[caption id="attachment_250303" align="alignleft" width="200"] ସନ୍ଦୀପ ସାହୁ[/caption]
ଦିନ ଥିଲା ଗଣମାଧ୍ୟମ କହିଲେ ଖବରକାଗଜକୁ ହିଁ ବୁଝାଉଥିଲା। ନବେ ଦଶକର ଉତ୍ତରାର୍ଦ୍ଧରେ ରାଜ୍ୟରେ ଟେଲିଭିଜନର ଆବିର୍ଭାବ ଓ ଏହାର ଆଉ କିଛି ବର୍ଷ ପରେ ୱେବ୍ ବା ନିଉ ମିଡିଆର ଅଭ୍ୟୁଦୟ ପରେ ଏବେ ଗଣମାଧ୍ୟମର ପରିଭାଷା ବଦଳି ଯାଇଛି। ତା’ ସହିତ ବଦଳି ଯାଇଛି ସାମ୍ବାଦିକତାର କାର୍ଯ୍ୟର୍ନିଘଣ୍ଟ ଓ କାର୍ଯ୍ୟଶୈଳୀ। ବିଶେଷକରି ଟିଭି ସମ୍ବାଦିକଙ୍କ ପାଇଁ ସମ୍ବାଦ ସଂଗ୍ରହ ଏବେ ଏକ ଗୁରୁତର ଶାରୀରିକ ଓ ମାନସିକ ଚାଲେଞ୍ଜ ପାଲଟିଛି।
ଏହାର ସବୁଠୁ ବଡ଼ କାରଣ ହେଲା ‘ବାଇଟ୍’ (ଟେଲିଭିଜନ ପରଦାରେ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ବକ୍ତବ୍ୟ/ମନ୍ତବ୍ୟ)। ଟିଭି ଦେଖୁଥିବା ଦର୍ଶକଟି କେବେ ଚିନ୍ତା କରିପାରିବେ ନାହିଁ ଯେ ୨୦ ସେକେଣ୍ଡର ସେହି ବାଇଟ୍ଟି ସଂଗ୍ରହ କରିବାକୁ ସଂପୃକ୍ତ ରିପୋର୍ଟରକୁ କେତେ ଘଣ୍ଟା ପରିଶ୍ରମ କରିବାକୁ ପଡ଼େ। ଆଉ ଯଦି ବାଇଟ୍ଟି ମୁଖ୍ୟମନ୍ତ୍ରୀଙ୍କର ତେବେ ତ କଥା ସରିଲା; ହୁଏତ ପୂରା ଦିନଟି ସେଇଥିରେ ଚାଲି ଯାଇପାରେ।
ନିକଟରେ ପୁରୀ ଗସ୍ତ କାଳରେ ଏକ ପ୍ରମୁଖ ଚାନେଲରେ ପ୍ରତିନିଧି କହିଲେ ଯେ, ସ୍ଥାନୀୟ ବିଧାୟକଙ୍କ ବାଇଟ୍ଟିଏ ପାଇଁ ତାଙ୍କୁ ଲଗାତାର ତିନି ଦିନ ଦୌଡ଼ିବାକୁ ପଡ଼ିଥିଲା। ହଠାତ୍ କିଛି ଗୋଟିଏ ଘଟଣା ଘଟିଗଲେ ବାଇଟ୍ଟିଏ ପାଇଁ ଅବିଳମ୍ବେ ଘଟଣାସ୍ଥଳରେ ପହଞ୍ଚିବାକୁ ପଡ଼େ। ବେଳେବେଳେ ଏଥିପାଇଁ ୧୫/୨୦ କିଲୋମିଟର ବା ଆହୁରି ଅଧିକ ଦୌଡ଼ିବାକୁ ମଧ୍ୟ ପଡ଼େ। ଟେଲିଭିଜନରେ କାମ ନ କଲେ ମଧ୍ୟ ମୁଁ ରେଡ଼ିଓ ବାଇଟ୍ଟିଏ ପାଇଁ ଅନେକଥର କଟକ, ପୁରୀ ଓ ଅନ୍ୟ ଦୂର ଜାଗାକୁ ଯାଇଛି।
