ଓଡ଼ିଆ ଶିଖିବାକୁ ନବୀନଙ୍କୁ ୨୦୦୦ ମସିହାରେ ବହି ଦେଇଥିଲେ ପ୍ୟାରୀ

ଭୁବନେଶ୍ୱର: ଓଡ଼ିଆ ଶିଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୦୦୦ ମସିହାରେ ବହି କିଣି ଦେଇଥିଲେ ଏକଦା ତାଙ୍କର ଅତ୍ୟନ୍ତ ଖାସ୍‌  ପ୍ୟାରୀମୋହନ ମହାପାତ୍ର। ତେବେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଶିଖିବା ନେଇ ଆଗ୍ରହ ଦେଖାଇ ନ ଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଶିଖାଇବା ପାଇଁ ଗତକାଲି ଓ ଆଜି ଛାତ୍ର କଂଗ୍ରେସ କର୍ମୀ ନବୀନ ନିବାସକୁ ରାଲି କରି ଯିବାକୁ ଉଦ୍ୟମ କରିଥିବା ବେଳେ ପ୍ୟାରୀ ଆଜି ଦେଇଛନ୍ତି ଏହି ମନ୍ତବ୍ୟ। ସେ କହିଛନ୍ତି,“ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଶିଖିବା […]

pyari-mohan-mahapatra

Rakesh Mallick
  • Published: Saturday, 02 April 2016
  • , Updated: 02 April 2016, 02:42 PM IST

ଭୁବନେଶ୍ୱର: ଓଡ଼ିଆ ଶିଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୦୦୦ ମସିହାରେ ବହି କିଣି ଦେଇଥିଲେ ଏକଦା ତାଙ୍କର ଅତ୍ୟନ୍ତ ଖାସ୍‌  ପ୍ୟାରୀମୋହନ ମହାପାତ୍ର। ତେବେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଶିଖିବା ନେଇ ଆଗ୍ରହ ଦେଖାଇ ନ ଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଶିଖାଇବା ପାଇଁ ଗତକାଲି ଓ ଆଜି ଛାତ୍ର କଂଗ୍ରେସ କର୍ମୀ ନବୀନ ନିବାସକୁ ରାଲି କରି ଯିବାକୁ ଉଦ୍ୟମ କରିଥିବା ବେଳେ ପ୍ୟାରୀ ଆଜି ଦେଇଛନ୍ତି ଏହି ମନ୍ତବ୍ୟ।

ସେ କହିଛନ୍ତି,“ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଶିଖିବା ପାଇଁ ମୁଁ ବର୍ଣ୍ଣବୋଧ କିଣି ନ ଥିଲି। ତାଙ୍କ ପାଇଁ ଜଣେ ସ୍ୱିଡିସ୍‌ ଲେଖକଙ୍କ ଇଂରାଜିରୁ ଓଡ଼ିଆକୁ ଶିଖିବାକୁ ଏକ ପୁସ୍ତକ ଦେଇଥିଲି। ସହଜରେ କିପରି ଓଡ଼ିଆ ଶିଖିହେବ ସେହି ଲେଖକ ଜଣଙ୍କ ଉକ୍ତ ପୁସ୍ତକରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି। ୨୦୦୦ ମସିହାରେ ମୁଁ ଯୋଡିଏ ବହି କିଣି ଥିଲି। ଗୋଟିଏ ବହି ମୋ ପୁତ୍ରବଧୂ ଓ ଆଉ ଗୋଟିଏ ବହି ନବୀନ ପଟ୍ଟନାୟକଙ୍କୁ ଦେଇଥିଲି। ଦୁଇଜଣଙ୍କୁ ଦେଇଥିଲି ତାଙ୍କ ମଧ୍ୟରୁ କେହି ଶିଖିଲେ ନାହିଁ। ମୁଁ ନବୀନ ବାବୁଙ୍କୁ କାହିଁକି ଦୋଷୀ କରିବି?”

