାର ବ୍ୟବସ୍ଥା […]

surya

Rakesh Mallick
  • Published: Thursday, 27 October 2016
  • , Updated: 27 October 2016, 07:24 PM IST

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ତୁରନ୍ତ ଆଇନର ଆଶ୍ରୟ ନେବାକୁ ସରକାରଙ୍କୁ ଅନୁରୋଧ କରିଛି ବିଜେଡି। ଆଜି ଦଳ ପକ୍ଷରୁ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି କଥା କୁହାଯାଇଛି।

ବିଜେଡିର ବରିଷ୍ଠ ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ମହାନଦୀ ପ୍ରସଙ୍ଗରେ ରାଜ୍ୟର ଦାବି ସଂପର୍କରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ଚିଠିର ଉତ୍ତର ଦେଲେ ନାହିଁ। ମୁଖ୍ୟମନ୍ତ୍ରୀ କରିଥିବା ଦାବି ଅନୁଯାୟୀ ଏହି ପ୍ରସଙ୍ଗରେ କୌଣସି ପ୍ରତିକାର ବ୍ୟବସ୍ଥା କଲେ ନାହିଁ କି ଆଲୋଚନା କରିବାକୁ ଆଗେଇ ଆସିଲେ ନାହିଁ। ତେଣୁ ଏ ପ୍ରସଙ୍ଗରେ ସରକାର ତୁରନ୍ତ ଆଇନର ଆଶ୍ରୟ ନିଅନ୍ତୁ ବୋଲି ଆଜି ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରୁଛୁ। ସରକାର ସୁପ୍ରିମ୍‌କୋର୍ଟ ଅବା ଟ୍ରିବ୍ୟୁନାଲର ଆଶ୍ରୟ ନିଅନ୍ତୁ।”

ମହାନଦୀ ପ୍ରସଙ୍ଗରେ ସରକାରଙ୍କୁ ତୁରନ୍ତ ଆଇନର ଆଶ୍ରୟ ନେବାକୁ ପ୍ରସ୍ତାବ ଦେଇଥିବା ବିଜୁ ଜନତା ଦଳ ଏନେଇ ତା’ର ରାଜନୈତିକ କାର୍ଯ୍ୟକ୍ରମକୁ ମଧ୍ୟ ଆଗେଇ ନେବାକୁ ଅଣ୍ଟା ଭିଡ଼ିଛି।

ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ମହାନଦୀ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ସଚେତନ କରାଯିବ। ରାଜ୍ୟରେ ଚାରି କୋଟି ଛତିଶ ଲକ୍ଷ ଲୋକ ଥିବା ବେଳେ ୮୬ ଲକ୍ଷ ଘର ରହିଛି। ପ୍ରତ୍ୟେକ ଘରୁ ଜଣେ ଲେଖାଏଁ ସଦସ୍ୟଙ୍କ ଦସ୍ତଖସ୍ତ ସଂଗ୍ରହ କରାଯିବ। ମୋଟ ୮୬ ଲକ୍ଷ ଦସ୍ତଖସ୍ତ ସଂଗ୍ରହ କରାଯାଇ ରାଷ୍ଟ୍ରପତିଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ।”

ସେ କହିଛନ୍ତି ଯେ ଗୋଟିଏ ପର୍ଯ୍ୟାୟରେ ଏହି କାର୍ଯ୍ୟ ଶେଷ କରିବା ପରେ ଦ୍ୱିତୀୟ ପର୍ଯ୍ୟାୟ ଏକ ମାନବଶୃଙ୍ଖଳ ଗଠନ କରାଯିବ।

ପାତ୍ର କହିଛନ୍ତି,“ହୀରାକୁଦଠାରୁ ପାରାଦୀପ ପର୍ଯ୍ୟନ୍ତ ଏହି ମାନବଶୃଙ୍ଖଳ ଗଠନ କରାଯିବ। ମହାନଦୀର କୂଳେ କୂଳେ ଥିବା ଗାଁ, ସହର, ଏନ୍‌ଏସିରେ ଏହି ମାନବଶୃଙ୍ଖଳ କରାଯିବ। ଏଥିରେ ଦଳର କର୍ମୀ, ମହିଳା, ଛାତ୍ରଛାତ୍ରୀ ଓ ପୂରା ରାଜ୍ୟବାସୀଙ୍କୁ ସାମିଲ କରାଯିବ।”

ସେ କହିଛନ୍ତି,“ନଭେମ୍ବର ୭ ତାରିଖରେ ଭୁବନେଶ୍ୱରରେ ଦଳର ସମସ୍ତ ସାଂସଦ, ବିଧାୟକ ଓ ଜିଲ୍ଲା ସଭାପତିଙ୍କୁ ନେଇ ଏକ ବୈଠକ କରାଯିବ। ଏଥିରେ ଦସ୍ତଖତ ଅଭିଯାନ ସଂପର୍କରେ ଆଲୋଚନା କରାଯିବ। ସେହିପରି ମାନବଶୃଙ୍ଖଳ କେବେ କରାଯିବ ସେ ନେଇ ଆଲୋଚନା କରାଯିବ।”

ମହାନଦୀ ପ୍ରସଙ୍ଗରେ ବିଜେଡି ପ୍ରଧାନମନ୍ତ୍ରୀଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା କଥାକୁ ବିଜେପି ଗ୍ରହଣ କରିପାରି ନ ଥିବା ବେଳେ କଂଗ୍ରେସ ସମାଲୋଚନା କରିଛି।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ମହାନଦୀ ପ୍ରସଙ୍ଗରେ ବିଜେଡି ନାଟକ କରୁଛି। ଏହାର ସମାଧାନ ଚାହୁଁନି। ଏହି ପ୍ରସଙ୍ଗକୁ ଉପଯୁକ୍ତ ଫୋରମରେ ଦାବି ଉଠାଉ ନାହାନ୍ତି ରାଜ୍ୟ ସରକାର। ମହାନଦୀ ସମସ୍ୟାର ସମାଧାନ ପ୍ରଧାନମନ୍ତ୍ରୀଙ୍କ ହାତରେ ନାହିଁ। କେନ୍ଦ୍ର ସରକାର ଏଥିରେ କେବଳ ରେଫରୀ ଭୂମିକା ନିର୍ବାହ କରିପାରିବେ। ତେଣୁ ରାଜ୍ୟର ଚାଷ ବଞ୍ଚାଇବା ପାଇଁ ସରକାର ଠିକ୍ ଫୋରମକୁ ଯାଇ ଏ ପ୍ରସଙ୍ଗରେ ଲଢ଼େଇ କରନ୍ତୁ। ରାଜନୀତି କରିବା ଛାଡ଼ନ୍ତୁ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“କେନ୍ଦ୍ର ସରକାରଙ୍କ ପାଖରେ ଓଡ଼ିଶାର ଦାବି ଠିକ୍ ଭାବେ ଉପସ୍ଥାପନ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ବିଜେଡି ସରକାରରେ ଅଛି। ସରକାରରେ ଥାଇ ମଧ୍ୟ ସେମାନେ ବିରୋଧୀ ଦଳ ଭୂମିକା ନିଭାଉଛନ୍ତି। ଏହା ଦୁର୍ଭାଗ୍ୟଜନକ।”

ବିଜେଡିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ମୁଖପାତ୍ର ପ୍ରତାପ ଦେବ ମଧ୍ୟ ଉପସ୍ଥିତ ଥିଲେ।

Related story