ପ୍ରକାଶ ମିଶ୍ର ମାମଲା: ସରକାରଙ୍କୁ ଶକ୍ତ ଧକ୍କା, ସୁପ୍ରିମକୋର୍ଟରେ ଆବେଦନ ଖାରଜ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଆଜି ଲାଗିଛି ଶକ୍ତ ଧକ୍କା। ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ରଙ୍କ ମାମଲାରେ ସରକାରଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରକାଶଙ୍କ ବିରୋଧରେ ଭିଜିଲାନ୍ସ ଦାଏର କରିଥିବା ମାମଲାକୁ ଗତ ଜୁନ୍ ୧୯ ତାରିଖରେ ହାଇକୋର୍ଟ ଖାରଜ କରି ଦେଇଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ସରକାର ସୁପ୍ରିମକୋର୍ଟରେ ଚାଲେଞ୍ଜ୍ କରିଥିଲେ। ତେବେ ଆଜି ସରକାରଙ୍କୁ ନିରାଶ ହେବାକୁ ପଡ଼ିଛି। ସୁପ୍ରିମକୋର୍ଟ କହିଥିଲେ ଯେ ହାଇକୋର୍ଟଙ୍କ ରାୟ ପୂରାପୂରି ଠିକ୍ ଅଛି। ତେଣୁ […]

PrakashMishra

Rakesh Mallick
  • Published: Monday, 17 August 2015
  • , Updated: 17 August 2015, 07:48 AM IST

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଆଜି ଲାଗିଛି ଶକ୍ତ ଧକ୍କା। ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ରଙ୍କ ମାମଲାରେ ସରକାରଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରକାଶଙ୍କ ବିରୋଧରେ ଭିଜିଲାନ୍ସ ଦାଏର କରିଥିବା ମାମଲାକୁ ଗତ ଜୁନ୍ ୧୯ ତାରିଖରେ ହାଇକୋର୍ଟ ଖାରଜ କରି ଦେଇଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ସରକାର ସୁପ୍ରିମକୋର୍ଟରେ ଚାଲେଞ୍ଜ୍ କରିଥିଲେ। ତେବେ ଆଜି ସରକାରଙ୍କୁ ନିରାଶ ହେବାକୁ ପଡ଼ିଛି। ସୁପ୍ରିମକୋର୍ଟ କହିଥିଲେ ଯେ ହାଇକୋର୍ଟଙ୍କ ରାୟ ପୂରାପୂରି ଠିକ୍ ଅଛି। ତେଣୁ ହାଇକୋର୍ଟ ଭଳି ସୁପ୍ରିମକୋର୍ଟରେ ମଧ୍ୟ ରାଜ୍ୟର ପୂର୍ବତନ ପୋଲିସ୍ ଡିଜି ତଥା ବର୍ତ୍ତମାନର ସିଆରପିଏଫ୍ ଡିଜି ପ୍ରକାଶ ମିଶ୍ରଙ୍କ ଜିତାପଟ ହୋଇଛି। ଅନ୍ୟପକ୍ଷରେ ହାଇକୋର୍ଟ ଦେଇଥିବା ମନ୍ତବ୍ୟକୁ ବାଦ୍ ଦେବା ପାଇଁ  ଭିଜିଲାନ୍ସ ନିର୍ଦ୍ଦେଶକ ଅଲଗା ଆବେଦନ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଏହି ରାୟ ଆସିବା ପରେ ସିଆରପିଏଫ୍ ଡିଜି ପ୍ରକାଶ ମିଶ୍ର କହିଛନ୍ତି ଯେ ସୁପ୍ରିମକୋର୍ଟ ତାଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିଛନ୍ତି। ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବାରୁ ସେ ବହୁତ ଖୁସି। ତାଙ୍କୁ ନୈତିକ ସମର୍ଥନ ଯୋଗାଇ ଦେଇଥିବା ଲୋକଙ୍କଠାରେ ସେ କୃତଜ୍ଞ।

ପ୍ରକାଶ ମିଶ୍ରଙ୍କ ବିରୋଧରେ ଆସିଥିବା ମାମଲାର ବିଚାର କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ହାଇକୋର୍ଟ ତାଙ୍କ ରାୟରେ କହିଥିଲେ ଯେ ଏହି ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ବିରୁଦ୍ଧରେ ସରକାର ଉଦ୍ଦେଶ୍ୟ ମୂଳକ ଭାବେ ମାମଲା ରୁଜୁ କରିଛନ୍ତି। ଏପରିକି ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ କେ.ବି ସିଂହଙ୍କୁ ମଧ୍ୟ ହାଇକୋର୍ଟ ଭର୍ତ୍ସନା କରିଥିଲେ। ସଠିକ୍ ତଦନ୍ତ ନକରି ପ୍ରକାଶଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ସେ ସୁପାରିଶ କରିଥିଲେ। ଆଉ ଏହା ଶାସକଙ୍କ ପ୍ରତି ତାଙ୍କର ଅହେତୁକ ଆନୁଗତ୍ୟ ପ୍ରମାଣିତ କରିଛି ବୋଲି ହାଇକୋର୍ଟ ଭର୍ତ୍ସନା କରି କହିଥିଲେ। ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ଏହିଭଳି ଆଚରଣକୁ କୋର୍ଟ ‘ମୋର୍ ଲୟାଲ୍ ଦେନ୍ ଦ କିଙ୍ଗ୍’ ବୋଲି ବର୍ଣ୍ଣନା କରିଥିଲେ। ତା’ସହିତ ପ୍ରକାଶଙ୍କ ଭଳି ରାଜ୍ୟର ଜଣେ ପୂର୍ବତନ ଡିଜିପି ତଥା ବର୍ତ୍ତମାନ ସିଆରପିଏଫ୍ ଡିଜିଙ୍କ ମାମଲାର ତଦନ୍ତଭାର ଜଣେ ଡିଏସପିଙ୍କୁ ଦିଆଯିବାକୁ କୋର୍ଟ ବିରକ୍ତିକର ବୋଲି ଅଭିହିତ କରିଥିଲେ।

