ନୟାଗଡ଼ରେ ଛାତ୍ରଙ୍କୁ ରାଗିଂ ଘଟଣା: ୩ ଅଭିଯୁକ୍ତ ଛାତ୍ରଙ୍କୁ ବିଦା କରିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ନୟାଗଡ଼: ନୟାଗଡ଼ରେ ଥିବା ଘରୋଇ କଲେଜ ଡିଭାଇନରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କୁ ତା’ର ୩ ସହପାଠୀ ରାଗିଂ କରିବା ଅଭିଯୋଗ ହୋଇଛି। ଏ ନେଇ ପୀଡିତ ଛାତ୍ରଙ୍କ ବାପା ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତ ଛାତ୍ରମାନଙ୍କୁ ଥାନରେ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ଜଣାପଡିବା ପରେ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ସମ୍ପୃକ୍ତ ୩ ଛାତ୍ରଙ୍କୁ ତୁରନ୍ତ ଟିସି ଦେଇ ବିଦା କରିଦେବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ […]

nayagarh1

Rakesh Mallick
  • Published: Monday, 18 July 2016
  • , Updated: 19 July 2016, 01:25 PM IST

ନୟାଗଡ଼: ନୟାଗଡ଼ରେ ଥିବା ଘରୋଇ କଲେଜ ଡିଭାଇନରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କୁ ତା’ର ୩ ସହପାଠୀ ରାଗିଂ କରିବା ଅଭିଯୋଗ ହୋଇଛି। ଏ ନେଇ ପୀଡିତ ଛାତ୍ରଙ୍କ ବାପା ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତ ଛାତ୍ରମାନଙ୍କୁ ଥାନରେ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ଜଣାପଡିବା ପରେ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ସମ୍ପୃକ୍ତ ୩ ଛାତ୍ରଙ୍କୁ ତୁରନ୍ତ ଟିସି ଦେଇ ବିଦା କରିଦେବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆସନ୍ତାକାଲି ସୁଦ୍ଧା ଘଟଣାର ରିପୋର୍ଟ ଦେବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଅଭିଯୋଗ ଅନୁସାରେ ଘରୋଇ କଲେଜ ଡିଭାଇନ୍‌ର ହଷ୍ଟେଲରେ ରହି ନିହାର ରଞ୍ଜନ ପଟ୍ଟନାୟକ ଯୁକ୍ତ ଦୁଇରେ ପଢୁଛନ୍ତି। ତାଙ୍କ ସହ ରହୁଥିବା ୩ ସହପାଠୀ ତାଙ୍କୁ ମାରଧର କରିବା ସହ ଦେହର ବିଭିନ୍ନ ସ୍ଥାନରେ ଆଘାତ ଦେଉଥିଲେ। ଏମିତିକି ସହପାଠୀମାନେ ତାଙ୍କୁ କାମୁଡିବା ସହ ବସ୍‌ ଉଠ କରୁଥିଲେ। ଏ ନେଇ କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଫଳରେ ନିହାର ଡରି ଯାଇ କାହାକୁ କିଛି କହି ନ ଥିଲେ। ଏ ବିଷୟରେ ନିହାରଙ୍କ ବାପା କୌଣସି ସୂତ୍ରରୁ ଖବର ପାଇବା ପରେ କଲେଜରେ ପହଞ୍ଚି ପୁଅକୁ ଉଦ୍ଧାର କରିବା ସହ ଆଜି ନୟାଗଡ଼ ଥାନାରେ ଅଭିଯୋଗ କରିଥିଲେ।

ନିହାର କହିଛନ୍ତି, “ରଜ ପରଠାରୁ ମୋତେ ମୋର ୩ ସହପାଠୀ ହିମାଂଶୁ ଶେଖର ପ୍ରଧାନ, ଶୁଭ ସ୍ୱାଗତମ୍‌ ନାୟକ ଏବଂ ନିତ୍ୟାନନ୍ଦ ପାଲ ରାଗିଂ କରି ଆସୁଥିଲେ। ମୁଁ ପରୀକ୍ଷାରେ ଭଲ ମାର୍କ ରଖିଲେ ମୋତେ ମାରୁ ଥିଲେ। ମୋ ପାଖରୁ ଜୋରଜବରଦସ୍ତ ଚାବି ନେଇ ଟ୍ରଙ୍କ ଖୋଲି ସବୁ ଟିଫିନ ଖାଇ ଦେଉଥିଲେ। ଏଥିରେ ପ୍ରତିବାଦ କଲେ ବି ମାଡ଼ ମାରୁଥିଲେ।”

