ସୂର୍ଯ୍ୟମୁଖୀ ସବୁବେଳେ ସୂର୍ଯ୍ୟକୁ ଦେଖୁଥାଏ କାହିଁକି?

ଭୁବନେଶ୍ୱର(ସଂଗ୍ରାମ ଦାସମହାପାତ୍ର): ଫୁଲଟି ସବୁବେଳେ ସୂର୍ଯ୍ୟ ଆଡ଼କୁ ମୁହଁ କରି ରହେ ବୋଲି ତା ନାଁ ସୂର୍ଯ୍ୟମୁଖୀ। ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ହେବା ଯାଏଁ ସୂର୍ଯ୍ୟମୁଖୀ ସୂର୍ଯ୍ୟ ଆଡ଼କୁ ଅନାଇ ରହିଥାଏ। କିନ୍ତୁ ଏହା ପଛର ବିଜ୍ଞାନ ଭିତ୍ତିକ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ପ୍ରକୃତ କଥା ହେଲା, ସୂର୍ଯ୍ୟମୁଖୀ ଫୁଲ ସୂର୍ଯ୍ୟ ଆଡ଼କୁ ଆକର୍ଷିତ ହୁଏ ନାହିଁ, ବରଂ ସୂର୍ଯ୍ୟମୁଖୀ ଗଛରେ ଥିବା ଏକ ହରମୋନ ସବୁବେଳେ ସୂର୍ଯ୍ୟାଲୋକରୁ […]

sunflower-facing-the-sun

sunflower-facing-the-sun

Rakesh Mallick
  • Published: Monday, 02 July 2018
  • Updated: 02 July 2018, 08:04 AM IST

