ମହାରାଷ୍ଟ୍ରରେ ୫୦୦ ଚାଷୀ ମଲେଣି, ଓଡ଼ିଶାରେ ଶହେ ଟପିନି: ପ୍ରସନ୍ନ ପାଟ୍ଟଶାଣୀ

ଖୋର୍ଦ୍ଧା: ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବୁଧବାର ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ସେ କହିଛନ୍ତି, ‘ଚାଷୀ ମୃତ୍ୟୁ ଆମଠାରୁ (ଓଡ଼ିଶାଠାରୁ) ଅଧିକ ହୋଇଛି ବିଜେପି ଓ ଶିବସେନା ଦ୍ୱାରା ଶାସିତ ମହାରାଷ୍ଟ୍ରରେ। ସେଠାରେ ୫୦୦ରୁ ଅଧିକ ମଲେଣି। ଆମର (ଓଡ଼ିଶାର) ତ ୧୦୦ ଟପିନି। କାହିଁ ଏଇଟା ତ ଆଗକୁ ଆସୁନି।’ ଚାଷୀ ଆତ୍ମହତ୍ୟା ନେଇ ରାଜ୍ୟ ସରକାର ଶ୍ୱେତପତ୍ର ଆଣନ୍ତୁ ବୋଲି ଗତକାଲି କହିଥିବା ପାଟ୍ଟଶାଣୀ ଆଜି ଖୋର୍ଦ୍ଧାରେ ଏକ […]

prasanna

Rakesh Mallick
  • Published: Wednesday, 18 November 2015
  • , Updated: 18 November 2015, 11:57 AM IST

ଖୋର୍ଦ୍ଧା: ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବୁଧବାର ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ସେ କହିଛନ୍ତି, ‘ଚାଷୀ ମୃତ୍ୟୁ ଆମଠାରୁ (ଓଡ଼ିଶାଠାରୁ) ଅଧିକ ହୋଇଛି ବିଜେପି ଓ ଶିବସେନା ଦ୍ୱାରା ଶାସିତ ମହାରାଷ୍ଟ୍ରରେ। ସେଠାରେ ୫୦୦ରୁ ଅଧିକ ମଲେଣି। ଆମର (ଓଡ଼ିଶାର) ତ ୧୦୦ ଟପିନି। କାହିଁ ଏଇଟା ତ ଆଗକୁ ଆସୁନି।’ ଚାଷୀ ଆତ୍ମହତ୍ୟା ନେଇ ରାଜ୍ୟ ସରକାର ଶ୍ୱେତପତ୍ର ଆଣନ୍ତୁ ବୋଲି ଗତକାଲି କହିଥିବା ପାଟ୍ଟଶାଣୀ ଆଜି ଖୋର୍ଦ୍ଧାରେ ଏକ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି କଥା କହିଛନ୍ତି। ତା’ସହିତ ଗତକାଲି ସେ ଦେଇଥିବା ମନ୍ତବ୍ୟରେ ଦୃଢ଼ ରହିଛନ୍ତି। ସେ କହିଛନ୍ତି ଯେ ତାଙ୍କ ମନ୍ତବ୍ୟକୁ କଦାର୍ଥ କରାଯାଇଛି। ସେଥିରେ ସେ କିଛି କରିପାରିବେ ନାହିଁ। ଚାଷୀ ମୃତ୍ୟୁ ଘଟଣା ସତ୍ୟ। ଚାଷୀ ମୃତ୍ୟୁକୁ ଯିଏ ବିରୋଧ କରିବ ତା’ଠାରୁ ବୋକା ଆଉ କେହି ନାହିଁ ଏହି ପୃଥିବୀରେ। ଓଡ଼ିଶାର ସଂସ୍କୃତି ହେଉଛି କୃଷି ଭିତ୍ତିକ। କୃଷକ ହେଉଛି ଓଡ଼ିଆ ଜାତିର ପ୍ରାଣ। ଜଣେ ଚାଷୀର ମୃତ୍ୟୁକୁ ବି ଗୁରୁତ୍ୱର ସହିତ ନିଅନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ମରୁଡ଼ି ସମୟରେ ସେ ୧୦୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଦେଶର କେଉଁ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହା ସହିତ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ପାଟ୍ଟଶାଣୀ। ସେ କହିଛନ୍ତି ଯେ ରାଜ୍ୟରେ ମରୁଡ଼ି ସ୍ଥିତି ସଂପର୍କରେ ରିପୋର୍ଟ ଦେବା ପାଇଁ କେନ୍ଦ୍ର ସରକାର ଏକ ଟିମ୍ ପଠାଇଥିଲେ। ଏହି ଟିମ୍ ରାଜ୍ୟରେ ମରୁଡ଼ି ହୋଇଛି ବୋଲି ରିପୋର୍ଟ ଦେଇଛି। କିନ୍ତୁ କେନ୍ଦ୍ର ସରକାର ଏଯାଏଁ ଟଙ୍କାଟିଏ ବି ସାହାଯ୍ୟ କରି ନାହାନ୍ତି। ଜମ୍ମୁ ଓ କାଶ୍ମୀର ପାଇଁ ସହାୟତା ଘୋଷରା କରୁଛନ୍ତି କିନ୍ତୁ ଓଡ଼ିଶାକୁ କାହିଁକି ଦେଉ ନାହାନ୍ତି?

