୧୯୬୪ ମସିହାରେ ଜବାହରଲାଲ ନେହରୁଙ୍କ ଦେହାନ୍ତ ପରେ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ଲାଲ୍ ବାହାଦୁର ଶାସ୍ତ୍ରୀ। ୧୯୬୨ ମସିହାରେ ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧ ଯୋଗୁଁ ସେତେବେଳେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା ଭାରତ। ଏହି ସୁଯୋଗର ଫାଇଦା ନେଇ ଜେନେରାଲ ଆୟୁବ୍ ଖାଁଙ୍କ ନେତୃତ୍ୱରେ ଭାରତକୁ ଆକ୍ରମଣ କରିଥିଲା ପାକିସ୍ତାନ। ଚୀନ ସହିତ ଯୁଦ୍ଧ ପରେ ପାକିସ୍ତାନର ଏହି ଆକ୍ରମଣ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ୍ୟ ଥିଲା। ଏହି ଯୁଦ୍ଧ ସମୟରେ ଶାସ୍ତ୍ରୀ ‘ଜୟ ଜବାନ ଜୟ କିଶାନ’ ନାରା ଦେଇଥିଲେ। ଯାହା ଉଭୟ ସୈନିକ ଓ କୃଷକଙ୍କ ମନୋବଳକୁ ବୃଦ୍ଧି ପାଇଁ ଏହି ନାରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ପାକିସ୍ତାନ ବିରୋଧରେ ଏହା ଅତି ସଫଳତାର ସହ କାମ କଲା। ଭାରତୀୟ ସେନା ଉତ୍ସାହିତ ହୋଇ ପାକିସ୍ତାନ ବିରୋଧରେ ଲଢ଼ୁଆ ପ୍ରଦର୍ଶନ କଲେ। ଫଳରେ ବେଶି ସମୟ ତିଷ୍ଠି ପାରି ନଥିଲେ ଶତ୍ରୁ। ତେବେ ଯୁଦ୍ଧ ଚାଲୁଥିବା ବେଳେ ଏହାକୁ ବନ୍ଦ କରିବା ପାଇଁ ହଠାତ୍ ଉଭୟ ଦେଶ ରାଜି ହୋଇଥିଲେ। ଆଉ ଯୁଦ୍ଧ ବିରତି ଚୁକ୍ତିନାମା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଯୁଦ୍ଧ ବିରତି ଚୁକ୍ତିନାମା ସମ୍ପର୍କରେ ଶାସ୍ତ୍ରୀ ଏବଂ ଆୟୁବ୍ ଖାଁଙ୍କ ମଧ୍ୟରେ ୧୯୬୫ ଜୁନ୍ ୩୦ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା। ପରେ ପୁଣି ଏହି ମାମଲାର ସମାଧାନ ପାଇଁ ଉଜ୍ବେକିସ୍ତାନର ରାଜଧାନୀ ତାସକେଣ୍ଟଠାରେ ଏକ ଚୁକ୍ତିନାମା ହେବା ପାଇଁ ସହମତି ହୋଇଥିଲା। ଉଭୟ ଦେଶର ସେନା ପୂର୍ବ ସ୍ଥିତାବସ୍ଥା ବଜାୟ ରଖିବା ନେଇ ସର୍ତ୍ତ ଥିଲା। ଆଉ ଜାନୁଆରି ୧୦ ତାରିଖ ୧୯୬୬ ମସିହାରେ ତାସକେଣ୍ଟଠାରେ ଏକ ଚୁକ୍ତି କରାଯାଇଥିଲା। ଯାହା ‘ତାସ୍କେଣ୍ଟ ଚୁକ୍ତି’ ନାମରେ ଜଣାଶୁଣା। ପରେ ଉଭୟ ଦେଶ ପକ୍ଷରୁ ସୀମାରୁ ସେନା ପ୍ରତ୍ୟାହାର କରାଯାଇଥିଲା। ଚୁକ୍ତିର କିଛି ଘଣ୍ଟା ପରେ ଶାସ୍ତ୍ରୀଜୀଙ୍କ ତାସ୍କେଣ୍ଟରେ ହିଁ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା। ଡାକ୍ତର କହିଲେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ଲାଲ୍ ବାହାଦାରୁଙ୍କ ଭଳି ବାହାଦୁର ପ୍ରଧାନମନ୍ତ୍ରୀଙ୍କ ଅକାଳ ବିୟୋଗକୁ ହଠାତ୍ କେହି ବିଶ୍ୱାସ କରିପାରିଲେ ନାହିଁ। ଡାକ୍ତରଙ୍କ କଥା କାହାକୁ ବିଶ୍ୱାସ ମଧ୍ୟ ହେଲା ନାହିଁ।
