ରାଷ୍ଟ୍ରପତି ଶାସନ ଦାବି କଲା କଂଗ୍ରେସ, ସର୍ବଦଳୀୟ ବୈଠକ ଅସମାପ୍ତ, ମଙ୍ଗଳବାର ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର: ଚିଟ୍‌ଫଣ୍ଡ କେଳେଙ୍କାରୀକୁ ନେଇ ବିଧାନସଭାରେ ଲାଗି ରହିଥିବା ଅଚଳାବସ୍ଥା ଦୂର ଲାଗି ବସିଥିବା ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ଫଳରେ ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବି କରିଦିଆଯାଇଛି। ସେପଟେ ବିରୋଧୀ ଦଳ ନେତାଙ୍କୁ ଶାସକ ଦଳ ସଦସ୍ୟମାନେ ଗୃହରେ କୁହାଇ ନ ଦେବା ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କରିଛନ୍ତି। ରାଷ୍ଟ୍ରପତି ଶାସନ ଜାରି କରିବା ଦାବି ନେଇ ରାଜ୍ୟପାଳଙ୍କୁ ଭେଟି ଆଜି […]

Congress

Rakesh Mallick
  • Published: Saturday, 07 May 2016
  • , Updated: 07 May 2016, 02:51 PM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ କେଳେଙ୍କାରୀକୁ ନେଇ ବିଧାନସଭାରେ ଲାଗି ରହିଥିବା ଅଚଳାବସ୍ଥା ଦୂର ଲାଗି ବସିଥିବା ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ଫଳରେ ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବି କରିଦିଆଯାଇଛି। ସେପଟେ ବିରୋଧୀ ଦଳ ନେତାଙ୍କୁ ଶାସକ ଦଳ ସଦସ୍ୟମାନେ ଗୃହରେ କୁହାଇ ନ ଦେବା ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କରିଛନ୍ତି।

ରାଷ୍ଟ୍ରପତି ଶାସନ ଜାରି କରିବା ଦାବି ନେଇ ରାଜ୍ୟପାଳଙ୍କୁ ଭେଟି ଆଜି କଂଗ୍ରେସ ବିଧାୟକମାନେ ଫେରାଦ ହୋଇଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ସମସ୍ତ କଂଗ୍ରେସ ବିଧାୟକ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ସୃଷ୍ଟି ହୋଇଥିବା ସାମ୍ବିଧାନିକ ସଂକଟ ଦୂର କରିବାକୁ ଦାବି ଜଣାଇଛନ୍ତି। ଏହାସହ ଚିଟ୍‌ଫଣ୍ଡ କମିଶନ ଜଷ୍ଟିସ ଏମ୍‌.ଏମ୍‌. ଦାସଙ୍କ ବହିଷ୍କାର ମଧ୍ୟ ଦାବି କରିଛନ୍ତି।

ବିରୋଧୀ ଦଳ ନେତା ମିଶ୍ର କହିଛନ୍ତି, “୩ଟି ବିଷୟରେ ରାଜ୍ୟପାଳଙ୍କୁ ଜଣାଇଲୁ। ପ୍ରଥମେ ଜଷ୍ଟିସ ଦାସଙ୍କୁ ବହିଷ୍କାର କରାଯିବାକୁ ଦାବି ଜଣାଇଲୁ। ଏହାସହ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲୁ। ଯଦି ମୁଖ୍ୟମନ୍ତ୍ରୀ ଇସ୍ତଫା ନ ଦେଉଛନ୍ତି ତେବେ ସମ୍ବିଧାନ ଧାରା ୩୫୬ ଅନୁସାରେ ରାଷ୍ଟ୍ରପତି ଶାସନ ଜରି କରିବାକୁ ସୁପାରିଶ କରିବାକୁ ରାଜ୍ୟପାଳଙ୍କୁ ଦାବି ଜଣାଇଛୁ।”

