ମରୁଡ଼ି ସତ୍ତ୍ୱେ ରାଜ୍ୟରେ ସଂଗ୍ରହ ହୋଇଛି ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ପଡିଥିଲେ ମଧ୍ୟ ଖରିଫ ଋତୁରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଢେର ଅଧିକ ଧାନ ସଂଗ୍ରହ କରାଯାଇଛି। ଆଜି ରବି ଋତୁ ପାଇଁ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ପାଇଁ ବସିଥିବା ବୈଠକରେ ଯୋଗାଣ ବିଭାଗ ପକ୍ଷରୁ ଏପରି ତଥ୍ୟ ଦିଆଯାଇଛି। ଏହାସହ ମେ’ ୨ୟ ସପ୍ତାହରୁ ଜୁନ ୩୦ ପର୍ଯ୍ୟନ୍ତ ରାଜ୍ୟର ୧୯ଟି ଜିଲ୍ଲାରୁ ରବି ଧାନ ସଂଗ୍ରହ କରାଯିବାକୁ ସ୍ଥିର କରାଯାଇଛି। ଏଥିପାଇଁ ୧୦,୨୯,୦୦୦ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ […]

Dana

Rakesh Mallick
  • Published: Wednesday, 20 April 2016
  • , Updated: 20 April 2016, 04:09 PM IST

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ପଡିଥିଲେ ମଧ୍ୟ ଖରିଫ ଋତୁରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଢେର ଅଧିକ ଧାନ ସଂଗ୍ରହ କରାଯାଇଛି। ଆଜି ରବି ଋତୁ ପାଇଁ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ପାଇଁ ବସିଥିବା ବୈଠକରେ ଯୋଗାଣ ବିଭାଗ ପକ୍ଷରୁ ଏପରି ତଥ୍ୟ ଦିଆଯାଇଛି। ଏହାସହ ମେ’ ୨ୟ ସପ୍ତାହରୁ ଜୁନ ୩୦ ପର୍ଯ୍ୟନ୍ତ ରାଜ୍ୟର ୧୯ଟି ଜିଲ୍ଲାରୁ ରବି ଧାନ ସଂଗ୍ରହ କରାଯିବାକୁ ସ୍ଥିର କରାଯାଇଛି। ଏଥିପାଇଁ ୧୦,୨୯,୦୦୦ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଅନ୍ୟପକ୍ଷରେ ମରୁଡ଼ି ଯୋଗୁଁ ଧାନ ଉତ୍ପାଦନ କମିଥିବା ବେଳେ ସରକାର କେବଳ କାଗଜକଲମରେ ଅଧିକ ଧାନ ସଂଗ୍ରହ କରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ଗତବର୍ଷ ଖରିଫ ଋତୁରେ ଯୋଗାଣ ବିଭାଗ ୪୦,୧୭,୦୦୦ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରିଥିଲା। ଚଳିତବର୍ଷ ଏହାଠାରୁ ୪ ପ୍ରତିଶତ ଅଧିକ ଅର୍ଥାତ ୪୧,୬୯,୦୦୦ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରିଛି। ସବୁଠାରୁ ଅଧିକ ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଥିବା ବରଗଡ଼ ଜିଲ୍ଲାରେ ସଂଗ୍ରହ ହୋଇଛି ରାଜ୍ୟର ସର୍ବାଧିକ ୫,୩୫,୦୦୦ ମେଟ୍ରିକ ଟନ୍‌ ଧାନ। ଧାନ ସଂଗ୍ରହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା। ତା’ ପଛକୁ କଳାହାଣ୍ଡି ଓ ସମ୍ବଲପୁର ରହିଛି।

ଯୋଗାଣ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି, ‘‘ମରୁଡ଼ି ସତ୍ତ୍ୱେ ଧାନ ସଂଗ୍ରହ କମିନାହିଁ। ଗତବର୍ଷ ତୁଳନାରେ ୪ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି। ମେ’ ୨ୟ ସପ୍ତାହରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ରବି ଋତୁର ଧାନ ସଂଗ୍ରହ କରାଯିବାକୁ ସ୍ଥିର ହୋଇଛି। ଆବଶ୍ୟକ ହେଲେ ଟାର୍ଗେଟ୍‌ ବୃଦ୍ଧି କରାଯିବ।”

ଯୋଗାଣ ବିଭାଗର ଏପରି ତଥ୍ୟକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ପ୍ରଶ୍ନ ଉଠାଇଛନ୍ତି। ମରୁଡ଼ି ଯୋଗୁଁ ଧାନ ଉତ୍ପାଦନ ହ୍ରାସ ପାଇଥିବା ବେଳେ ଅଧିକ ୪ ପ୍ରତିଶତ ଧାନ କିପରି ସଂଗ୍ରହ କରାଗଲା ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଥିବା ବେଳେ କାଗଜକଲମରେ ଧାନ କିଣାଯାଇଥିବା ବିଜେପି ଅଭିଯୋଗ କରିଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ମରୁଡ଼ି ହୋଇଛି, ଧାନ ଉତ୍ପାଦନ କମିଛି। ଏମାନେ ବେଆଇନ ତାଲିକା କରି ଅର୍ଥକୁ ହରିଲୁଟ କରିଛନ୍ତି। ଅନ୍ୟଙ୍କ ନାଁରେ ଆକାଉଣ୍ଟ ଖୋଲି ସେଥିରେ ଟଙ୍କା ପଠାଇ କରି ଉଠାଇ ନେଇଛନ୍ତି।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ବାସ୍ତବରେ ଏତେ ଧାନ ସଂଗ୍ରହ ହୋଇନାହିଁ। ଭୂତ କାର୍ଡ ଜରିଆରେ ଏମାନେ ଧାନ ସଂଗ୍ରହ ଦେଖାଇଛନ୍ତି। ଯଦି ଏତେ ଧାନ ଉତ୍ପାଦନ ହୋଇଥାନ୍ତା ତେବେ ରାଜ୍ୟରେ ଚାଷୀ ଆତ୍ମହତ୍ୟା କରିବା ଭଳି ସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା। ଏହାର ତଦନ୍ତ ହେବା ଦରକାର।”

ରାଜ୍ୟର ୨୭ଟି ଜିଲ୍ଲାର ୨୩୩ ବ୍ଲକରେ ମରୁଡ଼ି ହୋଇଥିବା ସରକାର ଘୋଷଣା କରିଛନ୍ତି। ଏଥିପାଇଁ ଉତ୍ପାଦନ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଥିଲା। ତେବେ ଯୋଗାଣ ବିଭାଗର ତଥ୍ୟ ଏହାକୁ ଭୁଲ ପ୍ରମାଣିତ କରିଛି।

Related story