ନରମିଲେ ଦାମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍‌ ପରେ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ନରମିଛନ୍ତି। ଗିରଫ ହୋଇ ଜେଲରେ ଥିବା ଜଣେ ବ୍ୟକ୍ତିଙ୍କ ସହ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଫଟୋକୁ ଆଜି ଲୁଲୁ ଗଣମାଧ୍ୟମ ଆଗରେ ପ୍ରଦର୍ଶିତ କରିଥିବା ବେଳେ ଏ ନେଇ କିଛି କହିବାକୁ ଦାମ ମନା କରିଦେଇଛନ୍ତି। ଏ ସମ୍ପର୍କରେ ତାଙ୍କୁ ନ ପଚାରି ଦଳର ମୁଖପାତ୍ରଙ୍କୁ ପଚାରିବାକୁ ସେ କହିଛନ୍ତି। ଏ ସମ୍ପର୍କରେ ମୁଁ କିଛି କହି ପାରିବି ନାହିଁ। ମୁଁ ଗଣମାଧ୍ୟମରେ ଦଳର […]

dama

Rakesh Mallick
  • Published: Sunday, 24 April 2016
  • , Updated: 24 April 2016, 12:27 PM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍‌ ପରେ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ନରମିଛନ୍ତି। ଗିରଫ ହୋଇ ଜେଲରେ ଥିବା ଜଣେ ବ୍ୟକ୍ତିଙ୍କ ସହ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଫଟୋକୁ ଆଜି ଲୁଲୁ ଗଣମାଧ୍ୟମ ଆଗରେ ପ୍ରଦର୍ଶିତ କରିଥିବା ବେଳେ ଏ ନେଇ କିଛି କହିବାକୁ ଦାମ ମନା କରିଦେଇଛନ୍ତି। ଏ ସମ୍ପର୍କରେ ତାଙ୍କୁ ନ ପଚାରି ଦଳର ମୁଖପାତ୍ରଙ୍କୁ ପଚାରିବାକୁ ସେ କହିଛନ୍ତି। ଏ ସମ୍ପର୍କରେ ମୁଁ କିଛି କହି ପାରିବି ନାହିଁ। ମୁଁ ଗଣମାଧ୍ୟମରେ ଦଳର କୌଣସି ବ୍ୟକ୍ତିଙ୍କ ବିରୋଧରେ କହିବା ଠିକ୍‌ ହେବ ନାହିଁ। ଏହା ଦଳୀୟ ଶୃଙ୍ଖଳା ଭଙ୍ଗ କରିବ ବୋଲି ସେ କହିଛନ୍ତି। ଏହାସହ ଦାମ କହିଛନ୍ତି, “ଯଦି ଲୁଲୁ ମହାପାତ୍ରଙ୍କ ପାଖରେ କିଛି ପ୍ରମାଣ ଅଛି ତେବେ ସେ ତଦନ୍ତକାରୀ ସଂସ୍ଥାକୁ ଦିଅନ୍ତୁ, ଗଣମାଧ୍ୟମକୁ ଯାଇ ନିଜ ଗୁରୁତ୍ୱ ନ ବଢାନ୍ତୁ।”

ସେ କହିଛନ୍ତି, “ ଲୁଲୁ ମହାପାତ୍ର ହେଉଛନ୍ତି ସଞ୍ଜୟ ଦାସବର୍ମାଙ୍କ ପ୍ରତିପକ୍ଷ। ଉଭୟ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ରାଜନୀତି କରନ୍ତି। ଯଦି ଲୁଲୁ ରାଜନୈତିକ ଉଦ୍ଦେଶ୍ୟରେ ସଞ୍ଜୟଙ୍କୁ ବଦନାମ କରିବାକୁ ଏପରି କରୁଛନ୍ତି ତାହା ଠିକ୍‌ ହେଉନାହିଁ। ଘଟଣାର ସିବିଆଇ ତଦନ୍ତ ଚାଲିଛି। ଯଦି ଲୁଲୁଙ୍କ ପାଖରେ କିଛି ତଥ୍ୟ ଅଛି ତାହା ସିବିଆଇକୁ ଦିଅନ୍ତୁ। କୌଣସି ଘଟଣାର ତଦନ୍ତ ବେଳେ ଏପରି ଆଲୋଚନା ଚାଲିଲେ ତାହା ତଦନ୍ତକୁ ପ୍ରଭାବିତ କରିଥାଏ। ଲୁଲୁ ମହାପାତ୍ର ଏ କଥା ଭଲ ଭାବେ ଜାଣିଛନ୍ତି। ପ୍ରାମାଣିକ ତଥ୍ୟ ନ ଥାଇ ସେ ଏପରି କଥା କହି ସଞ୍ଜୟଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ବିନା କାରଣରେ ବିନା ତଥ୍ୟ ପ୍ରମାଣରେ ନବୀନ ସରକାରଙ୍କୁ ବଦନାମ କରିବାକୁ ଯେଉଁମାନେ ଚେଷ୍ଟା କରୁଛନ୍ତି ତାହା ତାଙ୍କ ପାଇଁ ବୁମେରାଂ ହେବ। ବିଜେଡିର କିଛି ହେବ ନାହିଁ। ”