ସୂଚନାଯୋଗ୍ୟ, ପୂର୍ବତନ ପୋଲିସ୍ ଡିଜି ତଥା ବର୍ତ୍ତମାନର ସିଆରପିଏଫ ଡିଜି ପ୍ରକାଶ ମିଶ୍ର ଓଡ଼ିଶା ଷ୍ଟେଟ୍ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ୨୦୦୬- ୦୭ରୁ ୨୦୦୯-୧୦ ମଧ୍ୟରେ ବିଭିନ୍ନ ଷ୍ଟିଲ୍ ଓ ସିମେଣ୍ଟ ସପ୍ଲାୟରଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ୫୭ କୋଟି ୮୬ ଲକ୍ଷ ୩ ହଜାର ୨୫୬ ଟଙ୍କା ଶତ ପ୍ରତିଶତ ଅଗ୍ରୀମ ଦେଇଥିବା ଅଭିଯୋଗ ହୋଇଥିଲା। ଅଗ୍ରୀମ ଟଙ୍କ।ରୁ ୭ କୋଟି ୨୭ ଲକ୍ଷ ୫୨ ହଜାର ଟଙ୍କ।ର ସାମଗ୍ରୀ ସପ୍ଲାଏ ମିଳି ନ ଥିବା କିମ୍ୱା ଟଙ୍କ। ଫେରି ନ ଥିବା ଅଡିଟ୍ ରିପୋର୍ଟରେ ଦର୍ଶା ଯାଇଥିଲା। ଏହାଦ୍ୱାରା କର୍ପୋରେସନର ଆର୍ଥିକ କ୍ଷତି ହୋଇଥିବା ଦର୍ଶାଇ ଭିଜିଲାନସ ୨୦୧୪ ସେପଟେମ୍ୱର ୨୦ ତରିଖରେ ପ୍ରକାଶଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତେବେ ପ୍ରକାଶ ଏହି ଏତଲା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କୁ ସିବିଆଇ ନିର୍ଦ୍ଦେଶ କରାଇ ନଦେବା ପାଇଁ ଏହା ଏକ ଆକ୍ରୋଶମୂଳକ ପଦକ୍ଷେପ ବୋଲି ପ୍ରକାଶଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଶେଷରେ ଜୁନ ୧୯ରେ  ହାଇକୋର୍ଟ ପ୍ରକାଶ ମିଶ୍ରଙ୍କ ବିରୋଧରେ ମାମଲାକୁ ଖାରଜ କରି ଦେଇଥିଲେ।

ଆଜି ସୁପ୍ରିମକୋର୍ଟଙ୍କର ଏହି ରାୟ ଆସିବା ପରେ ବିଜେପି ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାର ଏହି ମାମଲାକୁ ଏଇଠି ଶେଷ କରିବା ଦେବା ବୁଦ୍ଧିମାନର କାମ ହେବ। ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ସରକାରଙ୍କୁ ଏକ ଶକ୍ତ ଚାପୁଡ଼ା ସଦୃଶ ହୋଇଛି। ସରକାର ଏକ ମିଛ ମାମଲାକୁ ନେଇ ସୁପ୍ରିମକୋର୍ଟକୁ ଯାଇଥିଲେ। ତେଣୁ ଅପଦସ୍ତ ହେଲେ। ସରକାର ଏହି ମାମଲାକୁ ଆଉ ଆଗକୁ ନବଢ଼ାଇ ଏଇଠି ଶେଷ କରି ଦେବା ଉଚିତ୍। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରକାଶ ମିଶ୍ରଙ୍କୁ ସିବିଆଇ ନିର୍ଦ୍ଦେଶକ କରାଇ ନଦେବା ଲାଗି ଏତେ ସବୁ ମିଛ କାଣ୍ଡ ଭିଆଇଥିଲେ ସରକାର।

ସେହିପରି ପୂର୍ବତନ ପୋଲିସ୍ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି ଯେ ସୁପ୍ରିମକୋର୍ଟ ବହୁ ବୁଝି ବିଚାରି ରାୟ ଦେଇଛନ୍ତି। ଏଣୁ ସରକାର ଆଉ ଏ ମାମଲାକୁ ନେଇ ସୁପ୍ରିମକୋର୍ଟ ଯିବା ଉଚିତ୍ ନୁହେଁ।

ଅନ୍ୟପକ୍ଷରେ ବିଜେଡି ପକ୍ଷରୁ କୁହାଯାଇଛି ଯେ ସୁପ୍ରିମକୋର୍ଟଙ୍କ ରାୟର କପି ପଢ଼ିଲା ପରେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଆଲୋଚନା କରାଯିବ। ଏନେଇ ଦଳୀୟ ମୁଖପାତ୍ର ସମୀର ଦାସ କହିଛନ୍ତି ଯେ ସରକାର କୌଣସି ଏକ ମାମଲାରେ କୋର୍ଟରେ ହାରଗଲେ ତାହା ଶକ୍ତ ଚାପୁଡ଼ା ଭଳି ହୁଏ ନାହିଁ। ସରକାର ରାୟର କପିକୁ ଅନୁଧ୍ୟାନ କଲା ପରେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ନେବେ।

Related story