ଟିଟିଲାଗଡ଼ ତାପମାତ୍ରା ୪୮ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର: ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ତାପମାତ୍ରା ଆଜି ୪୮ ଡିଗ୍ରୀ ଛୁଇଁଛି, ଯାହା ଚଳିତ ଗ୍ରୀଷ୍ମଋତୁରେ ରାଜ୍ୟରେ ସର୍ବାଧିକ। ଗତ ୧୯ ତାରିଖରୁ ଏଠାରେ ତାପମାତ୍ରା ଲଗାତାର ଭାବେ ୪୬ ଡିଗ୍ରୀ ଉପରେ ରହୁଛି। ଆଜି ରାଜ୍ୟର ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୮ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଅବା ତା’ ଉପରେ ରହିଥିଲା। ତାଳଚେରରେ ତାପମାତ୍ରା ୪୬.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୪୬ ଡିଗ୍ରୀ […]

titilagarh

Rakesh Mallick
  • Published: Saturday, 23 April 2016
  • , Updated: 23 April 2016, 03:13 PM IST

ଭୁବନେଶ୍ୱର: ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ତାପମାତ୍ରା ଆଜି ୪୮ ଡିଗ୍ରୀ ଛୁଇଁଛି, ଯାହା ଚଳିତ ଗ୍ରୀଷ୍ମଋତୁରେ ରାଜ୍ୟରେ ସର୍ବାଧିକ। ଗତ ୧୯ ତାରିଖରୁ ଏଠାରେ ତାପମାତ୍ରା ଲଗାତାର ଭାବେ ୪୬ ଡିଗ୍ରୀ ଉପରେ ରହୁଛି।

ଆଜି ରାଜ୍ୟର ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୮ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଅବା ତା’ ଉପରେ ରହିଥିଲା। ତାଳଚେରରେ ତାପମାତ୍ରା ୪୬.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୪୬ ଡିଗ୍ରୀ ରହିଥିଲା।

ବାରିପଦାରେ ତାପମାତ୍ରା ୪୫.୩ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗିରରେ ୪୫.୨, ଅନୁଗୋଳରେ ୪୫.୧, ଭବାନୀପାଟଣା ଓ ସମ୍ବଲପୁରରେ ୪୫ ଡିଗ୍ରୀ ରହିଥିଲା।

ହୀରାକୁଦରେ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱରରେ ୪୪.୨, ମାଲକାନଗିରିରେ ୪୪.୨, ସୁନ୍ଦରଗଡ଼ରେ ୪୪, କେନ୍ଦୁଝରରେ ୪୩.୫, ଝାରସୁଗୁଡ଼ାରେ ୪୩.୩, ଚାନ୍ଦବାଲିରେ ୪୨.୫ ଓ ଫୁଲବାଣୀରେ ୪୧.୮ ଡିଗ୍ରୀ ରହିଥିଲା।

ଭୁବନେଶ୍ୱରର ତାପମାତ୍ରା ଆଜି ୪୧.୫ ଡିଗ୍ରୀ ରହିଥିବା ବେଳେ କଟକରେ ୪୧.୨ ଡିଗ୍ରୀ ରହିଥିଲା।

ଅନ୍ୟପକ୍ଷରେ ଦାରିଙ୍ଗବାଡ଼ି ତାପମାତ୍ରା ୩୯ ଡିଗ୍ରୀ ରହିଥିବା ବେଳେ ପୁରୀରେ ୩୨.୫, ଗୋପାଳପୁର ଓ ପାରାଦୀପରେ ୩୦.୮ ଡିଗ୍ରୀ ରହିଥିଲା।

ଉପକୂଳ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ସବୁଠି ଖରାର ପ୍ରକୋପ ଜାରି ରହିଥିବା ବେଳେ ଏପ୍ରିଲ୍ ୨୬ ତାରିଖରୁ ଉପୂକଳ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। କିନ୍ତୁ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମର ପ୍ରକୋପ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି,“ଯଦି ଆସନ୍ତା ୨୬, ୨୭ ଓ ୨୮ ତାରିଖରେ କାଳବୈଶାଖୀର ପ୍ରଭାବ ରହିବ ତା’ହେଲେ ଉପକୂଳ ଓଡ଼ିଶାରେ ତାପମାତ୍ରା କମିବ। ସେହିପରି କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ ଆଦି ସ୍ଥାନରେ ମଧ୍ୟ ତାପମାତ୍ରା ଟିକେ କମ୍ ହୋଇପାରେ। ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ଯୋଗୁଁ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ।”

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ଦୁଇ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି,“୭୩ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି। ଏଥିରୁ ୨୪ଟିର ତଦନ୍ତ ସରିଛି। ଦୁଇ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଦିଆଯାଇଛି। ଏଥି ମଧ୍ୟରୁ ଜଣେ ବଲାଙ୍ଗିରର ହୋଇଥିବା ବେଳେ ଅନ୍ୟ ଜଣେ ଅନୁଗୋଳର।”

ଅଂଶୁଘାତରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ବାବଦକୁ ୫୦,୦୦୦ ଟଙ୍କା ଲେଖାଏଁ ଦିଆଯିବ ବୋଲି ସେ କହିଛନ୍ତି। ଏହା ସହିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

Related story