ଭୁବନେଶ୍ୱର:ବିଜେପୁର ଉପନିବାର୍ଚନକୁ ନେଇ ଯେଉଁ ରାଜନୈତିକ ହିଂସାକାଣ୍ଡ ଓ ମରଣାନ୍ତକ ଘଟଣା ଘଟିଲା, ସେଥିରେ ଦିଲେଶ୍ୱର ସାହୁ ନାମକ ଜଣେ ଡ୍ରାଇଭର ବଳି ପଡ଼ିଗଲେ। ଉପନିବାର୍ଚନ ପୂର୍ବଦିନ ରାତିରେ କାରରେ ଯାଉଥିବା ବେଳେ ବରଗଡ଼ ଜିଲ୍ଲାର ସୋହେଲା ଥାନା ଅନ୍ତର୍ଗତ ବନବିରାଠାରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କୁ ଆକ୍ରମଣ ହୋଇଥିଲା। ଆକ୍ରମଣରେ ସୁବ୍ରତ ଏବଂ ତାଙ୍କ କାର୍ ଡ୍ରାଇଭରଙ୍କ ସହ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ। ପରେ ଡ୍ରାଇଭର ଦିଲେଶ୍ୱରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। କାହାର ରାଜନୈତିକ ସ୍ୱାର୍ଥ ପାଇଁ ଜଣେ ନିରୀହ ଲୋକକୁ ଜୀବନ ଦେବାକୁ ପଡ଼ିଲା। ଏହି ହତ୍ୟାକାଣ୍ଡରେ ଯିଏ ସମ୍ପୃକ୍ତ ଥାଉନା କାହିଁକି, ଏହା ଏକ ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁଭାର୍ଗ୍ୟଜନକ ଘଟଣା। ତେବେ ଏହି ଉପନିବାର୍ଚନରେ ଯେଭଳି ଦଳ ଦଳ ମଧ୍ୟରେ ଅତି ନିମ୍ନସ୍ତରରେ ଆରୋପ ପ୍ରତ୍ୟାରୋପ, ହିଂସା, ହଣାକଟା ବୋମାମାଡ଼ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗା ଭଳି ଯାବତୀୟ କୁତ୍ସିତ କାରନାମା ଘଟିଲା, ବୋଧହୁଏ ଓଡ଼ିଶା ରାଜନୈତିକ ଇତିହାସରେ ଏହା ବିରଳ।
ତେବେ ଏହି ରାଜନୈତିକ ହଟଚମଟ ମଧ୍ୟରେ ସାମ୍ନାକୁ ଆସିଥିବା ଏକ ବିରଳ ଚିତ୍ର ସମଗ୍ର ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ତାହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚ୍ଚାରଣ ଓ ଆଚରଣ। ଡ୍ରାଇଭର ଦିଲେଶ୍ୱରଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ କଟକ ଏସସିବି ମେଡିକାଲରୁ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ଏକ ବିରାଟ ପଟୁଆରରେ ଅଣାଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କ ଶେଷଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥିସହ ଦିଲେଶ୍ୱରଙ୍କ ପତ୍ନୀ ଓ ପରିବାର ବର୍ଗଙ୍କ ସହ କଥା ହୋଇ ସମବେଦନା ଜଣାଇଥିଲେ। ଯଦିଓ ଦିଲେଶଶ୍ୱରଙ୍କୁ ବିଜେଡି ଦଳୀୟ ଲୋକ ଭାବେ ବିବେଚନା କରୁଛି, ତଥାପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିବା ଅତ୍ୟନ୍ତ ଭଲ କଥା। ଏହାକୁ କେହି ବିରୋଧ କରିବେ ନାହିଁ। ଯଦି ଦଳମତ ନିର୍ବିଶେଷରେ ଘଟଣାଟିକୁ ବିଚାର କରାଯାଏ, ଜଣେ ସାଧାରଣ ମଣିଷର ମୃତ୍ୟୁର ଶୋକ ସନ୍ତପ୍ତ ପରିବାର ସହ ଦୁଃଖରେ ଭାଗିଦାରୀ ହେବା ନେତା ଏବଂ ମୁଖ୍ୟମନ୍ତ୍ରୀ ହିସାବରରେ ଏହା ତାଙ୍କର ମହାନ ମଣିଷ ପଣିଆର ପରିଚୟ। ଏଥିରେ କେହି ଦ୍ୱିମତ ହେବେନାହିଁ। କାରଣ ଡ୍ରାଇଭର ହେଲେ ମଧ୍ୟ ଦିଲେଶ୍ୱରଙ୍କର ସମାଜରେ ଆତ୍ମସମ୍ମାନ ଓ ସ୍ୱାଭିମାନ ରହିଛି। ତେଣୁ ତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଭେଟିବା ଓ ସମବେଦନା ଜଣାଇବା, ତାଙ୍କ ଉଚ୍ଚ ମାନସିକତାର ପରିଚୟ ନିଶ୍ଚୟ।
[caption id="attachment_214485" align="alignleft" width="277"] ତାପସ ରଞ୍ଜନ ବେହେରା [/caption]
କିନ୍ତୁ ଦିଲେଶ୍ୱରଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଯେଉଁ ସହାନୁଭୂତି, ଦରଦ ଓ ଆତ୍ମୀୟତା ଦେଖାଇଲେ, ତାହା ସହିଦ ପ୍ରଦୀପ ପଣ୍ଡାଙ୍କ କ୍ଷେତ୍ରରେ ଦେଖାଯାଇ ନଥିଲା। ସେହି ମାନବିକତା କୁନ୍ଦୁଲି ପୀଡ଼ିତା କିମ୍ବା ଚାଷୀ ବୃନ୍ଦା ସାହୁଙ୍କ କ୍ଷେତ୍ରରେ ବି ଉଭାନ ହୋଇଯାଇଥିଲା। ଏକ ଗଣତନ୍ତ୍ର ରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିମ୍ୱା ପ୍ରଧାନମନ୍ତ୍ରୀ କୌଣସି ଦଳରୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଯେତେବେଳେ ରାଜ୍ୟ କିମ୍ୱା ରାଷ୍ଟ୍ର କଥା ଆସେ ତାଙ୍କୁ କୌଣସି ଦଳରେ ସୀମିତ କିମ୍ୱା ଆବଦ୍ଧ କରାଯାଇ ନପାରେ। ସେଦିନ ଆତଙ୍କବାଦୀ ସହ ଲଢ଼ି ଦେଶ ପାଇଁ ପ୍ରାଣକୁ ବିସର୍ଜନ ଦେଇଥିବା ସୁନ୍ଦରଗଡ଼ର ପ୍ରଦୀପ ପଣ୍ଡାଙ୍କ ମରଶରୀ ଦିଲ୍ଲୀରୁ ଭୁବନେଶ୍ୱେର ଅଣାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସେହି