ଗୋଟିଏ ଟର୍ମ ପରେ ସରପଞ୍ଚ ପଦବୀର ସଂରକ୍ଷଣରେ ପରିବର୍ତ୍ତନ କରାଯିବ

ଭୁବନେଶ୍ୱର: ଏଣିକି ଗୋଟିଏ ଟର୍ମ ପରେ ସରପଞ୍ଚ ପଦବୀର ସଂରକ୍ଷଣରେ ପରିବର୍ତ୍ତନ କରାଯିବ। ଆଜି ଏ ସଂପର୍କିତ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହାକୁ ଅଧ୍ୟାଦେଶ ଦ୍ୱାରା କାର୍ଯ୍ୟକାରୀ କରାଯିବ। ଏହା ସମେତ ମୋଟ ୧୪ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ରେ ସଂଶୋଧନ ଅଣାଯାଇ ଗୋଟିଏ ଟର୍ମ ପରେ ସରପଞ୍ଚ ପଦବୀର ସଂରକ୍ଷଣରେ ପରିବର୍ତ୍ତନ କରିବାକୁ ବ୍ୟବସ୍ଥା କରାଯାଇଛି। କ୍ୟାବିନେଟ୍‌ […]

aditya-padhi

Rakesh Mallick
  • Published: Monday, 08 August 2016
  • , Updated: 08 August 2016, 04:14 PM IST

ଭୁବନେଶ୍ୱର: ଏଣିକି ଗୋଟିଏ ଟର୍ମ ପରେ ସରପଞ୍ଚ ପଦବୀର ସଂରକ୍ଷଣରେ ପରିବର୍ତ୍ତନ କରାଯିବ। ଆଜି ଏ ସଂପର୍କିତ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହାକୁ ଅଧ୍ୟାଦେଶ ଦ୍ୱାରା କାର୍ଯ୍ୟକାରୀ କରାଯିବ। ଏହା ସମେତ ମୋଟ ୧୪ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।

ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ରେ ସଂଶୋଧନ ଅଣାଯାଇ ଗୋଟିଏ ଟର୍ମ ପରେ ସରପଞ୍ଚ ପଦବୀର ସଂରକ୍ଷଣରେ ପରିବର୍ତ୍ତନ କରିବାକୁ ବ୍ୟବସ୍ଥା କରାଯାଇଛି।

କ୍ୟାବିନେଟ୍‌ ବୈଠକ ପରେ ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇ  ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି,“ପୂର୍ବରୁ ଏହି ଆଇନରେ ଏକ ସଂଶୋଧନ କରାଯାଇ ଗୋଟିଏ ଟର୍ମ ପରେ ୱାର୍ଡ ମେମ୍ବର, ପଞ୍ଚାୟତ ସମିତି ସଦସ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ଆସନର ସଂରକ୍ଷଣକୁ ବଦଳାଇବାକୁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସେତେବେଳେ ସରପଞ୍ଚ ପଦବୀ ପାଇଁ ଏହା କରାଯାଇ ନ ଥିଲା।”

ଓଡ଼ିଶା ବିଦ୍ୟୁତ୍ ଶୁଳ୍କ ଆଇନ ୧୯୬୧ରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଂଜୁରୀ ଦେଇଛନ୍ତି। କହିଛନ୍ତି,“ଓଡ଼ିଶା ବିଦ୍ୟୁତ୍ ଶୁଳ୍କ ଆଇନ ୧୯୬୧ରେ ପ୍ରସ୍ତୁତ ହୋଇଥିଲା। ଏହା ପରେ ୧୯୮୬ରେ ଏଥିରେ ସଂଶୋଧନ କରାଯାଇଥିଲା। ୨୦୦୩ରେ ଇଣ୍ଡିଆନ୍ ଇଲେକ୍ଟ୍ରିସିଟି ଆକ୍ଟ ଆସିବା ପରେ ଏଥିରେ ବ୍ୟାପକ ପରିବର୍ତ୍ତନ ଜରୁରୀ ହୋଇପଡ଼ିଥିଲା। ପୂର୍ବରୁ ବି ଏହାକୁ କ୍ୟାବିନେଟ୍ ମଂଜୁରୀ ଦେଇଥିଲେ। ତା’ପରେ ଏହାକୁ ବିଧାନସଭାରେ ଉପସ୍ଥାପିତ କରାଯାଇଥିଲା। ତେବେ ରାଜସ୍ୱ ଦୃଷ୍ଟିରୁ ଏହାକୁ ଆଜି ଅଧ୍ୟାଦେଶ ଆକାରରେ କ୍ୟାବିନେଟ୍‌ରେ ଉପସ୍ଥାପନ କରାଯାଇଥିଲା ଓ କ୍ୟାବିନେଟ୍ ଏହାକୁ ମଂଜୁରୀ ଦେଇଛନ୍ତି।”

‘କଳିଙ୍ଗ ଶିକ୍ଷା ସାଥୀ ଯୋଜନା’କୁ କ୍ୟାବିନେଟ୍ ମଂଜୁରୀ ଦେଇଛନ୍ତି। ଗରିବ ତଥା ମେଧାବୀ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଆର୍ଥିକ ଚାପକୁ ଲାଘବ କରିବା ପାଇଁ ପ୍ରଚଳିତ ‘ଓଡ଼ିଶା ରାଜ୍ୟ ସୁଧ ରିହାତି ଯୋଜନା’ ପରିବର୍ତ୍ତେ ‘କଳିଙ୍ଗ ଶିକ୍ଷା ସାଥୀ ଯୋଜନା’ ପ୍ରଚଳନ କରାଯିବ। ଏହି ନୂଆ ଯୋଜନାରେ ଯେଉଁ ଛାତ୍ରଛାତ୍ରୀଙ୍କ ବାପାମାଆଙ୍କ ଆୟ ବାର୍ଷିକ ଆୟ ୬ ଲକ୍ଷ ଟଙ୍କାରୁ ଅଧିକ ହୋଇ ନ ଥିବ ସେମାନେ ଉପକୃତ ହେବେ। ଏହି ଯୋଜନାରେ ଛାତ୍ରଛାତ୍ରୀମାନେ ବ୍ୟାଙ୍କଠାରୁ କରିଥିବା ଶିକ୍ଷା ଋଣ ଉପରେ ମାତ୍ର ୧ ପ୍ରତିଶତ ହାରରେ ସୁଧ ଦେବେ। ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ଥିଲେ ଏହି ଯୋଜନା ଲାଗୁ ହେବ। ଓଡ଼ିଶା କିମ୍ବା ଭାରତ ଭିତରେ ଯେକୌଣସି ସ୍ଥାନରେ ପଢ଼ିଲେ ଏହି ଯୋଜନା ଲାଗୁ ହେବ। ଭାରତ ବାହାରେ ଏହା ଉଚ୍ଚଶିକ୍ଷା ପାଇଁ ଲଗୁ ହେବ ନାହିଁ।

‘ଓଡ଼ିଶା ରାଜ୍ୟ ସୁଧ ରିହାତି ଯୋଜନା’ରେ ଯେଉଁ ଛାତ୍ରଛାତ୍ରୀମାନଙ୍କ ପିତାମାତାଙ୍କ ବାର୍ଷିକ ଆୟ ୪.୫୦ ଲକ୍ଷ ଟଙ୍କାରୁ ଅଧିକ ନ ଥିଲା ସେମାନେ ସୁଧ ରିହାତି ପାଉଥିଲେ। ଏବେ ପିତାମାତାଙ୍କ ବାର୍ଷିକ ଆୟକୁ ୬ ଲକ୍ଷକୁ ବୃଦ୍ଧି କରାଯାଇଛି। ପୁଣି ଏହି ଯୋଜନାରେ ଋଣ ନେଇଥିବା ଛାତ୍ରମାନେ ୪ ପ୍ରତିଶତ ଓ ଛାତ୍ରୀମାନେ ୬ ପ୍ରତିଶତ ହାରରେ ସୁଧ ରିହାତି ପାଉଥିଲେ। ଅର୍ଥାତ ବ୍ୟାଙ୍କଗୁଡ଼ିକ ଛାତ୍ରଛାତ୍ରୀଙ୍କ ଉପରେ ଯେତିକି ସୁଧ ରଖୁଥିଲେ ସେଥିରୁ ୪ ଓ ୬ ପ୍ରତିଶତ ସରକାର ବହନ କରୁଥିଲେ। ବାକି ଅର୍ଥ ଛାତ୍ରଛାତ୍ରୀମାନେ ଦେଉଥିଲେ। ତେବେ ନୂଆ ବ୍ୟବସ୍ଥା ଅନୁଯାୟୀ ଏବେ ଛାତ୍ରଛାତ୍ରୀମାନଙ୍କୁ କେବଳ ୧ ପ୍ରତିଶତ ସୁଧ ଦେବାକୁ ପଡ଼ିବ। ବଳକା ସୁଧ ରାଜ୍ୟ ସରକାର ଦେବେ।

