ସ୍ନାନବେଦିରେ ଶ୍ରୀଜୀଉଙ୍କୁ ଛୁଇଁବା ବିବାଦ ତେଜିଲା

ପୁରୀ: କଟକଣା ସତ୍ତ୍ୱେ ଗତକାଲି ଶେଷ ହୋଇଥିବା ଶ୍ରୀଜୀଉଙ୍କ ସ୍ନାନଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦୀର୍ଘ ୨ ଘଣ୍ଟା ଧରି ଛୁଇଁଥିଲେ ଶହ ଶହ ଭକ୍ତ। ମନ୍ଦିର ପ୍ରଶାସନର ନିୟମ-ନିର୍ଦ୍ଦେଶକୁ ବେଖାତିର କରି ଗତକାଲି ଭକ୍ତମାନେ ଶ୍ରୀଜୀଉଙ୍କର ହାତୀ ବେଶ ହେଉଥିବା ବେଳେ ଅଙ୍ଗ ସ୍ପର୍ଶ କରିବା ସହ କିଛି ଭକ୍ତ ଆଲିଙ୍ଗନ ମଧ୍ୟ କରିଥିବା ଜଣାପଡିଛି। ଏହାକୁ ନେଇ ପୁଣି ଏକ ବିବାଦ ମୁଣ୍ଡ ଟେକିଛି। ଦୁଇ ଜଣ ସେବାୟତଙ୍କ ଉପରୁ ନିଲମ୍ବିତ ସାମୟିକ ଭାବେ ପ୍ରତ୍ୟାହୃତ ହୋଇ […]

puri

Rakesh Mallick
  • Published: Tuesday, 21 June 2016
  • , Updated: 21 June 2016, 10:06 PM IST

ପୁରୀ: କଟକଣା ସତ୍ତ୍ୱେ ଗତକାଲି ଶେଷ ହୋଇଥିବା ଶ୍ରୀଜୀଉଙ୍କ ସ୍ନାନଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦୀର୍ଘ ୨ ଘଣ୍ଟା ଧରି ଛୁଇଁଥିଲେ ଶହ ଶହ ଭକ୍ତ। ମନ୍ଦିର ପ୍ରଶାସନର ନିୟମ-ନିର୍ଦ୍ଦେଶକୁ ବେଖାତିର କରି ଗତକାଲି ଭକ୍ତମାନେ ଶ୍ରୀଜୀଉଙ୍କର ହାତୀ ବେଶ ହେଉଥିବା ବେଳେ ଅଙ୍ଗ ସ୍ପର୍ଶ କରିବା ସହ କିଛି ଭକ୍ତ ଆଲିଙ୍ଗନ ମଧ୍ୟ କରିଥିବା ଜଣାପଡିଛି। ଏହାକୁ ନେଇ ପୁଣି ଏକ ବିବାଦ ମୁଣ୍ଡ ଟେକିଛି। ଦୁଇ ଜଣ ସେବାୟତଙ୍କ ଉପରୁ ନିଲମ୍ବିତ ସାମୟିକ ଭାବେ ପ୍ରତ୍ୟାହୃତ ହୋଇ ଥିବା ବେଳେ ଏହି ନୂଆ ବିବାଦ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପୁରୀ ଜିଲ୍ଲା ଏସ୍‌ପି, ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ଶହ ଶହ ଭକ୍ତ ବ୍ୟାରିକେଡ ପାର ହୋଇ ମହାପ୍ରଭୁଙ୍କୁ କିପରି ଛୁଇଁଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୀର୍ଘ ସମୟ ଧରି ଭକ୍ତମାନେ ଏପରି କରୁଥିଲେ ମଧ୍ୟ ତାଙ୍କୁ କାହିଁକି ବାଧା ଦିଆଗଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ଭକ୍ତଙ୍କୁ ବାରଣ ନ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଚାପ ପଡିଥିଲା ନା ଏହି ଘଟଣା ପଛରେ କିଛି ସେବାୟତଙ୍କ ହାତ ରହିଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପଶ୍ଚିମବଙ୍ଗରୁ ଆସିଥିବା ଜଣେ ଭକ୍ତ କହିଛନ୍ତି,“ଜଗନ୍ନାଥଙ୍କ ଦଇତାପତି ମତେ ମହାପ୍ରଭୁଙ୍କୁ ଛୁଇଁବା ପାଇଁ ନେଇଥିଲେ ବୋଲି ମୁଁ ଯାଇଥିଲି।”

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି,“ମନ୍ଦିରର ବହୁ ସ୍ଥାନରେ ସିସିଟିଭି ଲାଗାଯାଇଛି। ଏହାର ଯାଞ୍ଚ କରାଯିବ। ମୁଁ ପୂରା ଦିନ ରାତି ସେଠାରେ ଥିଲି। ଯିଏ ଯଦି କିଏ ଭକ୍ତଙ୍କୁ ଏପରି ବେଆଇନ୍‌ ଭାବେ ଶ୍ରୀଜୀଉଙ୍କ ନିକଟକୁ ନେଇଥିବେ ତେବେ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ।”

ଦଇତାପତି ନିଯୋଗର ସହ ସମ୍ପାଦକ ବିନାୟକ ଦାସମହାପାତ୍ର କହିଛନ୍ତି,“ସ୍ନାନବେଦୀ ଉପରେ ସଦାବେଳେ ଭକ୍ତମାନେ ଦର୍ଶନ କରୁଥିଲେ। ଗତକାଲି ଦର୍ଶନ କରିଛନ୍ତି। ଯଦି ମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଦେଖିବା ସେ କେଉଁ ଢଙ୍ଗରେ କ’ଣ ଆକ୍ସନ ନେବେ ଆଉ କାହା ଉପରେ ନେବେ ନିଅନ୍ତୁ। ଆଉ ଆମେ ତ କହୁଛୁ ସେ ସମସ୍ତଙ୍କୁ ଯଦି ନିଲମ୍ବିତ କରିପାରିବେ ତେବେ କରନ୍ତୁ, କିଛି ଅସୁବିଧା ନାହିଁ।”

ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗଙ୍କ ନୀତି ସବ୍‌ କମିଟି ବୈଠକରେ ସ୍ନାନବେଦୀରେ ମହାପ୍ରଭୁଙ୍କୁ ଭକ୍ତ ଦର୍ଶନ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଜଗତଗୁରୁ ଶଙ୍କାରାଚାର୍ଯ୍ୟ ମଧ୍ୟ ସ୍ପର୍ଶ ଉପରେ ବାରଣ କରିଥିଲେ। ଗଜପତି ମହାରାଜା ମଧ୍ୟ ଶ୍ରୀଜୀଉଙ୍କୁ ସ୍ପର୍ଶ କରିବା ମହାପାପ ବୋଲି ପୂର୍ବରୁ କହିଥିଲେ। ଏବେ ନଜର ଏହି ଘଟଣା କେଉଁ ମୋଡ ନେଉଛି।

Related story