ସେଇ ଭୟଙ୍କର ରାତି: ପ୍ରଖ୍ୟାତ ସାମ୍ବାଦିକ କୁଲ୍ଦୀପ ନାୟର ଶାସ୍ତ୍ରୀଜୀଙ୍କ ଉପଦେଷ୍ଟା ହିସାବରେ ତାଙ୍କ ସହ ତାସକେଣ୍ଟ ଯାଇଥିଲେ। ଶାସ୍ତ୍ରୀଜୀଙ୍କ ମୃତ୍ୟୁ ବେଳର ସମସ୍ତ ଘଟଣା ସେ ତାଙ୍କ ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି, ଜାନୁଆରି ୧୧ ତାରିଖ ୧୯୬୬ ମସିହା ମଧ୍ୟରାତ୍ରୀର ସମୟ। ଜଣେ ଋଷୀୟ ମହିଳା ଫୋନ୍ରେ କହିଲେ- ‘ୟୋର ପ୍ରାଇ-ମିନିଷ୍ଟର ଇଜ୍ ନୋ ମୋର।’ ଆର୍ଥାତ୍ ଆପଣଙ୍କ ପ୍ରଧାନମନ୍ତ୍ରୀ ଆଉ ଇହ ଧାମରେ ନାହାଁନ୍ତି। ତାଙ୍କର ଏଭଳି କଥା ଶୁଣି ହଠାତ୍ ଉଠି ପଡ଼ିଲେ କୁଲ୍ଦୀପ। ସଙ୍ଗେସଙ୍ଗେ ଗେଷ୍ଟ ହାଉସ୍ରୁ ବହାରି ସେ ଶାସ୍ତ୍ରୀଜୀଙ୍କ ପାଖକୁ ଗାଡ଼ି ଛୁଟାଇଲେ। ସେଠାରେ ପହଞ୍ଚିବା ମାତ୍ରେ ଋଷିଆ ରାଷ୍ଟ୍ରପତି ଆଲେକ୍ସି କୋସିନ୍ ହାତ ହଲାଇ ଶାସ୍ତ୍ରୀଙ୍କ ମୃତ୍ୟୁର ସୂଚନା ଦେଲେ।
ବାରଣ୍ଡା ପଛପଟେ ଥିବା ଡାଇନିଂ ରୁମରେ କିଛି ଡାକ୍ତର ଶାସ୍ତ୍ରୀଜୀଙ୍କ ରି-ଚେକିଂ ପାଇଁ ଯୋଜନା କରୁଥିଲେ। ସେମାନଙ୍କ ମଧ୍ୟରେ ଶାସ୍ତ୍ରୀଜୀଙ୍କ ବ୍ୟକ୍ତିଗତ ଡାକ୍ତର ଆର୍.ଏନ୍ ଚୁଗ୍ ମଧ୍ୟ ଥିଲେ। ଶାସ୍ତ୍ରୀଜୀଙ୍କ ଶୋଇବା ଘରର ଦୃଶ୍ୟ ଆହୁରି ସନ୍ଦେହଜନକ ଥିଲା। ବଡ଼ ପଲଙ୍କ ଉପରେ ଶାସ୍ତ୍ରୀଜୀଙ୍କ କ୍ଷୀଣ ଶରୀର ସଂଜ୍ଞାହୀନ ହୋଇ ପଡ଼ି ରହିଥିଲା। ନିକଟରେ ଥିବା ଡ୍ରେସିଂ ଟେବୁଲରେ ଏକ ଥର୍ମୋଫ୍ଲାସ୍କ ଓଲଟା ହୋଇ ରହିଥିଲା। ଲାଗୁଥିଲା ସେ ଯେମିତି ଏହାକୁ ଖୋଲିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଶାସ୍ତ୍ରୀଜୀ ରହୁଥିବା କୋଠରୀରେ କୋଣସି ସତର୍କ ଘଣ୍ଟି ବା ବଜର ନଥିଲା। ସେହି ଦିନଠାରୁ ଏହି ଗୋଟିଏ ମାତ୍ର ବାହାନା ଦେଖାଇ ସେତେବେଳର ସରକାର ତାଙ୍କ ମୃତ୍ୟୁ ରହସ୍ୟକୁ ପାର୍ଲିଆମେଣ୍ଟରେ ଘଣ୍ଟ ଘୋଡ଼ାଇ ଆସିଛନ୍ତି। ୨୦୧୫ ମସିହାରେ ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍କାରରେ କୁଲ୍ଦୀପ ଶାସ୍ତ୍ରୀଜୀଙ୍କ ମୃତ୍ୟୁକୁ ନେଇ ଅନେକ ରହସ୍ୟ ଖୋଲିଥିଲେ। ଶାସ୍ତ୍ରୀଜୀଙ୍କ ମୃତ୍ୟୁ ପରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇ ନଥିବା ସେ ସାକ୍ଷାତ୍କାରରେ କହିଥିଲେ।
