ପୁଣି ଚର୍ଚ୍ଚାରେ କାଶୀପୁର: ଆମ୍ୱ ଟାକୁଆ ଜାଉ ଖାଇ ୨ ମୃତ, ୬ ଗୁରୁତର

କଲ୍ୟାଣିସିଂହପୁର: ଓଡ଼ିଶାରେ ପୁଣି ଦାରିଦ୍ର୍ୟର ଏକ କରୁଣ ଚିତ୍ର। ଯାଜପୁର ଜିଲ୍ଲା ନଗଡ଼ାରେ ଅପପୁଷ୍ଟି ଓ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଶବ କାନ୍ଧରେ ବୁହା ହେବା ଓଡ଼ିଶା ଲୋକଙ୍କ ଦାରିଦ୍ର୍ୟକୁ ପଦାରେ ପକାଇ ସାରିଛି। ଏବେ ରାୟଗଡ଼ା ଜିଲ୍ଲା ଏଥିରେ ସାମିଲ ହୋଇ ପ୍ରମାଣ କରିଛି ଯେ ଦାରିଦ୍ର୍ୟ ରାଜ୍ୟର କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ନୁହେଁ। ଭୋକ ମେଣ୍ଟାଇବାକୁ ଆମ୍ବ ଟାକୁଆ ଜାଉ ଖାଇ ଜଣେ ବାଳକ ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର […]

kasipur1

Rakesh Mallick
  • Published: Saturday, 27 August 2016
  • , Updated: 28 August 2016, 06:41 PM IST

କଲ୍ୟାଣିସିଂହପୁର: ଓଡ଼ିଶାରେ ପୁଣି ଦାରିଦ୍ର୍ୟର ଏକ କରୁଣ ଚିତ୍ର। ଯାଜପୁର ଜିଲ୍ଲା ନଗଡ଼ାରେ ଅପପୁଷ୍ଟି ଓ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଶବ କାନ୍ଧରେ ବୁହା ହେବା ଓଡ଼ିଶା ଲୋକଙ୍କ ଦାରିଦ୍ର୍ୟକୁ ପଦାରେ ପକାଇ ସାରିଛି। ଏବେ ରାୟଗଡ଼ା ଜିଲ୍ଲା ଏଥିରେ ସାମିଲ ହୋଇ ପ୍ରମାଣ କରିଛି ଯେ ଦାରିଦ୍ର୍ୟ ରାଜ୍ୟର କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ନୁହେଁ। ଭୋକ ମେଣ୍ଟାଇବାକୁ ଆମ୍ବ ଟାକୁଆ ଜାଉ ଖାଇ ଜଣେ ବାଳକ ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ତଳଝରି ପଞ୍ଚାୟତ ସିପିଯୋଡ଼ି ଗ୍ରାମରୁ।

ଆମ୍ୱ ଟାକୁଆ ଜାଉ ଖାଇ ଗତକାଲି ଜଣେ ବାଳକ ଓ ଆଜି ନରସିଂହ (୬୦) ନାମକ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୬ ଜଣ ଅସୁସ୍ଥ ହୋଇ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

ଗତକାଲି ଆମ୍ବ ଟାକୁଆ ଜାଉ ଖାଇ ସିପିଯୋଡ଼ିରେ ୧୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଜଣେ ବାଳକର ଓ ଆଜି ନରସିଂହଙ୍କ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଉକ୍ତ ଗାଁରେ ପ୍ରଶାସନ ପହଞ୍ଚି ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

ମୃତ ପିଲାର ବାପା ହାରପୁର ମାଝି କହିଛନ୍ତି, “ମୋ ପରିବାରରେ ୧୦ରୁ ୧୨ ସଦସ୍ୟ। ସରକାର ୫ରୁ ୧୦ କିଲୋ ଚାଉଳଦେଉଛନ୍ତି। ସେଥିରେ ପେଟ ପୁରୁନି। କ’ଣ କରିବୁ କିଛି ଉପାୟ ନ ପାଇ ଆମ୍ୱ ଟାକୁଆ ଜାଉ, ଜଙ୍ଗଲି କନ୍ଦା, ଡାଳ ଓ ପତର ଖାଇ ବଞ୍ଚୁଛୁ। ସେଥିପାଇଁ ମୋ ପୁଅ ମରିଗଲା। ଏବେ ସୁଦ୍ଧା ଆମ ଗାଁକୁ ଏଏନ୍‌ଏମ୍‌ ଦିଦି କି ଡାକ୍ତର ଆସିନାହାନ୍ତି।”

ରାୟଗଡ଼ା ଏଡିଏମ୍‌ ଲକ୍ଷ୍ମୀଧର ବେହେରା କହିଛନ୍ତି, “ମୃତ୍ୟୁର ପ୍ରକୃତ କାରଣ ଜଣାପଡିନି। ସେମାନେ ଆମ୍ୱ ଟାକୁଆ ଜାଉ ଖାଇ ନା ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁମୁଖରେ ପଡ଼ିଛନ୍ତି ତଦନ୍ତ ପରେ ଜଣାପଡ଼ିବ।”

ସୂଚନାଯୋଗ୍ୟ ଯେ ୨୦୦୧ ମସିହାରେ କାଶୀପୁର ଅଞ୍ଚଳରେ ବିଷାକ୍ତ ଆମ୍ବ ଟାକୁଆ ଖାଇ ଅନ୍ତତଃ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା।

ଦେଶରେ କେହି ଭୋକିଲା ରହିବେ ନାହିଁ। ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି। ପ୍ରକୃତରେ ଏହି ଯୋଜନା କେତେଦୂର ଲୋକଙ୍କ ପାଖରେ ପହଞ୍ଚୁଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିଶେଷ କରି ଆଦିବାସୀ ଲୋକଙ୍କ ବିକାଶ ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ନଗଡ଼ା, ଭବାନୀପାଟଣା ହେଉ କି ସିପିଯୋଡ଼ି, ସବୁଠି ଦାରିଦ୍ର୍ୟ କାୟା ବିସ୍ତାର କରିଛି। ଆଉ ଏହି ଦାରିଦ୍ର୍ୟର କଷାଘାତରେ ବଳି ପଡୁଛନ୍ତି ଗରିବ ଆଦିବାସୀ। ସରକାରଙ୍କ ତରଫରୁ ମିଳୁଥିବା ଚାଉଳ ସେମାନଙ୍କ ଭୋକ ମେଣ୍ଟାଇ ପାରୁନାହିଁ, ଫଳରେ ବାଧ୍ୟ ହୋଇ ସେମାନେ ଖାଉଛନ୍ତି ଜଙ୍ଗଲି କନ୍ଦା, ତେନ୍ତୁଳି ମଞ୍ଜି, ଆମ୍ବ ଟାକୁଆ ଓ ବିଭିନ୍ନ କିସମର ଶାଗ।

Related story