ଆବେଗ ନ ଥିଲା, କି ଆତ୍ମୀୟତା ଦେଖିବାକୁ ମିଳି ନ ଥିଲା। ଗତ ଜାନୁଆରୀ ୨ ତାରିଖ ରାତି ପ୍ରାୟ ୯ଟା ବେଳେ ପ୍ରଦୀପଙ୍କ ମରଶରୀରର ଆସିଥିଲା। ଦେଶ ପାଇଁ ଜୀବନ ଦେଇଥିବା ପ୍ରଦୀପଙ୍କ ଆସିବା ବାଟକୁ ଅପେକ୍ଷା କରିଥଲା ତା’ର ବିଧବା ପତ୍ନୀ, ପିଲା ଛୁଆଙ୍କ ପେଟରେ ଭୋକ ନଥିଲା, ଅପେକ୍ଷା କରିଥିଲା ତା’ର ଜନ୍ମ ମାଟି, ଅନେଇଥିଲା ସାରା ଓଡ଼ିଶା। କାରଣ ଶତ୍ରୁ ସହ ସାଲିସ ନୁହଁ ବରଂ ସାମ୍ନାସାମ୍ନି ଲଢ଼େଇ କରି ଛାତିରେ ଗୁଳି ଖାଇ ବୀର ଦର୍ପରେ ଫେରୁଥିଲା ଏ ମାଟିର ସୁଯୋଗ୍ୟ ସନ୍ତାନ।
ରାତିର ପ୍ରଥମ ପ୍ରହର ମଧ୍ୟ ହୋଇ ନଥିବ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ତାଙ୍କ ମରଶରୀର ପହଞ୍ଚିବା ପରେ, ପୂର୍ଣ୍ଣ ମର୍ଯ୍ୟାଦାର ସହ ତାଙ୍କୁ ସିଆରପିଏଫ ଏବଂ ଘରୋଇ ବିଭାଗ ପକ୍ଷରୁ ଗାର୍ଡ଼ ଅଫ ଅନର ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ରାତିରେ ବୀର ବାଦ୍ୟରେ କମ୍ପିଥିଲା ବିଜୁ ପଟ୍ଟନାୟକ ବିମାନ ବନ୍ଦର। ହେଲେ ଏହି ସ୍ୱର ନା ମୁଖ୍ୟମନ୍ତ୍ରୀ ନା ତାଙ୍କ ଦଳର କୌଣସି ନେତାଙ୍କୁ ଶୁଭିଥିଲା? ଖାଲି ତାଙ୍କରି ଦଳ ନୁହଁ, ଅନ୍ୟଦଳର ନେତା ବୋଧହୁଏ ନିଘୋଡ଼ ନିଦରେ ଶୋଇଥିଲେ।
ବିମାନ ବନ୍ଦରଠାରୁ ନବନୀ ନିବାସ ବେଶୀ ଦୂର ନୁହଁ। ମୁଖ୍ୟମନ୍ତ୍ରୀ ଚାହିଁଥିଲେ ଆସି ପାରିଥାନ୍ତେ। କିନ୍ତୁ ବୋଧହୁଏ ସବୁ ରାଜନୈତିକ ଦଳର ଚରିତ୍ର ସମାନ। ସ୍ୱାର୍ଥ ଯେଉଁଠି ରାଜନୈତିକ ସଉଦା ସେଇଠି। ଆଉ ଏ କ୍ଷେତ୍ରରେ ବ୍ୟତିକ୍ରମ ଥିଲେ ପ୍ରଦୀପ ପଣ୍ଡା। କାରଣ ସେ କୌଣସି ଦଳର କର୍ମୀ କିମ୍ବା ନେତା ନଥିଲୋ। ତେଣୁ ତାଙ୍କ ପ୍ରତି ରାଜନୈତିକ ଦଳ ଗୁଡ଼ିକର ସହାନଭୁତି ଆସିବ ବା କେମିତି? ଆଉ ଲୋକଙ୍କୁ ଦଳୀୟ ଭାଗବଣ୍ଟାରେ କେମିତି ମପାଯାଏ ତାହା ରାଜନୀତିରେ ଅଭିଜ୍ଞ ନେତା ତଥା ବିଜେଡିର ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଏକ ବୟାନ ସ୍ପଷ୍ଟ କରିଦିଏ। ଯେତେବେଳ ଫସଲହାନୀକୁ ନେଇ ବରଗଡ଼ର ଚାଷୀ ବୃନ୍ଦା ସାହୁ ଆତ୍ମହତ୍ୟା କଲେ, ଆଉଏହାକୁ ନେଇ ତୁମ୍ବିତୋଫାନ ହେଲା, ସମ୍ପୃକ୍ତ ଚାଷୀ ବିଜେପି ଦଳର ଲୋକେ ବୋଲି କହିଥିଲେ ଦାମ। ଦାମଙ୍କ ଏହି ମନ୍ତବ୍ୟରୁ ରାଜନୈତିକ ମାନସିକତା ପ୍ରକୃତ ସ୍ୱରୂପ ବାରି ହେଉଛି। କେବଳ ପ୍ରଦୀପ ପଣ୍ଡା କି ଚାଷୀ ବୃନ୍ଦାବନ ସାହୁ ନୁହଁନ୍ତି, କୁନ୍ଦୁଲି ପୀଡ଼ିତାଙ୍କ କ୍ଷେତ୍ରରେ ମଧ୍ୟ ବିଜୁ ଜନତା ଦଳ କିମ୍ବା ରାଜ୍ୟ ସରକାରଙ୍କ ଦିଲେଶ୍ୱରଙ୍କ ଭଳି ସହାନଭୁତି ଦେଖିବାକୁ ମିଳି ନ ଥିଲା।
ବରଂ କୁନ୍ଦଲି ପୀଡ଼ିତାଙ୍କ ମୃତ୍ୟୁ ଖବର ପାଇ ମଧ୍ୟ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ଅବସରର ଉତ୍ସବରେ ମାତିଥିଲେ ଦଳୀୟ ନେତା ଆଉ କର୍ମୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା କଥାରେ କୁହନ୍ତି, ସାଢେ ଚାରିକୋଟି ଓଡ଼ିଆ ମୋ ପରିବାର। ଏଠାରେ ପ୍ରଶ୍ନ ଉଠେ, ଦିଲେଶ୍ୱରଙ୍କୁ ଛାଡ଼ିଦେଲ ଏମାନେ କ’ଣ ସାଢେଚାରି କୋଟି ଓଡ଼ିଆଙ୍କ ଭିତରୁ ବାହାରେ। ଅନ୍ୟପଟେ ଦିଲେଶ୍ୱରଙ୍କ ମୃତ୍ୟୁ କୌଣସି ମହତ କାମ ଜନିତ ନୁହଁ ବରଂ ଏକ ରାଜନୈତିକ ଆକ୍ରମଣ ଥିଲା।
ସେହିପରି ଯେଉଁ ବିଜୁ ଆଦର୍ଶ ନେଇ ବିଜେଡି ଗଠନ ହୋଇଛି, ତାହା ଦଳର ଚିତ୍ର ଚରିତ୍ର ଦେଖିଲେ ଆଦୌ ତାଳମେଳ ରହୁନାହିଁ। କାରଣ ବିଜୁବାବୁଙ୍କ କର୍ମ, ତାଙ୍କୁ ରାଜନେତା ଅପେକ୍ଷା ଜଣେ ରାଷ୍ଟ୍ରନୀତିଜ୍ଞ ଭାବେ ବେଶୀ ପରିଚୟ ଦେଇଛି। ସେ ୧୯୪୮ ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମର ସୁକର୍ଣ୍ଣୋଙ୍କୁ ଉଦ୍ଧାର କରିବା ଘଟଣା ହେଉ, କିମ୍ବା ଶିଖ୍ ରେଜିମେଣ୍ଟ ଶ୍ରୀନଗରରେ ପହଞ୍ଚି ପାକିସ୍ତାନ ସେନା ବିପକ୍ଷରେ ଯୁଦ୍ଧ ହେଉ, ବିଜୁବାବୁଙ୍କ ବୀରତ୍ୱର କାହାଣୀ ଖୁବ୍ ବଳିଷ୍ଠ। ହେଲେ ସେହି ବିଜୁବାବୁଙ୍କ ନାଁ ଆଜି କେବଳ ଭୋଟ ବ୍ୟାଙ୍କରେ ସୀମିତ ରହିଯାଇଛି ସତ, କିନ୍ତୁ ତାଙ୍କ ଆଦର୍ଶ ଯେ ଚୁଲିକୁ ଚାଲିଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ।
ଫୋନ:8658585559
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।