ଓଡ଼ିଆ ଭାଷାରେ ଆରମ୍ଭ ହେଲା ସରକାରୀ କାମ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ବିଧିବଦ୍ଧ ଭାବେ ଓଡ଼ିଆରେ ସରକାରୀ ଫାଇଲ୍‌ କାମ ଆରମ୍ଭ ହୋଇଛି। ମନ୍ତ୍ରୀ ଓ ବିଭିନ୍ନ ବିଭାଗର ଅଫିସରମାନେ ଓଡ଼ିଆରେ ଫାଇଲ କାମ କରିଛନ୍ତି। ଓଡ଼ିଆ ଭାଷାରେ କାମ ଆରମ୍ଭ ହେବା ପରେ ସୂଚନା ଅଧିକାର ଆଇନ ବଳରେ ଜଣେ ବ୍ୟକ୍ତି ମାଗିଥିବା ତଥ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଓଡ଼ିଆରେ ଦିଆଯାଇଛି। ଖାଦ୍ୟ ଓ ଯୋଗାଣ ବିଭାଗ ଉପ ସଚିବ ମହମ୍ମଦ କ୍ୟୁହକ୍‌ କହିଛନ୍ତି, “ଆଜି ସକାଳୁ ଆମେ ଅଫିସରେ ଫାଇଲ […]

odia-bhasa

Rakesh Mallick
  • Published: Tuesday, 16 August 2016
  • , Updated: 16 August 2016, 09:08 PM IST

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ବିଧିବଦ୍ଧ ଭାବେ ଓଡ଼ିଆରେ ସରକାରୀ ଫାଇଲ୍‌ କାମ ଆରମ୍ଭ ହୋଇଛି। ମନ୍ତ୍ରୀ ଓ ବିଭିନ୍ନ ବିଭାଗର ଅଫିସରମାନେ ଓଡ଼ିଆରେ ଫାଇଲ କାମ କରିଛନ୍ତି।

ଓଡ଼ିଆ ଭାଷାରେ କାମ ଆରମ୍ଭ ହେବା ପରେ ସୂଚନା ଅଧିକାର ଆଇନ ବଳରେ ଜଣେ ବ୍ୟକ୍ତି ମାଗିଥିବା ତଥ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଓଡ଼ିଆରେ ଦିଆଯାଇଛି।

ଖାଦ୍ୟ ଓ ଯୋଗାଣ ବିଭାଗ ଉପ ସଚିବ ମହମ୍ମଦ କ୍ୟୁହକ୍‌ କହିଛନ୍ତି, “ଆଜି ସକାଳୁ ଆମେ ଅଫିସରେ ଫାଇଲ କାମ ଓଡ଼ିଆରେ କରିଛୁ। ଆଗାମୀ ଦିନରେ ଅଧିକରୁ ଅଧିକ ଫାଇଲ କାମ ଓଡ଼ିଆରେ କରିବାକୁ ଆମେ ପଦକ୍ଷେପ ନେଉଛୁ। ସୂଚନା ଅଧିକାର ଆଇନ ବଳରେ ଆଜି ଜଣେ ବ୍ୟକ୍ତି ମାଗିଥିବା ତଥ୍ୟ ଓଡ଼ିଆରେ ଦିଆଯାଇଛି।”

ଓଡ଼ିଆ ବିଭାଗରେ ପାଠ୍ୟ ଖସଡ଼ା ନେଇ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସୁପାରିଶ କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଏହି ସୁପାରିଶ କରିଛନ୍ତି। ସେ କହିଛନ୍ତି, “ମୁଁ ଆଜି ଏକ ଚିଠି ଦେଇଛି। ହେଲେ ଶତ ପ୍ରତିଶତ ଓଡ଼ିଆ ଲେଖିନାହିଁ। ଆଗରୁ ଇଂରାଜୀରେ ଆସିଥିବା ଫାଇଲର ଉତ୍ତର ଇଂରାଜୀରେ ଦେଇଛି। ନିରନ୍ତର ପ୍ରୟାସ କରାଗଲେ ଆମେ ଓଡ଼ିଆ ଭାଷାକୁ ସରକାରୀ ଅଫିସ୍‌ରେ ଶତ ପ୍ରତିଶତ ବ୍ୟବହାର କରିପାରିବା।”

