କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଢେଲାମାଡ଼: ସାରା ରାଜ୍ୟରେ ମନ୍ତ୍ରୀଙ୍କୁ ବିରୋଧ କରିବ ବିଜେପି

ଭୁବନେଶ୍ୱର: ବରଗଡ଼ରେ ବିଜେପିର ବିକାଶ ଉତ୍ସବରେ ଯୋଗ ଦେବାକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡିକୁ ଢେଲା ମାଡ଼ କରାଯିବା ଘଟଣାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି। କେନ୍ଦ୍ରମନ୍ତ୍ରୀଙ୍କୁ ଏପରି ଦୁର୍ବ୍ୟବହାରକୁ ବିଜେପି ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ଯେସାକୁ ତେସା ନୀତି ଅବଲମ୍ବନ କରାଯାଇ କୌଣସି ଜିଲ୍ଲାରେ ରାଜ୍ୟର ମନ୍ତ୍ରୀଙ୍କୁ ପୁରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି। ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି, “ରାଜ୍ୟ ସରକାର କେନ୍ଦ୍ରମନ୍ତ୍ରୀ ତଥା […]

central-minister

Rakesh Mallick
  • Published: Friday, 24 June 2016
  • , Updated: 24 June 2016, 09:52 PM IST

ଭୁବନେଶ୍ୱର: ବରଗଡ଼ରେ ବିଜେପିର ବିକାଶ ଉତ୍ସବରେ ଯୋଗ ଦେବାକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡିକୁ ଢେଲା ମାଡ଼ କରାଯିବା ଘଟଣାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି। କେନ୍ଦ୍ରମନ୍ତ୍ରୀଙ୍କୁ ଏପରି ଦୁର୍ବ୍ୟବହାରକୁ ବିଜେପି ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ଯେସାକୁ ତେସା ନୀତି ଅବଲମ୍ବନ କରାଯାଇ କୌଣସି ଜିଲ୍ଲାରେ ରାଜ୍ୟର ମନ୍ତ୍ରୀଙ୍କୁ ପୁରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି।

ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି, “ରାଜ୍ୟ ସରକାର କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶାକୁ ଅତିଥି ହୋଇ ଆସିଥିବା ବ୍ୟକ୍ତିଙ୍କୁ କେବଳ ଅପମାନିତ କରିନାହାନ୍ତି। ଏହି ବର୍ଗକୁ ଓ ଦେଶ ପାଇଁ ପ୍ରତିନିଧିତ୍ୱ କରୁଥିବା ନେତୃତ୍ୱକୁ ଅପମାନିତ କରିଛନ୍ତି। ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ଯେଉଁ ଜିଲ୍ଲାକୁ ଯିବେ ବିଜେପି ତାଙ୍କୁ ବିରୋଧ କରିବ। ଏପରି ବିରୋଧ ଆଗାମୀ ଦିନରେ ସମସ୍ତ ସ୍ଥାନରେ ହେବ। ବିଜେଡିର ସାଂସଦ, ମନ୍ତ୍ରୀ ଓ ବିଧାୟକଙ୍କ ନେତୃତ୍ୱରେ ଯେଉଁଭଳି ଭାବେ ବିରୋଧ କରାଗଲା ଓ ଅପମାନ ଦିଆଗଲା ଏହା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ନ ଥିଲେ ସମ୍ଭବ ହୋଇ ନ ଥାନ୍ତା।”

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି, “ନବୀନ ପଟ୍ଟନାୟକ ସରକାର ସାରା ଓଡ଼ିଶାରେ କଳାକନା ବୁଲାଇ ଗରିବ ଲୋକଙ୍କୁ ଯେଉଁପରି ଲୁଟି ଚାଲିଛି, ଏହା ହେଉଛି ତା’ର ଉଦାହରଣ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦୁଇବର୍ଷରେ ନରେନ୍ଦ୍ର ମୋଦି କାମ କରି ଦେଖାଇ ଦେଲେ ଓ ଏହାର ହିସାବ ଦେଉଛନ୍ତି। ୧୬ ବର୍ଷ କ୍ଷମତାରେ ରହି ମଧ୍ୟ ଏମାନେ କରିପାରିଲେ ନାହିଁ। ଏଥିରେ ବିଚଳିତ ହୋଇ ଏପରି କରୁଛନ୍ତି।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ବିଜେଡିର ବିଧାୟକମାନଙ୍କ ମଧ୍ୟରେ ବିରୋଧ କରିବାକୁ ନେଇ ପ୍ରତିଯୋଗିତା ହୋଇଥିଲା। ବରଗଡ଼ ବିଧାୟକ ନା ଭଟ୍‌ଲି ବିଧାୟକ କିଏ ଅଧିକ ବିରୋଧ କରିବ ତାକୁ ନେଇ ଦୁଇ ନେତା ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା। ଯିଏ ଅଧିକ ପ୍ରତିବାଦ କରିବ ସେ ନବୀନ ବାବୁଙ୍କ ପ୍ରିୟ ହେବ। ୩ ଦିନ ପୂର୍ବରୁ ଏହି ବିଧାୟକମାନଙ୍କ ପାଖକୁ ଏପରି କରିବାକୁ ମେସେଜ ଆସିଥିଲା। ମୁଁ ନିଜେ ସେ ମେସେଜ୍‌ ଦେଖିଛି।”

ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି ଏପରି ବ୍ୟବହାରକୁ କଂଗ୍ରେସ ମଧ୍ୟ ବିରୋଧ କରିଛି। ଏହାସହ କେନ୍ଦ୍ରର ବୈମାତୃକ ମନୋଭାବ ଅକ୍ଷମଣୀୟ ବୋଲି କହିଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ପ୍ରତି ଯେପରି ଅବହେଳା ପ୍ରଦର୍ଶନ କରୁଛନ୍ତି, ଏହା ତାହାର ସ୍ୱଭାବିକ ପ୍ରକ୍ରିୟା ହୋଇଥାଇ ପାରେ। ମାତ୍ର ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ସମସ୍ତଙ୍କୁ ସୁରକ୍ଷା ଦେବା। ବିଶେଷ କରି କେନ୍ଦ୍ରମନ୍ତ୍ରୀଙ୍କୁ ସୁରକ୍ଷା ଦେବା। ସରକାର ସେଥିରେ ବିଫଳ ହୋଇଛନ୍ତି।”

ବରଗଡ଼ରେ ବିଜେଡି କର୍ମୀଙ୍କ ନେତୃତ୍ୱ ନେଇଥିବା ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ ଢେଲାମାଡ଼ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଆମେ କାହାରି ଗାଡ଼ି ଭାଙ୍ଗି ନାହୁଁ। ଆମେ ଗଣତାନ୍ତ୍ରିକ ଉପାୟରେ ବିରୋଧ କରିଥିଲୁ।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, “ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀମାନେ କେବଳ ଘୋଷଣା କରୁଛନ୍ତି, କିଛି କାର୍ଯ୍ୟକାରୀ ହେଉନାହିଁ। ରାଉରକେଲାରେ ପ୍ରଧାନମନ୍ତ୍ରୀ କରିଥିବା ଘୋଷଣା କାର୍ଯ୍ୟକାରୀ ହୋଇନାହିଁ। ତାଙ୍କ ନିଜ ଦଳର ବିଧାୟକ ଏହି ପ୍ରସଙ୍ଗକୁ ଉଠାଇଛନ୍ତି। ରାଜ୍ୟର କୃଷକମାନଙ୍କ ସମସ୍ୟାର ସମାଧାନ ପାଇଁ ବରଗଡ଼ରେ ଚାଷୀ ସମାବେଶ କରି ବହୁତ କିଛି କହିଲେ। ଏହା କେବଳ ପ୍ରଚାରସର୍ବସ୍ୱ ହୋଇଛି। ରାଜ୍ୟର ସ୍ୱାର୍ଥ ସମ୍ବଳିତ କୌଣସି ସମସ୍ୟା ଉପରେ କେନ୍ଦ୍ରର ଘୋଷଣା କାର୍ଯ୍ୟକାରୀ ନ ହେଲେ ଲୋକଙ୍କ ଭିତରେ ଯେଉଁ ଅସନ୍ତୋଷ ସୃଷ୍ଟି ହେବ ତାହା ଏପରି ପ୍ରତିଫଳିତ ହେବ।”

କୃଷିମନ୍ତ୍ରୀ ପ୍ରଦୀପ ମହାରଥି କହିଛନ୍ତି, “କାହାର କାଚ ଭାଙ୍ଗିବା, କାହାକୁ ଅଣ୍ଡା ଫୋପାଡିବା ପରି ଘଟଣାକୁ ମୁଁ ପସନ୍ଦ କରେ ନାହିଁ। ମାତ୍ର ଏମାନେ (କେନ୍ଦମନ୍ତ୍ରୀ) ଯେପରି ଭାବେ କାର୍ଯ୍ୟ କରୁଛନ୍ତି ମୋ ମତରେ ଏମାନଙ୍କୁ ବିମାନବନ୍ଦରରୁ ଅଟକାଇ ଦେବା ଉଚିତ।”

Related story