ୱାର୍ଦ୍ଦାର ପ୍ରକୋପ: ୭ ଜଣଙ୍କ ମୃତ୍ୟୁ, ବ୍ୟାପକ କ୍ଷୟକ୍ଷତି

ଭୁବନେଶ୍ୱର: ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ତାଣ୍ଡବ ରଚିଛି ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ‘ୱାର୍ଦ୍ଦା’। ଝଡ଼ବାତ୍ୟାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବୋହିବାରୁ ଜନଜୀବନ ଠପ୍‌ ହୋଇଯାଇଛି। ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଏବଂ ସେନାକୁ ନିୟୋଜିତ କରାଯାଇଛି। ଚେନ୍ନାଇରେ ରହୁଥିବା ଓଡ଼ିଆଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ଚେନ୍ନାଇ ପୁଲିକାଟୁରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ୱାର୍ଦ୍ଦା ଲ୍ୟାଣ୍ଡଫଲ କରିବା ବେଳକୁ ପବନର […]

cyclone-channi

Rakesh Mallick
  • Published: Monday, 12 December 2016
  • , Updated: 13 December 2016, 07:51 AM IST

ଭୁବନେଶ୍ୱର: ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ତାଣ୍ଡବ ରଚିଛି ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ‘ୱାର୍ଦ୍ଦା’। ଝଡ଼ବାତ୍ୟାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବୋହିବାରୁ ଜନଜୀବନ ଠପ୍‌ ହୋଇଯାଇଛି। ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଏବଂ ସେନାକୁ ନିୟୋଜିତ କରାଯାଇଛି। ଚେନ୍ନାଇରେ ରହୁଥିବା ଓଡ଼ିଆଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି।

ଚେନ୍ନାଇ ପୁଲିକାଟୁରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ୱାର୍ଦ୍ଦା ଲ୍ୟାଣ୍ଡଫଲ କରିବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୩୦କିମି ଥିଲା। ତାମିଲନାଡ଼ୁ ଓ ଆନ୍ଧ୍ର ଉପକୂଳରେ ଏହା ଉଗ୍ର ରୂପ ଦେଖାଇବା ପରେ ଚେନ୍ନାଇ ସହରକୁ ବେହାଲ୍‌ କରି ଦେଇଥିଲା। ବଡବଡ଼ ଗଛ ଉପୁଡ଼ି ପଡ଼ିଥିବା ବେଳେ ଗାଡ଼ି ଓଲଟି ପଡ଼ିଥିଲା। ଚେନ୍ନାଇ, କାଞ୍ଚିପୁରମ, ତିରୁଭଲ୍ଲାର ଓ ଭିଲୁପୁରମ୍‌ ସହର ସର୍ବାଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ପବନ ତାଣ୍ଡବ ସାଙ୍ଗକୁ ସମୁଦ୍ରର ଅଶାନ୍ତ ରୂପକୁ ଦେଖି ତାମିଲନାଡ଼ୁ ଉପକୂଳରୁ ୭୦୦୦ ଓ ଆନ୍ଧ୍ର ଉପକୂଳରେ ୯୦୦୦ରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଚେନ୍ନାଇ ବିମାନବନ୍ଦରକୁ ରାତି ୯ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। ଚେନ୍ନାଇରୁ ଛାଡ଼ିବାକୁ ଥିବା ଚେନ୍ନାଇ-ପୁରୀ ସାପ୍ତାହିକ ଏକ୍ସପ୍ରେସ ସାଙ୍ଗକୁ ୧୭ଟି ଟ୍ରେନ୍‌କୁ ଆଜି ବାତିଲ କରାଯାଇଛି। ଏହାଛଡ଼ା ଚେନ୍ନାଇ ସମେତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସବୁ ଶିକ୍ଷାନୁଷ୍ଠାନ ଓ ଅଫିସ୍‌ ବନ୍ଦ ରହିଛି।

ଝଡ଼ ତୋଫାନ୍‌ରେ ବହୁ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିପଡ଼ିବାରୁ ରାଜ୍ୟର ଅଧିକାଂଶ ଅଞ୍ଚଳ ଅନ୍ଧାରରେ ରହିଛି। ସନ୍ଧ୍ୟାରୁ ବର୍ଷାର ପ୍ରକୋପ ଆହୁରି ବଢ଼ିଛି। ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ତିନି ସେନାଙ୍କୁ ସଜାଗ ରଖାଯାଇଛି। ନୌସେନା ପକ୍ଷରୁ ଦୁଇଟି ଜାହାଜରେ ୫୦୦୦ ଲୋକଙ୍କ ପାଇଁ ଖାଦ୍ୟ, ପାଣି ଓ ଡାକ୍ତରୀ ସୁବିଧା କରାଯାଇଛି। ଏନ୍‌ଡିଆର୍‌ଏଫ୍‌ର ୧୫ଟି ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ୱାର୍ଦ୍ଦାର ପ୍ରଭାବ ଓଡ଼ିଶା ଉପରେ ନାହିଁ। କେବଳ ଦକ୍ଷିଣ ଓଡ଼ିଶାରେ କାଁଭାଁ ସ୍ଥାନରେ ସାମାନ୍ୟ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।

 

Related story