ବାଇଟ୍ ସଂଗ୍ରହ କରିବା ପାଇଁ କେବଳ ଯେ ସମୟ ଓ ଶ୍ରମ ବ୍ୟୟ କରିବାକୁ ପଡ଼େ, ତା’ ନୁହେଁ; ଅନେକ ସମୟରେ ବାଇଟ୍ଟି ଦେବା ପାଇଁ ସମୃକ୍ତ ବ୍ୟକ୍ତିକୁ ରାଜି କରିବା କାଠିକର ପାଠ ହୋଇଥାଏ। ବିଶେଷକରି ବିବାଦୀୟ ପ୍ରସଙ୍ଗରେ ଏହା ଏକ ବଡ଼ ସମସ୍ୟା। ବେଳେବେଳେ କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲୋକଟି ବାଇଟ୍ ଦେବା ପାଇଁ ରାଜି ନ ହେବା ଯୋଗୁଁ ରିପୋର୍ଟଟି ପ୍ରସାରିତ ହିଁ ହୋଇପାରେ ନାହିଁ। କିନ୍ତୁ ରିପୋର୍ଟର୍ଟି ପାଇଁ ଏହାଠାରୁ ବଡ଼ ସମସ୍ୟାଟି ହେଲା ଶୀତତାପନିୟନ୍ତ୍ରିତ ଘରେ ବସିଥିବା ତାର ବସ୍ମାନଙ୍କ ପାଖରେ ଏସବୁ ସମସ୍ୟା ଶୁଣିବା ବା ବୁଝିବା ପାଇଁ ନା ଅଛି ସମୟ ନା ଧୈର୍ଯ୍ୟ। ସେମାନଙ୍କୁ ବାଇଟ୍ ଦରକାର; ତା ପୁଣି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ।
ବାଇଟ୍ଟିଏ ପାଇଗଲେ ଯେ ଟିଭି ସାମ୍ବାଦିକର ସବୁ ସମସ୍ୟା ସମାଧାନ ହୋଇଯାଏ, ତା ନୁହେଁ। ଅନେକ ସମୟରେ ବାଇଟ୍ ନିଆଯାଉଥିବା ବ୍ୟକ୍ତିଙ୍କୁ ସମସ୍ତ ଅନୁରୋଧ ସତ୍ତ୍ୱେ ସେମାନେ ଭୁଲିଯାନ୍ତି ଯେ ସେମାନେ ଯାହା କହୁଛନ୍ତି, ତାହାର କ୍ଷୁଦ୍ର ଏକ ଅଂଶ ମାତ୍ର ଶେଷରେ ବ୍ୟବହାର ହେବ। ପରିଣାମସ୍ୱରୂପ ବାଇଟ୍ଟି ଏତେ ଲମ୍ବା ହୋଇଯାଏ ଯେ ସେଥିରୁ କେଉଁ ୨୦-୨୫ ସେକେଣ୍ଡର ଅଂଶ କାଟି ରିପୋର୍ଟରେ ବ୍ୟବହାର କରିହେବ, ତାହା ସ୍ଥିର କରିବା ସମ୍ବାଦିକ ପାଇଁ କଷ୍ଟ ହୋଇଥାଏ।
ବାଇଟ୍ ସର୍ବସ୍ୱ ଟେଲିଭିଜନ ସମ୍ବାଦିକ ତୁଳନାରେ ସମ୍ବାଦପତ୍ରରେ କାର୍ଯ୍ୟରତ ରିପୋର୍ଟରଙ୍କ ଅବସ୍ଥା ଅପେକ୍ଷାକୃତ ଭାବେ ସହଜ। ପ୍ରଥମତଃ ମୁଦ୍ରିତ ଗଣମାଧ୍ୟମରେ ବାଇଟ୍ର ବିକଳ୍ପ ‘କୋଟ୍’ (ବକ୍ତବ୍ୟ/ମନ୍ତବ୍ୟ) ପାଇଁ ସମୃକ୍ତ ବ୍ୟକ୍ତିଙ୍କ ନିକଟରେ ସଶରୀରେ ପହଞ୍ଚିବା ସବୁବେଳେ ଜରୁରୀ ନୁହେଁ। ଅନେକ ସମୟରେ ଫୋନ୍ରେ ମଧ୍ୟ ଏହା ସଂଗ୍ରହ କରାଯାଇପାରେ (ବିଶେଷକରି