ଭୁବନେଶ୍ୱର: ଆଜି ହେଉଛି ଗାନ୍ଧି ଜୟନ୍ତୀ। ଆଜି ମଧ୍ୟ ଶାସ୍ତ୍ରୀ ଜୟନ୍ତୀ। ଆଜି ସାରା ଦେଶରେ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୧୩ ତମ ଜୟନ୍ତୀ ପାଳନ କରାଯାଉଛି। ୧୯୦୪ ମସିହାରେ ଉତ୍ତର ପ୍ରଦେଶର ମଗୁଲସରାଇରେ ଏକ କାୟସ୍ଥ ହିନ୍ଦୁ ପରିବାରରେ ସେ ଜନ୍ମ ହୋଇଥିଲେ। ୧୯୬୪ ମସିହାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ପରଲୋକ ପରେ ତାଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା। ସେହି ବର୍ଷ ଜୁନ୍ ୯ ତାରିଖରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୧୯୬୬ ମସିହା ଜାନୁଆରୀ ୧୧ ତାରିଖରେ ଉଜ୍ବେକିସ୍ଥାନର ତାସ୍କେଣ୍ଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ନେଇ ବିବାଦ ରହିଛି। ତେବେ କୁହାଯାଏ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା। ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ସ୍ୱଳ୍ପ ସମୟ (ବର୍ଷେ ୨୧୬ ଦିନ) ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ହେଁ ତାଙ୍କର କାର୍ଯ୍ୟଧାରା ସମସ୍ତଙ୍କୁ ଆକର୍ଷିତ କରିପାରିଥିଲା। ସେ ହିଁ ପ୍ରଥମେ ଯବାନ ସହିତ ଦେଶର କୃଷକଙ୍କୁ ଯୋଡ଼ି କହିଥିଲେ ‘ଜୟ ଯବାନ ଜୟ କିଷାନ’। ଏଥିରୁ ଜଣାପଡ଼ୁଛି ଦେଶର କୃଷକମାନଙ୍କୁ ସେ କେତେ ଗୁରୁତ୍ୱ ଦେଉଥିଲେ। ତେବେ ଆଉ ଗୋଟିଏ କଥା ପାଇଁ ସେ ସାରା ଦେଶରେ ବେଶ୍ ପରିଚିତ ଥିଲେ। ଆଉ ଆଜି ବି ତାଙ୍କର ସେହି ଗୁଣ ଅନେକଙ୍କୁ ଉତ୍ସାହିତ କରେ। ତାହା ହେଉଛି ତାଙ୍କର ସରଳତା ଓ ସଚ୍ଚୋଟତା। ସେ ସରଳ ଓ ନିରାଡ଼ମ୍ବର ଥିଲେ। ପ୍ରଧାନମନ୍ତ୍ରୀ ହେଲା ପରେ ମଧ୍ୟ ତାଙ୍କର ଏହି ଗୁଣରେ କୌଣସି ପରିବର୍ତ୍ତନ ହୋଇନଥିଲା। ନିଜର କ୍ଷମତା ଅନୁସାରେ ସେ ଖର୍ଚ୍ଚ ଓ କିଣାକିଣି କରିବାକୁ ଭଲ ପାଉଥିଲେ। ତାଙ୍କ ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ ଗୋଟିଏ କଥା ଯାହା ଆପଣଙ୍କୁ ତାଙ୍କର ସରଳତା ଓ ସଚ୍ଚୋଟତା ସଂପର୍କରେ ଆପଣଙ୍କୁ ଅବଗତ କରାଇବ ଓ ପ୍ରେରଣା ଦେବ।
[caption id="attachment_169064" align="aligncenter" width="600"]