ଭୁବନେଶ୍ୱର(ସଂଗ୍ରାମ ଦାସମହାପାତ୍ର): ଫୁଲଟି ସବୁବେଳେ ସୂର୍ଯ୍ୟ ଆଡ଼କୁ ମୁହଁ କରି ରହେ ବୋଲି ତା ନାଁ ସୂର୍ଯ୍ୟମୁଖୀ। ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ହେବା ଯାଏଁ ସୂର୍ଯ୍ୟମୁଖୀ ସୂର୍ଯ୍ୟ ଆଡ଼କୁ ଅନାଇ ରହିଥାଏ। କିନ୍ତୁ ଏହା ପଛର ବିଜ୍ଞାନ ଭିତ୍ତିକ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ପ୍ରକୃତ କଥା ହେଲା, ସୂର୍ଯ୍ୟମୁଖୀ ଫୁଲ ସୂର୍ଯ୍ୟ ଆଡ଼କୁ ଆକର୍ଷିତ ହୁଏ ନାହିଁ, ବରଂ ସୂର୍ଯ୍ୟମୁଖୀ ଗଛରେ ଥିବା ଏକ ହରମୋନ ସବୁବେଳେ ସୂର୍ଯ୍ୟାଲୋକରୁ ଲୁଚିବା କାରଣରୁ ଏଭଳି ହୋଇଥାଏ।
ଉଦ୍ଭିଦର କାଣ୍ଡ ସବୁବେଳେ ଆଲୋକ ଆଡ଼କୁ ଆକର୍ଷିତ ହୋଇଥାଏ ବା ପ୍ରତିକ୍ରିୟାଶୀଳ ହୁଏ। ଚାରା ଗଛକୁ କେବଳ ଗୋଟିଏ ଦିଗରୁ ଆଲୋକ ଆସୁଥିବା ଘରେ ରଖିଲେ, ଗଛର କାଣ୍ଡ ସେହି ଆଲୋକ ଆସୁଥିବା ଦିଗକୁ ହିଁ ମୋଡ଼ି ଯାଇଥାଏ ଏବଂ ସେହି ଆଡ଼କୁ ବଢ଼ିବାରେ ଲାଗେ। ଉଦ୍ଭିଦର ଏହି ଲକ୍ଷଣକୁ ଫଟୋଟ୍ରପିଜମ୍ କହନ୍ତି। କିନ୍ତୁ ସୂର୍ଯ୍ୟର ଗତି ଅନୁସାରେ ଏହା ଦ୍ୱାରା ପ୍ରତିକ୍ରିୟାଶୀଳ ହୋଇ ଉଦ୍ଭିଦର ଦିଗ ପରିବର୍ତ୍ତନ କରିବା ଲକ୍ଷଣକୁ କହନ୍ତି ହେଲିଓଟ୍ରପିଜମ୍, ଯାହାକି ସୂର୍ଯ୍ୟମୁଖୀ କ୍ଷେତ୍ରରେ ଦୃଷ୍ଟିଗୋଚର ହୁଏ।
sunflowersସୂର୍ଯ୍ୟମୁଖୀ ଗଛରେ ଅକ୍ସିନ୍ ନାମକ ଏକ ଗ୍ରୋଥ୍ ହରମୋନ ବା ବୃଦ୍ଧିକାରକ ରସାୟନ ଥାଏ। ଗଛର କାଣ୍ଡରେ ରହୁଥିବା ଏହି ହରମୋନ ସୂର୍ଯ୍ୟାଲୋକ ଠାରୁ ସବୁବେଳେ ଲୁଚି ରହିବାକୁ ଓ ଛାଇରେ ରହିବାକୁ ପସନ୍ଦ କରେ। ତେଣୁ (ସୂର୍ଯ୍ୟର ବିପରୀତ ଦିଗରେ) କାଣ୍ଡର ଛାଇ ରହୁଥିବା ଅଞ୍ଚଳରେ ଏହାର ମାତ୍ରା ବୃଦ୍ଧି ପାଏ ଏବଂ ସେହି ସ୍ଥାନଟି ଫୁଲିଯାଏ। ଫଳରେ କାଣ୍ଡଟି ବିପରୀତ ଦିଗକୁ ବା ସୂର୍ଯ୍ୟ ଆଡ଼କୁ ମୋଡ଼ି ହୋଇଯାଏ। ସୂର୍ଯ୍ୟର ଗତି ଅନୁସାରେ ଅକ୍ସିନର ଗଚ୍ଛିତ ହେବା ସ୍ଥାନ ମଧ୍ୟ ପରିବର୍ତ୍ତନ ହୋଇଥାଏ। ତେଣୁ ଫୁଲଟି ସବୁବେଳେ ସୂର୍ଯ୍ୟ ଆଡ଼କୁ ମୁହଁ କରି ରହେ।
ଏଭଳି ଲକ୍ଷଣ ସାଧାରଣତଃ ସୂର୍ଯ୍ୟମୁଖୀ ଫୁଲ ଫୁଟିବା ପୂର୍ବରୁ ଦେଖିବାକୁ ମିଳେ। ଫୁଲଟି ପୂରା ଫୁଟିଯିବା ପରେ ଏହା ସାଧାରଣତଃ ପୂର୍ବ ଦିଗକୁ ସବୁବେଳେ ମୁହଁ କରି ରହେ। କିନ୍ତୁ ଫୁଲ ଫୁଟୁଥିବା ବେଳେ ଏହା ସୂର୍ଯ୍ୟ ଆଡ଼କୁ ଅନେଇ ରହିବା ଦ୍ୱାରା କେବଳ ଯେ ସୂର୍ଯ୍ୟମୁଖୀ ଗଛର ଅଭିବୃଦ୍ଧିରେ ସୁବିଧା ହୋଇଥାଏ ତା ନୁହେଁ, ଅଳ୍ପ ଫୁଟିଥିବା ସୂର୍ଯ୍ୟମୁଖୀ ଫୁଲ ଚାରିପଟେ ଥିବା ଛୋଟଛୋଟ ପତ୍ରର ଆଲୋକ ଶ୍ଳେଷଣ ପ୍ରକ୍ରିୟା ମଧ୍ୟ ସହଜରେ ହୋଇପାରେ । କାରଣ ଫୁଲ ସହ ଏହି ପତ୍ର ଗୁଡ଼ିକ ମଧ୍ୟ ସବୁବେଳେ ସୂର୍ଯ୍ୟ ଆଡ଼କୁ ରହେ। ଏଥିସହ ସୂର୍ଯ୍ୟମୁଖୀ ଫୁଲ ସୂର୍ଯ୍ୟ ଆଡ଼କୁ ରହୁଥିବାରୁ ଏହା ଗରମ ରହେ ଏବଂ କୀଟପତଙ୍ଗଙ୍କୁ ଅଧିକ ଆକର୍ଷିତ କରେ। ଫଳରେ ପରାଗସଂଗମରେ ମଧ୍ୟ ସୁବିଧା ହୁଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos