ରୋଟାଭାଇରସ୍ ଟୀକା ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାଇଲଖୁଣ୍ଟ ହେବ: ନଡ୍ଡା

ଭୁବନେଶ୍ୱର: ସାର୍ବଜନୀନ ଟୀକାକରଣ ଯୋଜନାରେ ରୋଟାଭାଇରସ୍ ସାମିଲ ହେବା ପରେ ଆଜି ଓଡ଼ିଶାରେ ଏହି ଟୀକାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା। ପ୍ରଥମ  ଥର ପାଇଁ ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ, ହରିୟାଣା ଓ ହିମାଚଳ ପ୍ରଦେଶରେ ମଧ୍ୟ ଏହା କାର୍ଯ୍ୟକାରୀ ହେଉଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା କହିଥିଲେ,“ରୋଟାଭାଇରସ୍ ଟୀକା ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାଇଲଖୁଣ୍ଟ ହେବ। ଶିଶୁ ମୃତ୍ୟୁହାର ରୋକିବାରେ ଏହା ସହାୟକ ହେବ। ‌ ତରଳ ଝାଡ଼ା ଯୋଗୁଁ ବର୍ଷକୁ […]

nadda

Rakesh Mallick
  • Published: Saturday, 26 March 2016
  • , Updated: 26 March 2016, 04:45 PM IST

ଭୁବନେଶ୍ୱର: ସାର୍ବଜନୀନ ଟୀକାକରଣ ଯୋଜନାରେ ରୋଟାଭାଇରସ୍ ସାମିଲ ହେବା ପରେ ଆଜି ଓଡ଼ିଶାରେ ଏହି ଟୀକାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା। ପ୍ରଥମ  ଥର ପାଇଁ ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ, ହରିୟାଣା ଓ ହିମାଚଳ ପ୍ରଦେଶରେ ମଧ୍ୟ ଏହା କାର୍ଯ୍ୟକାରୀ ହେଉଛି।

ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା କହିଥିଲେ,“ରୋଟାଭାଇରସ୍ ଟୀକା ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାଇଲଖୁଣ୍ଟ ହେବ। ଶିଶୁ ମୃତ୍ୟୁହାର ରୋକିବାରେ ଏହା ସହାୟକ ହେବ। ‌ ତରଳ ଝାଡ଼ା ଯୋଗୁଁ ବର୍ଷକୁ ଦେଶରେ ୭୮ ହଜାର ଶିଶୁ ପ୍ରାଣ ହରାଉଛନ୍ତି। ଜନ୍ମରୁ ୫ ବର୍ଷ ମଧ୍ୟରେ ଶିଶୁ ମୃତ୍ୟୁହାର ରୋକିବାକୁ ନୂଆ କରି ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଛି ରୋଟାଭାଇରସ୍। ଏହା  ବେଶ୍ ଉପଯୋଗୀ ହେବ। ଏହି ଟୀକାକରଣ ସବୁ ରାଜ୍ୟକୁ ସଂପ୍ରସାରଣ କରାଯିବ।”

ସେ କହିଥିଲେ,“କେନ୍ଦ୍ର ସରକାର ସମସ୍ତଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ଅଛନ୍ତି। ସାର୍ବଜନୀନ ଟୀକାକରଣରେ ଆଉ ୪ଟି ଟୀକା ସାମିଲ କରାଯିବ।”

ନଡ୍ଡା କହିଥିଲେ,“ଓଡ଼ିଶାରେ ମେଡିକାଲ୍‌ କଲେଜ୍‌ର ବିକାଶ ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେବେ। ଏଥିପାଇଁ ରାଜ୍ୟକୁ ୮୦ କୋଟି ଟଙ୍କା ଦିଆଯାଇଛି। ମାଗଣାରେ ଔଷଧ ଓ ଚିକିତ୍ସା ସେବା ଜିଲ୍ଲା ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ।”

ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ,“ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓଡ଼ିଶାରେ ଆରମ୍ଭ କରାଯାଉଥିବାରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ୱାସ୍ଥମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ମୁଁ କୃତଜ୍ଞତା ଜଣାଉଛି। ଜୁନ୍, ଜୁଲାଇ ଓ ଅଗଷ୍ଟ ମାସରେ ସାଧାରଣତଃ ତରଳ ଝାଡ଼ା (ଡାଇରିଆ) ହୋଇଥାଏ। ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ, ହରିୟାଣା ଓ ହିମାଚଳ ପ୍ରଦେଶରେ  ୪୦ ଭାଗ ରୋଗୀଙ୍କୁ ରୋଟାଭାଇରସ୍ କାରଣରୁ ଡାଇରିଆ ହୋଇଥାଏ। ଏପର୍ଯ୍ୟନ୍ତ ଭାରତ ସରକାର ତରଫରୁ ୯ଟି ଭେକ୍‌ସିନ୍ ୟୁନିଭରସାଲ୍ ଇମ୍ୟୁନାଇଜେସନ୍ ପୋଗ୍ରାମ୍ ବା ପାର୍ସିଆଲ୍ ଇମ୍ୟୁନାଇଜେସନ୍ ପୋଗ୍ରାମ୍ କରାଯାଉଥିଲା। ଆଜିଠୁ ୧୦ ନମ୍ବର ଭେକ୍‌ସିନ୍  ଆରମ୍ଭ ହେଲା। ସେଥିପାଇଁ ଓଡ଼ିଶା ସରକାର ସହଯୋଗରେ ହାତ ବଢ଼ାଇଛନ୍ତି। ଗରିବ  ଲୋକମାନଙ୍କ ପାଇଁ  ଭାରତ ସରକାର ଓ ଓଡ଼ିଶା ସରକାରଙ୍କର ଏହି ସହଯୋଗ ବହୁତ ବଡ଼ ଜୀବନଦାନ ହେବ।”

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ, ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଭାନୁ ପ୍ରତାପ ଶର୍ମା,  ଅତିରିକ୍ତ ସଚିବ ପି.କେ ମିଶ୍ର ଓ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଆରତି ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ।

Related story