ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଏନ୍‌ଏଚ୍‌ଆରସି

ଭୁବନେଶ୍ୱର: ବିଭିନ୍ନ ପ୍ରସଙ୍ଗକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି) ଅଧ୍ୟକ୍ଷ ଜଷ୍ଟିସ୍‌ ଏଚ୍‌.ଏଲ୍‌. ଦତ୍ତୁ ରାଜ୍ୟ ମାନବାଧିକାର କମିଶନଙ୍କ ଉପରେ ବର୍ଷିଛନ୍ତି। ଆଜି କ୍ୟାମ୍ପ କୋର୍ଟର ଦ୍ୱିତୀୟ ଦିନରେ ଜଷ୍ଟିସ୍‌ ଦତ୍ତୁ ଶିଶୁ ଶ୍ରମିକ ସମସ୍ୟା, ସ୍ୱାସ୍ଥ୍ୟସେବା, ଜମିଜମା ମାମଲାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ପ୍ରତିକାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କେତେ ଶିଶୁ ଶ୍ରମିକ ଅଛନ୍ତି ଓ କିପରି ଅବସ୍ଥାରେ ସେମାନେ ରହୁଛନ୍ତି, ଉଦ୍ଧାର ଶିଶୁ ଶ୍ରମିକଙ୍କୁ ଥଇଥାନ ପାଇଁ […]

nhrc

Rakesh Mallick
  • Published: Tuesday, 10 January 2017
  • , Updated: 11 January 2017, 07:15 AM IST

ଭୁବନେଶ୍ୱର: ବିଭିନ୍ନ ପ୍ରସଙ୍ଗକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି) ଅଧ୍ୟକ୍ଷ ଜଷ୍ଟିସ୍‌ ଏଚ୍‌.ଏଲ୍‌. ଦତ୍ତୁ ରାଜ୍ୟ ମାନବାଧିକାର କମିଶନଙ୍କ ଉପରେ ବର୍ଷିଛନ୍ତି। ଆଜି କ୍ୟାମ୍ପ କୋର୍ଟର ଦ୍ୱିତୀୟ ଦିନରେ ଜଷ୍ଟିସ୍‌ ଦତ୍ତୁ ଶିଶୁ ଶ୍ରମିକ ସମସ୍ୟା, ସ୍ୱାସ୍ଥ୍ୟସେବା, ଜମିଜମା ମାମଲାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ପ୍ରତିକାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ କେତେ ଶିଶୁ ଶ୍ରମିକ ଅଛନ୍ତି ଓ କିପରି ଅବସ୍ଥାରେ ସେମାନେ ରହୁଛନ୍ତି, ଉଦ୍ଧାର ଶିଶୁ ଶ୍ରମିକଙ୍କୁ ଥଇଥାନ ପାଇଁ କି କି ପଦକ୍ଷେପ ନିଆଯାଇଛି ଆଦି ବିଷୟରେ ରାଜ୍ୟ ସରକାରଙ୍କ ପାଖରେ ସଠିକ୍‌ ତଥ୍ୟ ନ ଥିବାରୁ ଏନ୍‌ଏଚ୍‌ଆରସି ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଗତସିଂହପୁର ଜିଲ୍ଲାରେ ଶିଶୁ ଶ୍ରମିକଙ୍କୁ ନେଇ ୨୦୧୦ରେ ରୁଜୁ ମାମଲାର ଶୁଣାଣି କରି ଆଗାମୀ ଏକ ବର୍ଷ ମଧ୍ୟରେ ଉପଯୁକ୍ତ ସର୍ଭେ ସହ ରିପୋର୍ଟ ପ୍ରସ୍ତୁତ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ମେଡ଼ିକାଲ ପରିଚାଳନା ପାଇଁ ଥିବା ନିୟମ ଠିକ୍‌ ଭାବେ ପରିଚାଳନା ହେଉ ନ ଥିବାରୁ କମିଶନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସମ୍‌ ହସପିଟାଲ ମାମଲାର ଶୁଣାଣି କରି ଅଗ୍ନିକାଣ୍ଡ ଘଟଣାରେ ଆହତଙ୍କୁ ମାଗଣା ଚିକିତ୍ସା ସହ କ୍ଷତିପୂରଣ ଯୋଗାଇ ଦିଆଯିବା ଉପରେ କମିଶନ ଗୁରୁତ୍ୱ ଦେଇଛନ୍ତି। ଗୁଣିଗାରେଡି ହତ୍ୟା ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନେଇ କମିଶନ ସନ୍ତୋଷ ବ୍ୟକ୍ତି କରିଛନ୍ତି। ତେବେ ବିଭିନ୍ନ ବିଭାଗରେ ସମନ୍ୱୟ ରକ୍ଷା କରି କୁସଂସ୍କାର ଦୂର ପାଇଁ ୩ ମାସ ମଧ୍ୟରେ କମ୍ପୋଜିଟ୍‌ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କମିଶନ ପରାମର୍ଶ ଦେଇଛନ୍ତି।