ସେହିପରି ଚାଷୀ ମୃତ୍ୟୁ ନେଇ ଶ୍ୱେତପତ୍ର ପ୍ରକାଶ କରିବାକୁ କହି ସେ କିଛି ଭୁଲ୍ କରି ନାହାନ୍ତି ବୋଲି ଦାବି କରିଛନ୍ତି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ସେ କହିଛନ୍ତି,‘ ମୁଁ କିଛି ଭୁଲ୍ କହି ନାହିଁ। ମୁଁ କହିଥିଲି ବିଧାନସଭା ପାଖେଇ ଆସିଲାଣି। ଚାଷୀ ମୃତ୍ୟୁ ନେଇ ଆମ ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ଜରିଆରେ ହେଉ କି ବିବୃତି ଜରିଆରେ ହେଉ ବିଧାନସଭାରେ ମତ ରଖିବେ। ତଦନ୍ତ ହେଲେ ପ୍ରକୃତରେ କିଏ ମରୁଛି ତାହା ପଦାକୁ ଆସିବ। ମହାଜନୀ କାରବାର କରିଥିବା ସାହୁକାରର ପୀଡ଼ନରେ ଲୋକଟି ଆତ୍ମହତ୍ୟା କରିଛି ନା ଭାଗଚାଷରେ ତା’ର ନ୍ୟାର୍ଯ୍ୟ ଦାବିରେ ଅବହେଳା ଯୋଗୁଁ ଲୋକଟି ଆତ୍ମହତ୍ୟା କରିଛି- ତାହା ଜଣାପଡ଼ିବ। ସବୁଠୁ ବଡ଼ କଥା ହେଲା ଆତ୍ମହତ୍ୟା କରିବାର ପ୍ରକୃତ କାରଣ ଜଣାପଡ଼ିବ।’

ପାଟ୍ଟଶାଣୀ କହିଛନ୍ତି ଯେ ତାଙ୍କ ନିର୍ବାଚନ ମଣ୍ଡଳୀରେ ୩ ଜଣ ଲୋକ ମରିଛନ୍ତି। ସେମାନେ ସମସ୍ତେ ଚାଷୀ ଓ ଫସଲହାନୀ ଯୋଗୁଁ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। କିନ୍ତୁ ସେହି ମୃତବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପାନ ଦୋକାନୀ। ତାଙ୍କର ହୃଦଘାତରେ ମୃତ୍ୟୁ ହେଲା। କିନ୍ତୁ ଗଣମାଧ୍ୟମଗୁଡ଼ିକ ତା’ର ଫଟୋ ଉଠାଇ ଦେଇ କହିଦେଲେ ଯେ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ସେମିତି ଆଉ ଜଣେ ତା’ ସ୍ତ୍ରୀ ସହିତ କଳି କରି ଆତ୍ମହତ୍ୟା କରିଛି। ତେଣୁ ତଦନ୍ତ ହେଲେ ଜଣାପଡ଼ିବ ଯେ ପ୍ରକୃତରେ କିଏ ଫସଲ ହାନି ଓ ଋଣବୋଝ ଯୋଗୁଁ ଆତ୍ମହତ୍ୟା କରିଛନ୍ତି। ଏଣୁ ତଦନ୍ତ ଦାବି କରି ସେ କିଛି ଭୁଲ୍ କରି ନାହାନ୍ତି।