ତେବେ  ସଞ୍ଜୟ-ଲୁଲୁ ବିବାଦ ହେଉ ଅବା ଆଉ କିଛି ଘଟଣାରେ ଗଣମାଧ୍ୟମର ଭୂମିକାକୁ ନେଇ ଦାମ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ସିବିଆଇ ତଦନ୍ତ ଚାଲିଥିବା ବେଳେ ଏହି ଘଟଣାକୁ ଏପରି ଉପସ୍ଥାପନା କରିବାକୁ ନେଇ ସେ ଗଣମାଧ୍ୟମ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଯାହା କିଛି ଅସ୍ଥିରତା ସୃଷ୍ଟି ହେଉଛି ତାହା କେବଳ ବିରୋଧୀ ଦଳ ଓ ଗଣମାଧ୍ୟମ ପାଇଁ ସୃଷ୍ଟି ହେଉଛି। ଅନିଚ୍ଛାମୂଳକ ସାମ୍ବାଦିକତା ଆଜି ରାଜ୍ୟକୁ ଧ୍ୱଂସ କରି ଦେଲାଣି। ଯିଏ ଯାହା କହୁଛି ତାକୁ ନେଇ ଏପରି ଉପସ୍ଥାପନା କରାଯାଉଛି, ଯଦ୍ୱାରା ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେଉଛି। ଆଜିକାଲି ଗଣମାଧ୍ୟମର ପ୍ରତିନିଧିମାନେ ଯାହା ଚାହୁଁଛନ୍ତି ତାହା ପଚାରୁଛନ୍ତି। ଏହା ଗଣମାଧ୍ୟମର ଦାୟିତ୍ୱ ନୁହେଁ। ମୁଁ ୪୦ ବର୍ଷର ରାଜନୀତିରେ ଗଣମାଧ୍ୟମର ଏଭଳି ଅଭିମୂଖ୍ୟ କେବେ ଦେଖି ନ ଥିଲି। ମୋ ଦାୟିତ୍ୱ ଓ ଶୃଙ୍ଖଳା କ’ଣ ମୁଁ ଜାଣିଛି। ମୋ ମନ୍ତବ୍ୟକୁ ଆପଣମାନେ ଭୂଲ ଉପସ୍ଥାପନା କରି ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। ମୁଁ ଯେତେବେଳେ ଯାହା କହିଛି ପ୍ରକୃତ କଥା କହିଛି। ଦଳର ଭାବମୂର୍ତ୍ତି କେମିତି ରକ୍ଷା ହେବ ସବୁ ବେଳେ ଚେଷ୍ଟା କରିଛି। ତାକୁ ଯିଏ ଯେମିତି ଭାବିଲା ଓ ଲେଖିଲା ମୁଁ କିଛି କରିପାରିବି ନାହିଁ।”

ଲୁଲୁ-ସଞ୍ଜୟ ବିବାଦ ଘଟଣାରେ ଦାମ କିଛି ମନ୍ତବ୍ୟ ଦେବାକୁ ମନା କରିବା ପରେ କହିଛନ୍ତି, “ଏ ଦୁନିଆଟା ପରିବର୍ତ୍ତନଶୀଳ। ଏଥିରୁ ମୁଁ କେମିତି ବାଦ ପଡିବି।”

Related story