ସେ କହିଛନ୍ତି, “ଭାରତରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ବିରୋଧୀ ଦଳ ନେତାଙ୍କୁ ବିଧାନସଭାରେ କୁହାଇ ଦିଆଯିବ ନାହିଁ ବୋଲି ରାଜ୍ୟ ସରକାର ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି। ବିରୋଧୀ ଦଳ ନେତା ଇସ୍ତଫା ଦିଅନ୍ତୁ ବୋଲି ଦାବି କରୁଛନ୍ତି। ଏହି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଗୃହ ଚଳାଇ ଦେବାକୁ ଚାହୁଁ ନାହାନ୍ତି। ଏହା ସମ୍ବିଧାନ ବିରୋଧୀ। ଏଠାରେ ସମ୍ବିଧାନ ବ୍ୟବସ୍ଥା ଭୁଷୁଡି ପଡିଛି, ରାଷ୍ଟ୍ରପତି ଶାସନ ଜାରି ହେବା ଆବଶ୍ୟକ। ଏଥିରେ ରାଜ୍ୟପାଳ ହସ୍ତକ୍ଷେପ କରନ୍ତୁ।”

ଚିଟ୍‌ଫଣ୍ଡ କେଳେଙ୍କାରୀ ଓ ବିଜେଡି ଆକାଉଣ୍ଟ ପ୍ରସଙ୍ଗକୁ ନେଇ ଆଜି ମଧ୍ୟ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ଗୃହ କାର୍ଯ୍ୟ ଆରମ୍ଭର ୨ ମିନିଟ୍‌ ପରେ ବାଚସ୍ପତି ପ୍ରଥମେ ସାଢେ ୧୨ଟା ଓ ପରେ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବି କରିଦେଇଥିଲେ। ଗୃହରେ ଲାଗି ରହିଥିବା ଅଚଳାବସ୍ଥା ଦୂର ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ପ୍ରଥମେ ଏଥିରେ ବିରୋଧୀ ଦଳ ନେତା କି ବିଜେପି ବିଧାୟକ ଦଳ ନେତା ଯୋଗ ଦେଇ ନ ଥିଲେ। ପରେ ବିରୋଧୀ ଦଳ ନେତା ରାଜ୍ୟପାଳଙ୍କୁ ଭେଟି ଫେରିବା ପରେ ବୈଠକରେ ଯୋଗ ଦେଇଥିଲେ। ହେଲେ ଏହା ଅସମାପ୍ତ ରହିବାରୁ ମଙ୍ଗଳବାର ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଦିଆଯାଇଛି। ଆସନ୍ତା ମଙ୍ଗଳବାର ପୂର୍ବାହ୍ନ ସାଢେ ୯ଟାରେ ପୁଣି ଥରେ ସର୍ବଦଳୀୟ ବୈଠକ ବସିବ ବୋଲି ବାଚସ୍ପତି ନିଷ୍ପତ୍ତି ନେଇଛନ୍ତି। ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ନ ଦେବାରୁ କୌଣସି ସମାଧାନର ପନ୍ଥା ବାହାରି ପାରୁ ନାହିଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ବାଚସ୍ପତି ନିରଞ୍ଜନ ପୂଜାରୀ କହିଛନ୍ତି, “ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ସର୍ବଦଳୀୟ ବୈଠକ ବସିଥିଲା। ଆସନ୍ତା ମଙ୍ଗଳବାର ପୁଣି ବୈଠକ ବସିବ। ମୁଁ ଆଶା କରୁଛି ଶୀଘ୍ର ସମାଧାନର ବାଟ ବାହାରିବ।”

ବିରୋଧୀ ଦଳ ମୁଖ୍ୟସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ଚିଟ୍‌ଫଣ୍ଡ କେଳେଙ୍କାରୀକୁ ନେଇ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି। ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ଗୃହରେ ଗରିବ ଲୋକଙ୍କ ଚିଟ୍‌ଫଣ୍ଡ ଟଙ୍କା କେତେଦିନ ମଧ୍ୟରେ ଦେବେ ଓ କମିଶନଙ୍କୁ କେବେ ବିଦା କରିବେ ନ କହିଛନ୍ତି ଆମେ ଚୁପ ହୋଇ ବସିବୁ ନାହିଁ।”

ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, “ବିରୋଧୀ ପ୍ରଶ୍ନକାଳ ଚଳାଇ ନ ଦେବା ଦୁର୍ଭାଗ୍ୟର ବିଷୟ। ଆଜି ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବାର ଥିଲା। ହେଲେ ବିରୋଧୀ ଦଳ କିଛି କରାଇ ଦେଲେନାହିଁ।”

Related story