ଆମେରିକା ଗୋଇନ୍ଦା ସଂସ୍ଥାର ହାତ ଥିବା ସନ୍ଦେହ: ୧୯୬୬ ମସିହାରେ ପୂର୍ବତନ କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥାର ଜଣେ ଅଧିକାରୀ ରୋବୋର୍ଟ ଟ୍ରୁମ୍ବୁଲ ଶାସ୍ତ୍ରୀଜୀଙ୍କ ମତ୍ୟୁ ପଛରେ ଆମେରିକା ଗୋଇନ୍ଦା ସଂସ୍ଥାର ହାତ ଥିବା ଦାବି କରିଥିଲେ। ଏକ ସକ୍ଷାତ୍କାରରେ ସେ ଏହି ଖୁଲାସା କରିଥିଲେ।
ଏହାପରେ:୧୯୭୦ ମସିହାରେ ଶାସ୍ତ୍ରୀଜୀଙ୍କ ପତ୍ନୀ ଲଳିତା ଶାସ୍ତ୍ରୀ ସରକାରଙ୍କୁ ସ୍ୱାମୀଙ୍କ ମୃତ୍ୟୁର ପୁନଃ ତଦନ୍ତ କରିବାକୁ ଆବେଦନ କରିଥିଲେ। କାରଣ ତାଙ୍କ ରୋଷେୟା ରାମନାଥଙ୍କ ବଦଳରେ ସେଦିନ ରାତିରେ ଋଷର ମୁଖ୍ୟ ଭାରତୀୟ ରାଷ୍ଟ୍ରଦୂତ ଜନ୍ ମହମ୍ମଦ୍ ଏବଂ ଟିଏନ୍ କଉଲ ତାଙ୍କ ପାଇଁ ରୋଷେଇ କରିଥିଲେ। ଏହି ଘଟଣା ପାଇଁ ୧୯୭୭ରେ ଲାଲ୍ବାହାଦୁରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଆର୍.ଏନ୍. ଚୁଗ୍ଙ୍କୁ ସଂସଦରେ ଉପସ୍ଥିତ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଚୁଗ୍ ସଂସଦରେ ପହଞ୍ଚି ପାରିନଥିଲେ। କାରଣ ନାଟକୀୟ ଢଙ୍ଗରେ ତାଙ୍କ ସହ ତାଙ୍କ ପରିବାର ଉପରେ ମାଡ଼ି ଯାଇଥିଲା ଟ୍ରକ। ଅନ୍ୟପଟେ ଶାସ୍ତ୍ରୀଜୀଙ୍କ ରୋଷେୟା ରାମନାଥ କାର୍ ଧକ୍କାରେ ସ୍ମରଣଶକ୍ତି ହରାଇଲେ।
ଏହାପରେ ୨୦୦୯ରେ ଶାସ୍ତ୍ରୀଜୀଙ୍କ ମୃତ୍ୟୁ ସମ୍ବନ୍ଧୀୟ ସମସ୍ତ ତଥ୍ୟ ସୂଚନା ଅଧିକାର ଆଇନ୍ ବଳରେ ସର୍ବ ସାଧାରଣରେ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ନୋଟିସ ଜାରି କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ସୁରକ୍ଷା କାରଣରୁ ଏହି ତଥ୍ୟ ସର୍ବସାଧାରଣରେ ଉପସ୍ଥାପନ କରାଯାଇ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଲାଲ୍ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ଘଟଣା ରହସ୍ୟ ଘେରରେ ରହିଆସିଛି। ଗୋଟିଏ ପରେ ଗୋଟିଏ ସରକାର ବଦଳିଛି ସତ, କିନ୍ତୁ ରହସ୍ୟ ହୋଇ ରହିଯାଇଛି ଶାସ୍ତ୍ରୀଜୀଙ୍କ ମୃତ୍ୟୁ।