ସେ କହିଛନ୍ତି, “ସେମାନେ ମୋତେ ତଳେ ପକାଇ ଦେଇ ଗୋଇଠା ମାରୁଥିଲେ। ପଟାରେ ଓ ବୋତଲରେ ପିଟୁଥିଲେ। ମୋ ପିଠିକୁ କାମୁଡି ଦେବା ସହ ମଶାଧୂପ କାଠିରେ ଚେଙ୍କ ଦେଉଥିଲେ।”

ସେ ଆହୁରି କହିଛନ୍ତି, “ମୁଁ ସବୁବେଳେ ସେମାନଙ୍କ ସହ ଭଲରେ ରହିବାକୁ ଚେଷ୍ଟା କରୁଥିଲି। ମାତ୍ର ସେମାନେ କିଛି କାରଣ ନ ଥାଇ ମୋତେ ମାରଧର କରୁଥିଲେ। ସେମାନେ କାହିଁକି ଏପରି କରୁଥିଲେ ମୁଁ ଜାଣିନାହିଁ। ଏ କଥା କାହାକୁ କହିଲେ ମାରି ଦେବାକୁ ସେମାନେ ଧମକ ଦେଉଥିଲେ।”

ନିହାରଙ୍କ ବାପା କହିଛନ୍ତି, “ଥାନାରେ ଅଭିଯୋଗ କରିଛି। ମୋ ପୁଅର ଜୀବନ ନଷ୍ଟ କରିଦେଲେ ସେମାନେ। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେମାନଙ୍କୁ ଗିରଫ କରାଯାଇ ଜୁଭେନାଇଲ ଜେଲକୁ ପଠାଯାଉ।”

ସେ କହିଛନ୍ତି, “ଗତକାଲି ରାତିରେ କଲେଜ କର୍ତ୍ତୃପକ୍ଷ ଆମ ପାଖକୁ ଯାଇଥିଲେ। ଘଟଣା ପ୍ରଘଟ ହେଲେ କଲେଜ ବଦନାମ୍‌ ହୋଇଯିବ, ଆଇନଗତ ପଦକ୍ଷେପ ନ ନେବାକୁ କହିଥିଲେ। ନିହାରର ସମସ୍ତ ଚିକିତ୍ସା ଖର୍ଚ୍ଚ ସେମାନେ ବହନ କରିବେ ବୋଲି କହିଥିଲେ।”

କଲେଜର ଚେୟାରମ୍ୟାନ କମଳାକାନ୍ତ ସାହୁ କହିଛନ୍ତି, “ଆମେ ପିଲା ସହ ଅଛୁ, ତାକୁ ସମ୍ପୂର୍ଣ୍ଣ ସାହାଯ୍ୟ କରିବୁ। ମୁଁ ତାଙ୍କ ବାପାଙ୍କୁ କହିଛି, ପିଲାର ସମସ୍ତ ଚିକିତ୍ସା ଖର୍ଚ୍ଚ କଲେଜ ବହନ କରିବ ଓ ଅଭିଯୋଗ ଆସିଥିବା ୩ ପିଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ନୟାଗଡ଼ ଏସ୍‌ଡିପିଓ ଜୟରାମ ସତପଥୀ କହିଛନ୍ତି, “ଅଭିଯୋଗ ହେବା ପରେ ପିଲାକୁ ଚିକିତ୍ସା ପାଇଁ ପଠାଇଛୁ। ଅଭିଯୁକ୍ତ ନାବାଳକ ହୋଇଥିବାରୁ ଜୁଭେନାଇଲ ଆକ୍ଟ ଅନୁସାରେ ସେମାନେଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଘଟଣାର ତଦନ୍ତ ଚାଲିଛି, ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Related story