ସମ୍ପୃକ୍ତ ବ୍ୟକ୍ତି ଯଦି ରିପୋର୍ଟରଙ୍କ ପରିଚିତ ହୋଇଥାନ୍ତି)। ଦ୍ୱିତୀୟରେ ଔପଚାରିକ ଭାବେ କୋଟ୍ଟିଏ ନ ମିଳିଲେ ବି ଖବରକାଗଜ ସାମ୍ବାଦିକଙ୍କ ପାଇଁ ‘ନିର୍ଭରଯୋଗ୍ୟ ସୂତ୍ରରୁ’ ଓ ‘ନାମ ଗୋପନ ରଖିବା ସର୍ତ୍ତରେ’ ପରି ବିକଳ୍ପ ଅଛି, ଯାହା ଟିଭି ସାମ୍ବାଦିକ ପାଖରେ ନାହିଁ। ତୃତୀୟରେ ଆଜିର ୨୪x୭ ଟିଭି ଯୁଗରେ ଖବରକାଗଜ ସାମ୍ବାଦିକକୁ ଅନେକ ସମୟରେ ଘଟଣାସ୍ଥଳକୁ ଯିବାକୁ ପଡ଼େ ନାହିଁ କି ଟିଭି ସାମ୍ବାଦିକଙ୍କ ପରି ଖରାତରାରେ ଘଣ୍ଟା ଘଣ୍ଟା ଦହଗଞ୍ଜ ହେବାକୁ ପଡ଼େ ନାହିଁ। ଘରେ ବା ଅଫିସ୍ରେ ଟିଭି ସାମ୍ନାରେ ବସିଗଲେ ସମ୍ବାଦ ଲେଖିବା ପାଇଁ ଯାହା ଦରକାର ତାହା ତାହା ଅତି ସହଜରେ ମିଳିଯାଏ। ତେଣେ ବିଚରା ଟିଭି ରିପୋର୍ଟରଟି ବିମାନବନ୍ଦରରେ , ନବୀନ ନିବାସରେ କି ସଚିବାଳୟରେ ଝାଳନାଳ ହୋଇ କାମରେ ଲାଗିଥାଏ। କାରଣ ସାମୂହିକ ବାଇଟ୍ ନେଲାବେଳେ ମଧ୍ୟ ଟିଭି ପରଦାରେ ତା ‘ବୁମ୍’ ଦିଶୁ ନ ଥିଲେ ତାକୁ ହୁଏତ ପରେ କୈଫିୟତ ଦେବାକୁ ପଡ଼ିପାରେ।
ମୁଁ ନିଜେ ମୁଦ୍ରିତ ଗଣମାଧ୍ୟମରେ ବହୁବର୍ଷ କାର୍ଯ୍ୟ କରିଛି। ତେଣୁ ଖବରକାଗଜ ସାମ୍ବାଦିକଙ୍କୁ ନ୍ୟୁନ କରି ଦେଖାଇବାର ମୋର ଆଦୌ ଅଭିପ୍ରାୟ ନାହିଁ। ଦୁଇ ବର୍ଗର କାର୍ଯ୍ୟଶୈଳୀରେ ତୁଳନା କରିବା ପଛରେ ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଖବର ସଂଗ୍ରହ କରିବା ପାଇଁ ଟିଭି ସାମ୍ବାଦିକଟିଏ ଯେଉଁ କୁଛ୍ରସାଧନା କରେ, ତାହାକୁ ସ୍ୱୀକାର କରିବା ଓ ସେଥିପାଇଁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା। ନିଜ ଅଜାଣତରେ ଓ ଅନିଚ୍ଛାକୃତ ଭାବେ ହେଉପଛେ, ସେ ଆମ ସମସ୍ତଙ୍କ ପାଇଁ କାମ କରେ; କେବଳ ନିଜ ପାଇଁ ନୁହେଁ।
(ସୌଜନ୍ୟ: ସଂପର୍କ)
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।