ଦୁନିଆକୁ ସଚ୍ଚୋଟପଣିଆ ଶିଖାଇଲେ ତିନି ଆମ୍ବୁଲାନ୍ସ କର୍ମଚାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ସମାଜରେ ସଚ୍ଚୋଟପଣିଆ ବୋଲି ଆଉ କିଛି ନାହିଁ। ଅଧିକାଂଶ ସମୟରେ ଅନେକ ଲୋକ ଏପରି କହିବାର ଆପଣ ନିଶ୍ଚୟ ଶୁଣିଥିବେ। କିନ୍ତୁ ଏହା କ’ଣ ପୂରା ଠିକ୍? ଆପଣ କ’ଣ ଏଥିରେ ପୂରା ସହମତ? ଥରେ ଭାବିଲେ, ସଚ୍ଚୋଟପଣିଆ ଯଦି ଆଦୌ ନଥାଆନ୍ତା ଅବା ପ୍ରତି କ୍ଷେତ୍ରରେ ଯଦି ସଚ୍ଚୋଟ ଲୋକ ନଥାଆନ୍ତେ ଆମ ରାଜ୍ୟ ଓ ଦେଶର ସ୍ଥିତି କେମିତି ହୋଇଥାଆନ୍ତା। ହଁ, ଆପଣ ଏହା କହିପାରିବେ ସଚ୍ଚୋଟ ଲୋକଙ୍କ […]

ambulance

Rakesh Mallick
  • Published: Sunday, 14 January 2018
  • , Updated: 14 January 2018, 01:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ସମାଜରେ ସଚ୍ଚୋଟପଣିଆ ବୋଲି ଆଉ କିଛି ନାହିଁ। ଅଧିକାଂଶ ସମୟରେ ଅନେକ ଲୋକ ଏପରି କହିବାର ଆପଣ ନିଶ୍ଚୟ ଶୁଣିଥିବେ। କିନ୍ତୁ ଏହା କ’ଣ ପୂରା ଠିକ୍? ଆପଣ କ’ଣ ଏଥିରେ ପୂରା ସହମତ? ଥରେ ଭାବିଲେ, ସଚ୍ଚୋଟପଣିଆ ଯଦି ଆଦୌ ନଥାଆନ୍ତା ଅବା ପ୍ରତି କ୍ଷେତ୍ରରେ ଯଦି ସଚ୍ଚୋଟ ଲୋକ ନଥାଆନ୍ତେ ଆମ ରାଜ୍ୟ ଓ ଦେଶର ସ୍ଥିତି କେମିତି ହୋଇଥାଆନ୍ତା। ହଁ, ଆପଣ ଏହା କହିପାରିବେ ସଚ୍ଚୋଟ ଲୋକଙ୍କ ସଂଖ୍ୟା କମିଯାଇଛି। ଆଜି ଆମେ ଆପଣଙ୍କୁ ପରିଚିତ କରାଇବୁ ଏମିତି ତିନି ଜଣ ସଚ୍ଚୋଟ ବ୍ୟକ୍ତିଙ୍କ ସହିତ। ଏମାନଙ୍କୁ ଭିତରୁ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଓ ଅନ୍ୟ ଦୁଇ ଜଣ ଆମ୍ବୁଲାନ୍ସ କର୍ମଚାରୀ। ଡ୍ରାଇଭରଙ୍କ ନାଁ ଏମ୍‌. ନାରୁ। ଅନ୍ୟ ଦୁଇ ଜଣ ହେଲେ ଶାରଦା ପଟ୍ଟନାୟକ ଓ ଲୋଚନ ନାୟକ। ଏବେ ଆପଣମାନେ ଜାଣିବାକୁ ଚାହିଁବେ ସେମାନେ ଏମିତି କ’ଣ କଲେ? ତା’ହେଲେ ପଢ଼ନ୍ତୁ ପୂରା ଘଟଣା।

ଗତ ସୋମବାର ଦିନ ସକାଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଖଣ୍ଡରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଧକ୍କାରେ ଦୁଇ ଜଣ ବାଇକ୍‌ ଆରୋହୀ- ଶିବରାମ ଜେନା ଓ ବାବୁଲା ପତି ଗୁରୁତର ଆହତ ହୋଇଥିଲେ। ସେମାନେ ଜିଲୁଣ୍ଡି ଗାଁର ବାସିନ୍ଦା।  ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ୧୦୮ ଆମ୍ବୁଲାନ୍ସ। ଆମ୍ବୁଲାନ୍ସରେ ଥିଲେ ଏମ୍.ନାରୁ ବୋରା, ଶାରଦା ଓ ଲୋଚନ। ସେମାନେ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉଦ୍ଧାର କରିବା ସମୟରେ ସେମାନେ ଆହତମାନଙ୍କଠୁ ଲକ୍ଷାଧିକ ଟଙ୍କାର ସୁନା ଗହଣା, ଟଙ୍କା ଓ ଏଟିଏମ୍ କାର୍ଡ ପାଇଥିଲେ। ଗୁରୁତର ଆହତମାନେ ତାଙ୍କର ଏସବୁ ଜିନିଷ ସମ୍ଭାଳିବା ସ୍ଥିତିରେ ନଥିଲେ। କିନ୍ତୁ ସେମାନଙ୍କର ଏହି ସ୍ଥିତିର ଫାଇଦା ଆମ୍ବୁଲାନ୍ସ କର୍ମଚାରୀମାନେ ଆଦୌ ଉଠାଇ ନଥିଲେ। ଦୁର୍ଘଟଣା ପରେ ଆହତମାନଙ୍କ ପର୍ସ, ମୋବାଇଲ୍ ଓ ସୁନାଗହଣା ଆଦି ଗାଏବ ହୋଇଯିବାର ଅନେକ ନଜିର ରହିଛି। ତେବେ ସେ ଦୃଷ୍ଟିରୁ ଆହତ ଶିବରାମ ଓ ବାବୁଲା ଭାଗ୍ୟବାନ ଥିଲେ। ଏହି ତିନି ଆମ୍ବୁଲାନ୍ସ କର୍ମଚାରୀ ସେମାନଙ୍କର ସବୁ ଜିନିଷକୁ ସମ୍ଭାଳି ରଖିଥିଲେ ଓ ସେମାନଙ୍କ ପରିବାର ଲୋକଙ୍କୁ ଦେଇଥିଲେ। ଆହତଙ୍କ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ ଓ ଧନ୍ୟବାଦ ବି ଜଣାଇଥିଲେ।

ଦୁର୍ଘଟଣାଟିଏ ହେଲା ମାତ୍ରେ ଆହତଙ୍କ ଜିନିଷ ଲୁଟୁଥିବା ତଥା ସବୁ ଦେଖି ନଦେଖି ଚାଲି ଯାଉଥିବା ଲୋକଙ୍କ ପାଇଁ ଏବଂ ଆମ ସମସ୍ତଙ୍କ ପାଇଁ ଏହା ଏକ ଶିକ୍ଷା ନୁହେଁ କି?

Related story