କଟକ: ତିନି ଦିନ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁରେନ୍ଦ୍ର ମିଶ୍ର ଓ ତାଙ୍କ ଦୁଇ ପୁଅ। ସୁର ବାବାଙ୍କୁ ତାଙ୍କ ଆର୍ଥିକ ସାମ୍ରାଜ୍ୟ ସମ୍ପର୍କରେ ଅଧିକ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ। ମୁମ୍ୱାଇରେ ବାବାଙ୍କ ନାଁରେ ଥିବା ଆଶ୍ରମ ଓ ସମ୍ପତ୍ତିର ଆକଳନ ପାଇଁ ସେଠାକୁ ଏକ ଟିମ୍ ପଠାଯାଇଛି। ପୂର୍ବରୁ ତିନି ଦିନିଆ ରିମାଣ୍ଡ ସମୟରେ କ୍ରାଇମବ୍ରାଞ୍ଚ ସୁରେନ୍ଦ୍ର ଓ ତାଙ୍କ ଦୁଇ ପୁଅଙ୍କଠାରୁ ସୁରେନ୍ଦ୍ରଙ୍କ ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ହାସଲ କରିଥିଲା। ବାବାଙ୍କ ୧୮ଟି ଆକାଉଣ୍ଟରୁ ୨ କୋଟି ୫୪ ଲକ୍ଷ ଟଙ୍କା ମିଳିଥିବା ବେଳେ ମନ୍ଦିର ହୁଣ୍ଡି ଓ ସିନ୍ଦୁକରୁ ଲକ୍ଷ ଲକ୍ଷ ଏବଂ ଟ୍ରଷ୍ଟ ଅଫିସରୁ ସୁନାମୁକୁଟ ଓ ସୁନା ଅଳଙ୍କାର ଜବତ ହୋଇଥିଲା।
ଗତକାଲି ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟ ଏଥିପାଇଁ ଅନୁମତି ଦେବା ପରେ ତିନି ଜଣଙ୍କୁ କଟକ କ୍ରାଇମବ୍ରାଞ୍ଚ ହେଡ କ୍ୱାଟରର୍ସକୁ ଅଣାଯାଇଥିଲା। ସେପଟେ ଗଂଜାମ ଛତ୍ରପୁର ଆଶ୍ରମ ଜମି ଠକେଇ ମାମଲାରେ ସୁରେନ୍ଦ୍ରଙ୍କ ନାଁରେ କ୍ରାଇମବ୍ରାଞ୍ଚ ଆଉ ଏକ ମାମଲା ରୁଜୁ କରିଛି। ତାଙ୍କ ବିରୋଧରେ ଦଫା ୪୨୦, ୪୨୩, ୪୭୬ ଓ ୪୬୮ରେ ମାମଲା ରୁଜୁ ହୋଇଛି। ଅପରପକ୍ଷରେ ତ୍ରାହି ଅଚ୍ୟୁତ ଆଶ୍ରମରେ କ୍ରାଇମବ୍ରାଞ୍ଚର ତନାଘନା ଜାରି ରହିଛି।