ଓଡ଼ିଶା ପବ୍ଲିକ୍‌ ଲାଇବ୍ରେରୀ ରୁଲ୍ସ ଆଜି କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବ କହିଛନ୍ତି,“୨୦୦୧ରେ ପବ୍ଲିକ୍ ଲାଇବ୍ରେରୀ ଆକ୍ଟ ପ୍ରସ୍ତୁତ ହୋଇଥିଲା ଓ ବିଧାନସଭାରେ ପାରିତ ହୋଇଥିଲା। ୨୦୦୨ରୁ ଏହା କାର୍ଯ୍ୟକାରୀ ହୋଇଥିଲା। ତେବେ ରୁଲ୍ ଫ୍ରେମ୍ ହୋଇ ନ ଥିଲା। ଏବେ ରୁଲ୍ ଫ୍ରେମ୍ ହୋଇଯାଇଛି ଓ ଏହା କ୍ୟାବିନେଟ୍‌ର ଅନୁମୋଦନ ପାଇଛି।”

ଦୀର୍ଘ ମିଆଦି ଖଣିଜ ଯୋଗାଣ ନୀତିରେ ପ୍ରସ୍ତାବିତ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ପୁର୍ବରୁ ଥିବା ନିୟମ ଅନୁଯାୟୀ କେବଳ ଯେଉଁମାନଙ୍କର ଖଣି ଲିଜ୍ ନ ଥିଲା ସେମାନେ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ସହିତ ଦୀର୍ଘ ମିଆଦି ଲିଜ୍ ଚୁକ୍ତି କରିପାରୁଥିଲେ। କିନ୍ତୁ ଏଥିରେ ଏବେ ପରିବର୍ତ୍ତନ କରାଯାଇଛି। କାରଣ ଓଏମ୍‌ସି ପାଖରେ ବଳକା ଖଣି ରହିଛି। ତା’ଛଡ଼ା ଯେଉଁମାନେ ଲିଜ୍‌ରେ ଲୁହା ପଥର ଖଣି ପାଇଛନ୍ତି ଓ ତାହା ସେମାନଙ୍କର ନିଜସ୍ୱ ଆବଶ୍ୟକତା ମେଣ୍ଟାଇ ପାରୁ ନାହିଁ ଅବା ଲିଜ୍‌ରେ ପାଇଥିବା ଖଣି କୌଣସି କାରଣରୁ ବନ୍ଦ ରହିଛି ତା’ହେଲେ ସେମାନେ ବି ଦୀର୍ଘ ମିଆଦି ଲିଜ୍ ପାଇଁ ଓଏମ୍‌ସି ସହିତ ଚୁକ୍ତି କରିପାରିବେ।

ସେହିପରି ଏଥିରେ ଅନ୍ୟ ଏକ ସଂଶୋଧନ ଅନୁଯାୟୀ ଓଡ଼ିଶା ଖଣି ନିଗମକୁ ଖଣିଜ ପଦାର୍ଥ ରପ୍ତାନୀ କରିବା ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ପୂର୍ବରୁ କେବଳ କୌଣସି ସଂସ୍ଥା ସହିତ ଚୁକ୍ତି ଅବା ଇ-ନିଲାମୀ ଦ୍ୱାରା ଓଏମ୍‌ସି ଖଣିଜ ପଦାର୍ଥ ବିକ୍ରି କରି ପାରୁଥିଲା।

ଓଡ଼ିଶା ମିନେରାଲ୍ ଏକ୍ସପ୍ଲୋରେସନ୍ କର୍ପୋରେସନ୍ ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି। ଏହି ନିଗମ ପ୍ରତିଷ୍ଠାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୈଜ୍ଞାନିକ ପଦ୍ଧତିରେ ଖଣିଜ ପଦାର୍ଥ ଅନ୍ୱେଷଣ କରି ରାଜ୍ୟରେ ଥିବା ଅନାବିଷ୍କୃତ ଖଣିଜ ପଦାର୍ଥକୁ ଅନ୍ତତଃ ୟୁଏନ୍‌ଏଫ୍‌ସିର ଜି୨ ସ୍ତରକୁ ଆଣିବ ଯାହା ଦ୍ୱାରା ରାଜ୍ୟ ସରକାରଙ୍କ ନିଲାମ ପ୍ରକ୍ରିୟାର ସହଜ ହେବ।

ସେହିଭଳି ଓଡ଼ିଶା ଭାଷା ଆଇନ ୧୯୫୪ରେ ସଂଶୋଧନ, ଓଡ଼ିଶା ପ୍ରୋସିକ୍ୟୁସନ୍‌ ସର୍ଭିସ୍ ରୁଲ୍ସରେ ସଂଶୋଧନ ଓ କଣ୍ଟ୍ରୋଲ୍ ଅର୍ଡରରେ ଦୁଇଟି ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି।

Related story