ନବୀନ ପଟ୍ଟନାୟକଙ୍କ ଇଂରାଜି-ଓଡ଼ିଆ ସ୍କ୍ରିପ୍ଟକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, “ସେ(ନବୀନ) ଭାବନ୍ତି ଯେଉଁ ଦିନ ଓଡ଼ିଆ ଶିଖିବେ ସେ ଦିନ ଓଡ଼ିଆ ଲୋକ ସହିବେ ନାହିଁ। ସେ ଭାବନ୍ତି ଆମ ଓଡ଼ିଆ ଲୋକଙ୍କ ମନରେ ହୀନମାନ୍ୟତା ରହିଛି ଓ ଏହା ସତ୍ୟ ମଧ୍ୟ। ଓଡ଼ିଶାରେ କଂଗ୍ରେସ, ବିଜେପି ସମେତ ଯେତେ ଛୋଟ ଦଳ ରହିଛନ୍ତି ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ରହିଛି।”

ସେହିଭଳି ଗତକାଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଭେଟିବା ନେଇ ମଧ୍ୟ ମୁହଁ ଖୋଲିଛନ୍ତି ପ୍ୟାରୀ।

ଓଡ଼ିଶା ଜନମୋର୍ଚ୍ଚାର ସଭାପତି ପ୍ୟାରୀ ମୋହନ ମହାପାତ୍ର କହିଛନ୍ତି,“ ମୁଁ ପୂର୍ବରୁ କହିଛି ମୋ ଅସୁସ୍ଥତା ଶୁଣି ଗତକାଲି ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରସାଦ ହରିଚନ୍ଦନ ଆସିଥିଲେ। ଗତ ୪ ତାରିଖରେ ମୋର ଅସ୍ତ୍ରୋପଚାର ହୋଇଥିଲା । ମୁଁ ସୁସ୍ଥ ହୋଇଗଲିଣି। ଡାକ୍ତରମାନେ ମାସେ ପରେ ଟେଷ୍ଟ କରିବେ। ଦୁଇଦିନ ପରେ ବମ୍ବେରେ ଏହି ଟେଷ୍ଟ ହେବ। ସେଥିପାଇଁ ଆଜି ବମ୍ବେ ଯାଉଛି।”

ବିଜେଡି ପକ୍ଷରୁ ତାଙ୍କୁ କେହି ଦେ‍‌ଖିବାକୁ ଆସିଥିଲେ କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ସେ କହିଥିଲେ, “ଏହା ଦୁର୍ଭାଗ୍ୟ ଯେ, ଏପର୍ଯ୍ୟନ୍ତ କୌଣସି ବିଜେଡି ନେତା ମାନବିକ ଦୃଷ୍ଟିକୋଣରୁ ଆସିନାହାନ୍ତି। ଯଦି ନବୀନ ପଟ୍ଟନାୟକ ବେମାର ପଡିବେ ମୋର ତାଙ୍କ ସହ ଯେତେ ମନୋମାଳିନ୍ୟ ଥିଲେ ବି ମୁଁ ଖବର ପାଇଲେ ନିଶ୍ଚିତ ଯିବି। କିନ୍ତୁ ଠାକୁରଙ୍କୁ ଡାକୁଛି ସେମତି ତାଙ୍କର ନ ହେଉ। ତାଙ୍କ ସହ ଯେତେ ମନୋମାଳିନ୍ୟ ଥିଲେ ବି ମଣିଷ ହିସାବରେ ଭଦ୍ରାମୀ ହେଉଛି ଯାଇ ଦେଖି ଆସିବା କଥା। ତାଙ୍କର ଖବର ନେବା,ତାଙ୍କୁ ବୋଧ ଦେବା। ଜଣେ ସାଧାରଣ ମଣିଷର ମଣିଷପଣିଆ କାହିଁକି ହଜିଯିବ?”

ସୂଚନାଯୋଗ୍ୟ, ଗତକାଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ପୃଥକ ପୃଥକ ଭାବେ ଭେଟିଥିଲେ।

Related story