ପଞ୍ଚାୟତିରାଜ ବିଭାଗ ସଚିବ ଦେଓ ରଞ୍ଜନ ସିଂହ କହିଛନ୍ତି, “ଏଣିକି ସରକାରୀ ସ୍ତରରେ ଦିଆଯାଉଥିବା ନିର୍ଦ୍ଦେଶନାମା ଓଡ଼ିଆରେ ଦିଆଯିବ। ସରକାରୀ ବିଜ୍ଞପ୍ତି, ନୂଆ ଗାଇଡ଼ ଲାଇନ, ସରକାରୀ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ଭାଷା ବ୍ୟବହାର କରାଯିବ।”

ସେ ଆହୁରି କହିଛନ୍ତି, “ଆମ ବିଭାଗ ଲୋକଙ୍କ ସହ ବେଶି ରହୁଛି। ଆମର ଦାୟିତ୍ୱ ହେଉଛି ଆମେ ଲୋକମାନଙ୍କ ସହ ଓଡ଼ିଆରେ କାମ କରୁ। ଆମେ ଓଡ଼ିଆରେ ଲେଖିଲେ ସରପଞ୍ଚ, ସମିତିସଭ୍ୟ ଓ ଅନ୍ୟମାନେ ଭଲରେ ବୁଝି ପାରିବେ।”

ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି, “ଆମର ପ୍ରଶାସନିକ ଶଦ୍ଦକୋଷ (ଆଡମିନଷ୍ଟ୍ରେଟିଭ ହ୍ୟାଣ୍ଡବୁକ୍‌) ଅଛି। ପ୍ରଶାସନିକ ସ୍ତରେ ଫାଇଲରେ ଯାହା ଲେଖା ଯାଉଛି ତାହାର ଓଡ଼ିଆ କ’ଣ ହେବ ତାହା ଉକ୍ତ ହ୍ୟାଣ୍ଡବୁକ୍‌ରେ ଉଲ୍ଲେଖ ରହିଛି। ଆବଶ୍ୟକ ପଡ଼ିଲେ ଏହି ହ୍ୟାଣ୍ଡବୁକ୍‌କୁ ଅଫିସରମାନେ ବ୍ୟବହାର କରିପାରିବେ। ଏହାଦ୍ୱାରା ଚିଠି ଦିଆନିଆ ସହଜ ହୋଇପାରିବ।”

ସରକାରୀସ୍ତରରେ ଓଡ଼ିଆ ଭାଷା ବ୍ୟବହାର ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ପ୍ରତି ୬ ମାସରେ ଏହି କମିଟି ଓଡ଼ିଆ ଭାଷା କେମିତି କାର୍ଯ୍ୟକାରୀ ହେଉଛି ତା’ର ତର୍ଜମା କରିବ। ଓଡ଼ିଆ ଭାଷା ବ୍ୟବହାର ହେଉଛି କି ନାହିଁ ତାହାର ତଦାରଖ କରିବ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ସ୍ୱତନ୍ତ୍ର ଡିଭିଜନ

ଓଡ଼ିଶା ଭାଷା ସୁରକ୍ଷା ସମ୍ମିଳନୀର ଆବାହକ ବୈଷ୍ଣବ ପରିଡ଼ା କହିଛନ୍ତି, “ଓଡ଼ିଆ ଭାଷା ଆଇନ୍‌କୁ କାର୍ଯ୍ୟକାରୀ କରିବାକୁ ହେଲେ ଭାଷା କମିଶନ ଗଠନ କରାଯିବା ଜରୁରୀ। ହେଲେ ଏପର୍ଯ୍ୟନ୍ତ ଭାଷା କମିଶନ ଗଠନ କରାଯାଇନି କି ଦଣ୍ଡବିଧାନର ବ୍ୟବସ୍ଥା କରାଯାଇନି। ଅନ୍ୟପକ୍ଷରେ ଏହି ଆଇନ୍‌କୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ପ୍ରଶାସନ ଉପରେ ଲଦି ଦିଆଯାଇଛି। ତେବେ ଏହି ଆଇନ୍‌ କିପରି କାର୍ଯ୍ୟକାରୀ ହେବ?”

ଭାଷା ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦଣ୍ଡବିଧାନ ବ୍ୟବସ୍ଥା ନ ଥିବାରୁ ରାଜ୍ୟ ସରକାରଙ୍କୁ ଭାଷା ଆନ୍ଦୋଳନ ସଂଗଠନ ପକ୍ଷରୁ ସମାଲୋଚନା କରାଯାଇଛି। ଏହାର ପ୍ରତିବାଦରେ ପୁଣି କଳାପତାକା ଅଭିଯାନ ଆରମ୍ଭ କରାଯିବ ବୋଲି ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

Related story