ପାରଳା ମହାରାଜା ବିବାଦ: ପୂର୍ବତନ ମ୍ୟାନେଜର ଓ ତାଙ୍କ ଭାଇ, ଭଉଣୀଙ୍କ ମୃତଦେହ ଉଦ୍ଧାର

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହାରାଜାଙ୍କ ପ୍ରତିଷ୍ଠାନର ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ର, ତାଙ୍କ ଭାଇ ଓ ଭଉଣୀଙ୍କ ମୃତଦେହ ଆଜି ତାଙ୍କ ବନ୍ଦ ଘରୁ ଉଦ୍ଧାର କରାଯାଇଛି। ଅନଙ୍ଗ ମଞ୍ଜରୀଙ୍କ ସହ ତାଙ୍କ ଭାଇ ତଥା ମହାରାଜାଙ୍କ ପିଏ ସଞ୍ଜୟ ପାତ୍ର ଓ ଭଉଣୀ ବିଜୟଲକ୍ଷ୍ମୀ ପାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନଙ୍ଗ ମଞ୍ଜରୀଙ୍କ ଅନ୍ୟ ଜଣେ ଭାଇ ଟୁଲୁ ପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନଙ୍ଗ ମଞ୍ଜରୀ ଓ ତାଙ୍କ […]

parala

Rakesh Mallick
  • Published: Sunday, 21 August 2016
  • , Updated: 22 August 2016, 11:55 AM IST

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହାରାଜାଙ୍କ ପ୍ରତିଷ୍ଠାନର ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ର, ତାଙ୍କ ଭାଇ ଓ ଭଉଣୀଙ୍କ ମୃତଦେହ ଆଜି ତାଙ୍କ ବନ୍ଦ ଘରୁ ଉଦ୍ଧାର କରାଯାଇଛି। ଅନଙ୍ଗ ମଞ୍ଜରୀଙ୍କ ସହ ତାଙ୍କ ଭାଇ ତଥା ମହାରାଜାଙ୍କ ପିଏ ସଞ୍ଜୟ ପାତ୍ର ଓ ଭଉଣୀ ବିଜୟଲକ୍ଷ୍ମୀ ପାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନଙ୍ଗ ମଞ୍ଜରୀଙ୍କ ଅନ୍ୟ ଜଣେ ଭାଇ ଟୁଲୁ ପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନଙ୍ଗ ମଞ୍ଜରୀ ଓ ତାଙ୍କ ଭଉଣୀ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସଞ୍ଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।

ଆଜି ଅନଙ୍ଗ ମଞ୍ଜରୀଙ୍କ ଘରୁ ଦୁର୍ଗନ୍ଧ ବାହାରୁ ଥିବା ଜାଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗଜପତି ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛନ୍ତି।

ଦକ୍ଷିଣାଞ୍ଚଳ ଆଇଜି ଅମିତାଭ ଠାକୁ କହିଛନ୍ତି, “ଗୁରୁତର ଟୁଲୁଙ୍କ ବୟାନ ରେକର୍ଡ କରାଯିବା ପରେ ଘଟଣା ଜଣାପଡିବ। ତଦନ୍ତ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ପାରଳାଖେମୁଣ୍ଡିକୁ ପଠା ଯାଇଛି। ସେମାନେ ତଦନ୍ତ କରିବା ପରେ ମଧ୍ୟ କିଛି ତଥ୍ୟ ମିଳିବ।”

ଗଜପତି ଏସ୍‌ପି ସୁଶୀଲ ପାଣିଗ୍ରାହୀ କହିଛନ୍ତି, “ଯେଉଁ ପରିସ୍ଥିତିରେ ସେମାନଙ୍କ ମୃତ୍ୟୁ ଘଟିଲା ତାହାର ତଦନ୍ତ ଚାଲିଛ। ବର୍ତ୍ତମାନ ମୃତ୍ୟୁର କାରଣ ସ୍ପଷ୍ଟ ଭାବେ କହି ହେବ ନାହିଁ। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି।”

ଅନ୍ୟପକ୍ଷରେ ଏଭଳି ଏକ ଘଟଣା ପାଇଁ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଅନଙ୍ଗ ମଞ୍ଜରୀଙ୍କ ପରିବାର ଲୋକେ ଦୋଷ ଦେଇଛନ୍ତି। ଅନଙ୍ଗ ମଞ୍ଜରୀଙ୍କ ଭଉଣୀ ପୂର୍ଣ୍ଣିମା ପାତ୍ର ଏବଂ ଭାଇ ଅମୂଲ୍ୟ ପାତ୍ର ଅଭିଯୋଗ କରିଛନ୍ତି, “ସମ୍ପତ୍ତି ହଡ଼ପ ନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଯେପରି ଖବର ପ୍ରସାରଣ କଲା ସେଥିରେ ଚାପଗ୍ରସ୍ତ ହୋଇ ସେମାନେ ଆତ୍ମହତ୍ୟା କରିଥାଇ ପାରନ୍ତି।”

