ଭୁବନେଶ୍ୱର: ସାରଥିଙ୍କ ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଛି ଏକ ବଡ଼ ସଫଳତା। ସାରଥିଙ୍କ ତଥାକଥିତ ପୁଅ ସତ୍ୟମ ରାଉଳଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି କ୍ରାଇମବ୍ରାଞ୍ଚର ଅଧିକାରୀମାନେ। ମୁମ୍ବାଇରୁ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ୍ ମୁମ୍ବାଇ ଯାଇଥିଲା। ସତ୍ୟମଙ୍କୁ ଗିରଫ କରି ଭୁବନେଶ୍ୱର ଅଣାଯିବା ପରେ କଟକ ସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇ ଜେରା କରାଯାଉଛି । ତାଙ୍କୁ ପଚରାଉଚରା ପରେ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି। କୋର୍ଟରେ ହାଜର କରି ସତ୍ୟମଙ୍କୁ କ୍ରାଇମବ୍ରାଞ୍ଚ୍ ରିମାଣ୍ଡରେ ଆଣିବ।
ସାରଥି ଗିରଫ ହେବା ପରେ ଫେରାର ହୋଇ ଯାଇଥିଲେ ସତ୍ୟମ। ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ରହିଥିଲା। ତେବେ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଯାଉଥିଲା। ଦୁଇଟି ଟିମ୍ ଏଥିପାଇଁ ନିୟୋଜିତ ହୋଇଥିଲେ। ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଥିବାରୁ ତାଙ୍କର ସାଙ୍ଗ ଓ ଅନ୍ୟାନ୍ୟ ବନ୍ଧୁମାନଙ୍କର ଫୋନ୍ ନମ୍ବରକୁ ଟ୍ରାକ୍ କରୁଥିଲା କ୍ରାଇମବ୍ରାଞ୍ଚ୍। ଏହି ଟ୍ରାକିଂରୁ ହିଁ ଜଣାପଡ଼ିଥିଲା ଯେ ସତ୍ୟମ ମୁମ୍ବାଇରେ ଅଛନ୍ତି। ଏହା ପରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ମୁମ୍ବାଇ ଯାଇଥିଲା।
ସତ୍ୟମଙ୍କଠାରୁ ଅନେକ ସୂଚନା ମିଳିପାରିବ ବୋଲି କ୍ରାଇମବ୍ରାଞ୍ଚ୍ ଆଶା ରଖିଛି। ମୁମ୍ବାଇରେ ସାରଥିଙ୍କର କୌଣସି ଅନୁଗତଙ୍କ ପାଖରେ ସତ୍ୟମ ଥିଲେ ବୋଲି କୁହାଯାଉଛି।ସୂଚନାଯୋଗ୍ୟ, ସତ୍ୟମ ନାଁରେ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଏକ ଡୁପ୍ଲେକ୍ସ ରହିଛି। ଫେରାର ହେବା ପୂର୍ବରୁ ସେ ଏହି ଘରେ ରହିଥିଲେ।