ଉଜ୍ଜ୍ୱଳା ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ରର ଅଗ୍ରାହ୍ୟ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଛି। ଏବେ ଏହି ଯୋଜନାକୁ ନେଇ ଚିଠି ଯୁଦ୍ଧ ଜୋରଦାର ହୋଇଛି। ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କୁ ଗ୍ୟାସ୍‌ ସିଲିଣ୍ଡର ପ୍ରଦାନ ବେଳେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଡାକିବା ପାଇଁ ମୁଖ୍ୟ ଶାସନ ସଚିବ ଦେଇଥିବା ପରାମର୍ଶକୁ ପେଟ୍ରୋଲିୟମ ମନ୍ତ୍ରାଳୟ ଅଗ୍ରାହ୍ୟ କରି ଦେଇଛି। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଡକା ଯାଉଥିବା ପେଟ୍ରୋଲିୟମ ସଚିବ […]

pm-ujjwala-yojana

Rakesh Mallick
  • Published: Sunday, 04 September 2016
  • , Updated: 05 September 2016, 07:31 AM IST

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଛି। ଏବେ ଏହି ଯୋଜନାକୁ ନେଇ ଚିଠି ଯୁଦ୍ଧ ଜୋରଦାର ହୋଇଛି। ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କୁ ଗ୍ୟାସ୍‌ ସିଲିଣ୍ଡର ପ୍ରଦାନ ବେଳେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଡାକିବା ପାଇଁ ମୁଖ୍ୟ ଶାସନ ସଚିବ ଦେଇଥିବା ପରାମର୍ଶକୁ ପେଟ୍ରୋଲିୟମ ମନ୍ତ୍ରାଳୟ ଅଗ୍ରାହ୍ୟ କରି ଦେଇଛି। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଡକା ଯାଉଥିବା ପେଟ୍ରୋଲିୟମ ସଚିବ ଚିଠିରେ ସଫେଇ ଦେଇଛନ୍ତି। ଏହାସହ ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁଁ କାର୍ଯ୍ୟକ୍ରମ ବାତିଲ ହେଉଥିବାରୁ କେନ୍ଦ୍ର ପୁଣି ଥରେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛି।

ପେଟ୍ରୋଲିୟମ ମନ୍ତ୍ରାଳୟ ସଚିବ କେ.ଡି. ତ୍ରିପାଠୀ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି, କାର୍ଯ୍ୟକ୍ରମକୁ ସମାଜସେବୀ, ସେନାର ପୂର୍ବତନ ଅଧିକାରୀ, ସ୍କୁଲ ଓ କଲେଜର ଅଧ୍ୟକ୍ଷଙ୍କୁ ଡକାଯାଉଛି। ଯୋଜନାର ଶୁଭାରମ୍ଭ ଦିନି ସମ୍ବଲପୁର ଓ ବରଗଡ଼ ସାଂସଦଙ୍କୁ ଡକାଯାଇଥିଲେ ମଧ୍ୟ ସେମାନେ ଆସି ନ ଥିଲେ। କିଛି ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାକୁ ନେଇ ଚିଠି ଜରିଆରେ ତ୍ରିପାଠୀ ଚିନ୍ତା ପ୍ରକଟ କରିଛନ୍ତି। ଏପରିକି କିଛି ସ୍ଥାନରେ କାର୍ଯ୍ୟକ୍ରମ ଉଦ୍‌ଘାଟନ ପୂର୍ବରୁ ବାତିଲ କରାଯାଇଥିବା ସେ ଚିଠିରେ ଦର୍ଶାଇଛନ୍ତି। ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାର ସଫଳତା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ନ ଡାକିଲେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବ ବୋଲି ବିଜେଡି ଚେତାବନୀ ଦେଇଛି। ଓଡ଼ିଶାର ଲୋକେ କ’ଣ ଚାହୁଁଛନ୍ତି ପେଟ୍ରୋଲିୟମ ମନ୍ତ୍ରାଳୟ ବୁଝୁନାହିଁ ବୋଲି ଦଳ ଆକ୍ଷେପ କରିଛି।

ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, “ସେମାନେ ରାଜ୍ୟ ମଧ୍ୟରେ କାର୍ଯ୍ୟକ୍ରମ କରୁଛନ୍ତି। ଯଦି ସାଧାରଣ ଲୋକେ ସେମାନଙ୍କୁ ବିରୋଧ କରିବେ, ସରକାରୀ କାର୍ଯ୍ୟକ୍ରମକୁ ଯଦି ସେମାନେ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିବେ ତେବେ ଆଇନଶୃଙ୍ଖଳା ପରିସ୍ଥିତି ନିଶ୍ଚିତ ସୃଷ୍ଟି ହେବ। ସେମାନେ ସ୍ଥାନୀୟ ସାଂସଦ, ବିଧାୟକ, ବ୍ଲକ ଚେୟାରମ୍ୟାନ ଓ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଡାକିଲେ କିଛି ଅସୁବିଧା ହୁଅନ୍ତା ନାହିଁ।”

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, “ଏହାଦ୍ୱାରା ଓଡ଼ିଶାର ଗରିବ ମାଆ, ଭଉଣୀମାନେ ଉପକୃତ ହେଉଛନ୍ତି। ଏହାକୁ କାହିଁକି ବିଜେଡି ବିରୋଧ କରୁଛି ଜଣାପଡୁନାହିଁ। ବିଜେଡି ଗରିବ ଲୋକଙ୍କ ବଳ ବୋଲି କହୁଥିବା ବେଳେ ଓଡ଼ିଶାର ଗରିବ ଲୋକଙ୍କ କାଳ ସାବ୍ୟସ୍ତ ହୋଇଛି।”

Related story