ସେ କହିଛନ୍ତି ବିରୋଧୀ ଦଳ କହୁଛି ଫସଲ ହାନି ଓ ଋଣବୋଝ ଯୋଗୁଁ ଚାଷୀ ଆତ୍ମହତ୍ୟା କରୁଛି। ସେ ବି ଏହାକୁ ସମର୍ଥନ କରୁଛନ୍ତି। ଏଥିରେ କିଛି ଭୁଲ୍ ନାହିଁ। ତାଙ୍କ ସରକାର କ୍ଷତିପୂରଣ ଦେବାକୁ ଡରୁନି। ତାଙ୍କ ସରକାର କ୍ଷତିପୂରଣ ଦେବାକୁ ମନା କରୁ ନାହିଁ। ଦଳର ନେତା ଯାହା ନିଷ୍ପତ୍ତି ନେବେ ତାହା ହେବ। ଯଦି ନବୀନ ପଟ୍ଟନାୟକ ଚାଷୀଙ୍କୁ ସହାୟତା ଦେଇ ନ ପାରିବେ, ତା’ହେଲେ ଆଉ କେହି ଦେଇ ପାରିବେନି।

ଏହା ସହିତ ସେ ବିରୋଧୀ ଦଳଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ସେମାନେ ବି ଦିନେ କ୍ଷମତାରେ ଥିଲେ। କିନ୍ତୁ ରାଜ୍ୟରେ ଚାଷ ଜମିଗୁଡ଼ିକୁ ଜଳ ସେଚନ ପାଇଁ କ’ଣ କରି ପକାଇ ଥିଲେ? ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରେ ଚାଷୀମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ସେମାନଙ୍କ ପାଇଁ ସ୍ପେଶାଲ୍ ପ୍ୟାକେଜ୍ ମଧ୍ୟ ଘୋଷଣା କରାଯାଇଛି। ଏବେ ସରକାର ୧୦୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହା ରାଜ୍ୟର କୃଷକମାନଙ୍କ ପାଇଁ ବହୁତ ବଡ଼ ସହାୟକ ହେବ।

ସେହିଭଳି ସେ ଆଦୌ ଚାଷୀଙ୍କୁ ବିରୋଧ କରି ନାହାନ୍ତି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ସାଂସଦ ପାଟ୍ଟଶାଣୀ। ସେ କହିଛନ୍ତି ଯେ ସେ କୃଷି ଘରର ପିଲା। ସେ ଚଷା ପୁଅ। ଅତୀତରେ ଚଷା ପୁଅମାନେ ପାଇକ ସାଜିଥିଲେ ଦେଶର ସୁରକ୍ଷା ପାଇଁ।

ଅନ୍ୟପକ୍ଷରେ ମହାରାଷ୍ଟ ଓ ଓଡ଼ିଶା ମଧ୍ୟରେ ଚାଷୀ ଆତ୍ମହତ୍ୟାକୁ ତୁଳନା କରି ପ୍ରସନ୍ନ ପାଟ୍ଟଶାଣୀଙ୍କ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରିଛି ବିଜେପି। ଦଳର ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ମହାରାଷ୍ଟ୍ରର ୭ଟି ଜିଲ୍ଲା ମରୁଡ଼ିଗ୍ରସ୍ତ ହୋଇଛି। ୫୧୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ମହାରାଷ୍ଟ୍ର ସରକାର ଏହାକୁ ଗ୍ରହଣ କରିଛନ୍ତି। କିନ୍ତୁ ଓଡ଼ିଶାରେ ୨୧ଟି ଜିଲ୍ଲା ମରୁଡ଼ି ପ୍ରଭାବିତ ହୋଇଛି। ଏଠାକାର ସରକାର ତ ଆତ୍ମହତ୍ୟା କରିଥିବା ଲୋକେ ଚାଷୀ ବୋଲି ଗ୍ରହଣ କରିବାକୁ ନାରାଜ। ମହାରାଷ୍ଟ୍ର ସରକାର ଚାଷୀ ମୃତ୍ୟୁ ଘଟଣାକୁ ଗ୍ରହଣ କରିବା ସହିତ ବିଦର୍ଭ ଅଞ୍ଚଳର ଉକ୍ତ ୭ଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ସେହି ଜିଲ୍ଲାଗୁଡ଼ିକୁ ମଡେଲ୍ ଜିଲ୍ଲା ଭାବେ ଗ୍ରହଣ କରାଯାଇ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି ଓ ଆସନ୍ତା ବର୍ଷ ଯେପରି ଜଣେ ବି ଚାଷୀ ଆତ୍ମହତ୍ୟା ନ କରିବେ ସେଥିପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। କିନ୍ତୁ ଓଡ଼ିଶା ସରକାର କ’ଣ କରିଛନ୍ତି। ଏଠି ତ ସରକାର ଦାୟିତ୍ୱ ନେବାକୁ ନାରାଜ।

Related story