ପୂର୍ଣ୍ଣିମା କହିଛନ୍ତି, “ବିଧାୟକ କେ. ସୂର୍ଯ୍ୟା ରାଓ ଏବଂ ବସନ୍ତ ଦାସ ଏମାନଙ୍କ ଇଜ୍ଜତକୁ ରାସ୍ତାରେ ବିକ୍ରି କରିଦେଲେ। ଏମାନେ କେବଳ ରାଜନୈତିକ ଫାଇଦା ପାଇଁ ଏପରି କରିଛନ୍ତି। ଏହା ସାଧୁତାର ପରିଚୟ ନୁହେଁ। ସେମାନଙ୍କୁ ଉଚିତ ଦଣ୍ଡ ଦିଆଯାଉ।”

ପାରଳା ମହାରାଜା ଗୋପୀନାଥ ଗଜପତିଙ୍କୁ ନଜରବନ୍ଦୀ କରି ରଖାଯାଇଥିବା ଓ ତାଙ୍କ ସମ୍ପତ୍ତି ହଡପ କରାଯାଇଥିବା ଅଭିଯୋଗ ଆସିଥିଲା। ଏହି ଘଟଣା ପ୍ରଘଟ ହେବା ପରେ ମହାରାଜାଙ୍କୁ ଚିକିତ୍ସା ପାଇଁ ଚେନ୍ନାଇର ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେବେଠାରୁ ଘଟଣାକୁ ନେଇ ପାରଳାଖେମୁଣ୍ଡିରେ ଚର୍ଚ୍ଚା ଲାଗି ରହିଥିଲା। ମ୍ୟାନେଜର ଓ ତାଙ୍କ ଦୁଇ ଭାଇଙ୍କ ଗିରଫ ଦାବିରେ ସ୍ଥାନୀୟ ବିଧାୟକ, ବିଜେପି ଜିଲ୍ଲା ସଭାପତିଙ୍କ ସମେତ ୫ ଜଣ ରିଲେ ଅନଶନ ଆରମ୍ଭ କରିଥିଲେ। ଏସବୁ ବିବାଦ ଭିତରେ ଗତ ୧୭ ତାରିଖରେ ଅନଙ୍ଗ ମଞ୍ଜରୀ ଓ ସଞ୍ଜୟ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

ଇସ୍ତଫା ଦିନ ସଞ୍ଜୟ କହିଥିଲେ, “ଅଭିଯୋଗ ଭିତ୍ତିହୀନ। ଆମ ବିରୋଧରେ ଆସିଥିବା ଅଭିଯୋଗ କଷ୍ଟ ଦେଉଛି।”

ଗତ ୧୯ ତାରିଖରେ ମହାରାଜାଙ୍କ ଝିଅ କଲ୍ୟାଣୀ ଗଜପତି ରାଜ ପରିବାରର ୩୫ ବର୍ଷର ସମ୍ପତ୍ତି କାରବାରର ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ରାଜପ୍ରସାଦର ମ୍ୟାନେଜର ଓ କର୍ମଚାରୀମାନେ ଅବୈଧ ଭାବେ ବହୁ ସମ୍ପତ୍ତି ବିକ୍ରି କରିଥିବା ଅଭିଯୋଗ ଆଣି ଏହାର ବିଧିବଦ୍ଧ ତଦନ୍ତ ଦାବି କରିଥିଲେ କଲ୍ୟାଣୀ। ଏପଟେ ପାରଳା ମହାରାଜାଙ୍କ ପ୍ରତିଷ୍ଠାନ ମ୍ୟାନେଜର ଏବଂ ତାଙ୍କ ଭାଇ ମହାରାଜାଙ୍କ ସମ୍ପତ୍ତି ହଡପ କରିଥିବା ଅଭିଯୋଗ କରି ମହାରାଜା ସୁରକ୍ଷା କମିଟି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଚାରିଆଡୁ ଚାପ ବଢୁଥିବାରୁ ସେମାନେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି।

ପାରଳାଖେମୁଣ୍ଡି ବିଧାୟକ କେ. ସୂର୍ଯ୍ୟା ରାଓ କହିଛନ୍ତି, “ମୁଁ  ଚେନ୍ନାଇରୁ ମହାରାଜାଙ୍କୁ ଦେଖାକରି ଆଜି ଫେରିଲା ବେଳେ ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀଙ୍କ ସମେତ ୩ ଜଣ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲି। ଏହି ଘଟଣା ପାଇଁ ମୁଁ ଦୁଃଖ ପ୍ରକାଶ କରୁଛି। ପୋଲିସ୍ ଘଟଣାର ତଦନ୍ତ କଲେ ସମସ୍ତ ତଥ୍ୟ ଜଣାପଡ଼ିବ।”

Related story