ଗୃହ ସଚିବ ଅସିତ ତ୍ରିପାଠୀ କହିଛନ୍ତି,“୨୦୧୫-୧୬ ବର୍ଷରେ ପ୍ରାୟ ୭୦ ମାମଲା ରୁଜୁ ହୋଇଛି। ଏଥିରେ ଅନ୍ଧବିଶ୍ୱାସ ଜନିତ ହତ୍ୟା ମାମଲା ରହିଛି। ଅନ୍ଧବିଶ୍ୱାସ ଦୂର ପାଇଁ ସଚେତନତା କ୍ୟାମ୍ପ କରିବାକୁ କମିଶନ ପରାମର୍ଶ ଦେଇଛନ୍ତି। ସଚେତନତା କାର୍ଯ୍ୟକ୍ରମ କିପରି କରାଯିବ ସେ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ୩ ମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।”

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟଶସ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ଏହାକୁ କିଭଳି ଟ୍ରାକିଂ କରାଯାଇ ପାରିବ ଓ ଏପ୍ରିଲ୍‌ ମାସ ସୁଦ୍ଧା ରାଜ୍ୟର ସମସ୍ତ ପିଡିଏସ୍‌ ଡିଷ୍ଟ୍ରିବ୍ୟୁସନ ସେଣ୍ଟରରେ ପିଓଏସ୍‌ ବ୍ୟବସ୍ଥା କରିବାକୁ କମିଶନ ପରାମର୍ଶ ଦେଇଛନ୍ତି। ଜାପାନୀଜ୍‌ ଏନ୍‌ସେଫାଲାଇଟିସ୍‌ର ନିରାକରଣ ଓ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ମାଲକାନଗିରି ଜିଲ୍ଲାରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ବିଭାଗୀୟ ସଚିବ କମିଶନଙ୍କୁ ରିପୋର୍ଟ ଦେଇଥିଲେ। ନଗଡ଼ା ଅପପୃଷ୍ଟି ମାମଲାରେ କମିଶନ ଏହି ଅଞ୍ଚଳର ବିକାଶ କାର୍ଯ୍ୟକ୍ରମକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଅଧିକ ବିକାଶର ଆବଶ୍ୟକତା ଥିବା ମତ ଦେଇଛନ୍ତି।

ଆଜି ଦ୍ୱିତୀୟ ଦିନ କ୍ୟାମ୍ପ କୋର୍ଟରେ ୨୫ଟି ମାମଲାର ଶୁଣାଣି ହୋଇଥିଲା। କମିଶନ କେତୋଟି ମାମଲାର ଶୁଣାଣି କରି କ୍ଷତିପୂରଣ ଘୋଷଣା କରିଥିବା ବେଳେ ଆଉ କିଛି ମାମଲାର ରାୟ ସଂରକ୍ଷିତ ରଖିଥିଲେ।

Related story