ଓଡ଼ିଶାର ମନରେଗା ଶ୍ରମିକଙ୍କ ମଜୁରି ବଢ଼ାଇଲେନି କେନ୍ଦ୍ର ସରକାର

ଭୁବନେଶ୍ୱର: ମହାତ୍ମା ଗାନ୍ଧି ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ୨୮ଟି ରାଜ୍ୟ ଓ ୬ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଶ୍ରମିକଙ୍କ ମଜୁରି ବଢ଼ାଇଛନ୍ତି କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ଏକ ବିଜ୍ଞପ୍ତି ଜାରି କରାଯାଇଛି। କିନ୍ତୁ ଏହି ଯୋଜନାରେ ଓଡ଼ିଶାର ଶ୍ରମିକଙ୍କ ମଜୁରି ବଢ଼ାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇ ନାହାନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମନରେଗାରେ ଗୁଜରାଟ, ମଧ୍ୟପ୍ରଦେଶ ଓ […]

manrega

Rakesh Mallick
  • Published: Friday, 01 April 2016
  • , Updated: 02 April 2016, 02:08 AM IST

ଭୁବନେଶ୍ୱର: ମହାତ୍ମା ଗାନ୍ଧି ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ୨୮ଟି ରାଜ୍ୟ ଓ ୬ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଶ୍ରମିକଙ୍କ ମଜୁରି ବଢ଼ାଇଛନ୍ତି କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ଏକ ବିଜ୍ଞପ୍ତି ଜାରି କରାଯାଇଛି। କିନ୍ତୁ ଏହି ଯୋଜନାରେ ଓଡ଼ିଶାର ଶ୍ରମିକଙ୍କ ମଜୁରି ବଢ଼ାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇ ନାହାନ୍ତି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମନରେଗାରେ ଗୁଜରାଟ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ରାଜ୍ୟରେ ଶ୍ରମିକଙ୍କ ମଜୁରି ୫ରୁ୧୦ ଟଙ୍କା ବଢ଼ିଛି। କିନ୍ତୁ ଓଡ଼ିଶାରେ ମନରେଗା ଶ୍ରମିକଙ୍କ ପାଇଁ ମଜୁରି ପୂର୍ବବତ୍ ୧୭୪ ଟଙ୍କା ରହିଛି। ମନରେଗାରେ ରାଜ୍ୟର ଶ୍ରମିକଙ୍କ ମଜୁରି ୨୦୦ ଟଙ୍କାକୁ ବଢ଼ାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଦୁଇ ଥର ଚିଠି ମଧ୍ୟ ଲେଖିଛନ୍ତି। କିନ୍ତୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରି ନାହାନ୍ତି। ଫଳରେ ରାଜ୍ୟ ପ୍ରତି ପୁଣି କେନ୍ଦ୍ରୀୟ ଅବହେଳା ଅଭିଯୋଗ ଆଣିଛି ଶାସକ ବିଜେଡି। ସେହିପରି କେନ୍ଦ୍ର ସରକାରଙ୍କ ଏଭଳି ନୀତିକୁ ସମାଲୋଚନା କରିଛି କଂଗ୍ରେସ।

ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି,“ ଆମ ରାଜ୍ୟ ସରକାର ଶ୍ରମିକଙ୍କ ମଜୁରି ୨୦୦ ଟଙ୍କା କରିବାକୁ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାରଙ୍କ କଥା ରହିଲା ନାହିଁ। କେନ୍ଦ୍ର ସରକାର ମନରେଗାରେ ଅନ୍ୟ ରାଜ୍ୟର ଶ୍ରମିକଙ୍କ ମଜୁରି କିଛି କିଛି ପରିମାଣରେ ବୃଦ୍ଧି କରିଛନ୍ତି। ତେଣୁ ଆମେ ମନେ କରୁଛୁ ଯେ ଓଡ଼ିଶା ସହିତ ସୁବିଚାର ହୋଇନାହିଁ।”

ବିରୋଧ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି,“କେନ୍ଦ୍ର ସରକାର ମଜୁରିଆଙ୍କ ଅର୍ଥକୁ ଅଟକାଇ ରଖିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ପ୍ରତିପାଦିତ କରୁଛି।”

ଅନ୍ୟପକ୍ଷରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ କଂଜୁମର ପ୍ରାଇସ୍ ଇନଡେକ୍ସ ନେଗେଟିଭ୍ ରହିଥିବା ଯୋଗୁଁ ରାଜ୍ୟର ଶ୍ରମିକଙ୍କ ମଜୁରି ବଢ଼ି ନାହିଁ। ଏ ବିଷୟରେ ସବିଶେଷ ଭାବେ ବୁଝି ସାରିଲା ପରେ ମୁଁ ଉତ୍ତର ରଖିବି।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ଓଡ଼ିଶାର ମନରେଗା ଶ୍ରମିକମାନଙ୍କର ମଜୁରି ମଧ୍ୟ ବଢ଼ିବା ଦରକାର। ଏନେଇ ସେ ଦାବି କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ମନରେଗାର ଶ୍ରମିକଙ୍କ ମଜୁରି ପାଇଁ ଆଜିଠାରୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ବା ଡିବିଟି ଲାଗୁ ହୋଇଛି।

Related story