କଥାଟି ହେଉଛି ସେ ପ୍ରଧାନମନ୍ତ୍ରୀ ଥିବା ସମୟର। ଥରେ ସେ ଏକ ଲୁଗା କାରଖାନାକୁ ପରିଦର୍ଶନରେ ଯାଇଥିଲେ। ମିଲ୍ ମାଲିକ ତାଙ୍କ ସହିତ ଉପସ୍ଥିତ ଥିଲେ। ସେମାନଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ଅଫିସ୍ର କିଛି ଅଧିକାରୀ ଓ ସମାଜର କେତେ ଜଣ ବିଶିଷ୍ଟ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ। କାରଖାନା ବୁଲି ଦେଖିବା ପରେ ସେ ଗୋଦାମ ଘର ବୁଲିବାକୁ ଗଲେ। ସେଠାରେ ସେ ବୁଲି ବୁଲି ବିଭିନ୍ନ ପ୍ରକାର ଶାଢ଼ି ଦେଖିଲେ। ଏହା ପରେ ପତ୍ନୀଙ୍କ ପାଇଁ କିଣି ନେବା ପାଇଁ କିଛି ଶାଢ଼ି ଦେଖାଇବାକୁ ମିଲ୍ ମାଲିକଙ୍କୁ କହିଲେ। ମିଲ୍ ମାଲିକ ଓ ତାଙ୍କର ସେଲ୍ସ୍ମ୍ୟାନ୍ମାନେ ଲାଲବାହାଦୁର ଶାସ୍ତ୍ରୀଙ୍କୁ ଭଳକି ଭଳି ଶାଢ଼ି ଦେଖାଇଲେ। ସବୁଗୁଡ଼ିକ ଥିଲା ଭାରି ସୁନ୍ଦର ଓ ଉଚ୍ଚମାନର। ଶାଢ଼ିଗୁଡ଼ିକ ତାଙ୍କ ମନକୁ ବେଶ୍ ପାଇଲା। ସେ ଶାଢ଼ିଗୁଡ଼ିକର ଦାମ୍ ପଚାରିଲେ। ମିଲ୍ ମାଲିକ ତାଙ୍କୁ ଗୋଟି ଗୋଟି କରି ଶାଢ଼ିଗୁଡ଼ିକର ଦାମ୍ କହିଲେ,“ଏଇଟା ୮୦୦ ଟଙ୍କା, ସେଇଟା ୧୦୦୦ ଟଙ୍କା ଇତ୍ୟାଦି।” ଏହା ଶୁଣି ଶାସ୍ତ୍ରୀଜୀ କହିଲେ,“ଏଗୁଡ଼ିକ ବହୁତ ଦାମୀ। ମୋତେ ଟିକେ କମ୍ ଦାମ୍ର ଶାଢ଼ି ଦେଖାଅ।”
ପ୍ରଧାନମନ୍ତ୍ରୀଙ୍କଠାରୁ ଏହା ଶୁଣି ମିଲ୍ ମାଲିକ ୫୦୦ ଓ ୪୦୦ ଟଙ୍କିଆ ଶାଢ଼ି ଦେଖାଇଲେ। ସେଗୁଡ଼ିକୁ ଦେଖି ଶାସ୍ତ୍ରୀଜୀ କହିଲେ,“ଏଗୁଡ଼ିକ ଭାରି ଦାମୀ। ମୋତେ ଏହାଠୁ ଟିକେ ଶସ୍ତା ଶାଢ଼ି ଦେଖାଅ ଯେମିତିକି ମୋ ଭଳି ଗରିବ ଲୋକ କିଣିପାରିବ।”
ଏହା ଶୁଣି ମିଲ୍ ମାଲିକ କହିଲେ,“ଆପଣ ଦେଶର ପ୍ରଧାନମନ୍ତ୍ରୀ। ଆପଣଙ୍କୁ କିପରି ଗରିବ କୁହାଯିବ? ତା’ଛଡ଼ା ଆମେ ଆପଣଙ୍କୁ ଉପହାର ଆକାରରେ ଗୋଟିଏ ଶାଢ଼ି ଦେବାକୁ ଚାହୁଁଛୁ।”
ଶାସ୍ତ୍ରୀଜୀ ବିନମ୍ରତାର ସହିତ କହିଥିଲେ,“ନାଁ ମୋର ପ୍ରିୟ ବନ୍ଧୁ, ମୁଁ ଏତେ ଦାମୀ ଉପହାର ଗ୍ରହଣ କରିପାରିବି ନାହିଁ।”
ତେବେ ଲୁଗା ମିଲ୍ ମାଲିକ ବି ଛାଡ଼ିବାର ପାତ୍ର ନଥିଲେ। ସେ ତଥାପି ପ୍ରଧାନମନ୍ତ୍ରୀଙ୍କୁ ଏକ ଦାମୀ ଶାଢ଼ି ଦେବା ପାଇଁ ଚାହିଁଲେ।
ଏହା ଦେଖି ଲାଲବାହାଦୁର କହିଥିଲେ,“ହଁ, ମୁଁ ଦେଶର ପ୍ରଧାନମନ୍ତ୍ରୀ। କିନ୍ତୁ ତା’ର ଅର୍ଥ ନୁହେଁ ଯେ ମୁଁ ସେହି ସବୁ ଉପହାରକୁ ଗ୍ରହଣ କରିବି ଯେଉଁଗୁଡ଼ିକୁ କିଣିବାର କ୍ଷମତା ମୋର ନାହିଁ ବା ଯେଉଁ ଜିନିଷ ଗୁଡ଼ିକୁ କିଣି ମୁଁ ମୋ ପତ୍ନୀଙ୍କୁ ଦେଇପାରିବିନି। ମୁଁ ପ୍ରଧାନମନ୍ତ୍ରୀ ହେଲେ ବି ମୋର ସୀମିତତା ରହିଛି। ଦୟାକରି ମୋତେ ଟିକେ ଶସ୍ତା ଶାଢ଼ି ଦେଖାନ୍ତୁ। ମୁଁ ସେଗୁଡ଼ିକୁ କିଣିବି ଯେଉଁଥିପାଇଁ ମୋର କ୍ଷମତା ଅଛି।”
ଶାସ୍ତ୍ରୀଜୀଙ୍କ ବିଷୟରେ ଏମିତି ଅନେକ କଥା ଅଛି ଯାହା ତାଙ୍କର ବ୍ୟକ୍ତିତ୍ୱକୁ ପ୍ରତିପାଦିତ କରେ। ସେ କଥା ନୁହେଁ, ସବୁ ଜିନିଷ କାର୍ଯ୍ୟରେ କରି ଦେଖାଉଥିଲେ।