ଜିଲ୍ଲା ଯୋଜନା କମିଟିରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ

ଭୁବନେଶ୍ୱର: ଏଣିକି ଜିଲ୍ଲା ଯୋଜନା କମିଟି ଗୁଡ଼ିକରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷିତ ହେବ। ପୁଣି ଅଧ୍ୟକ୍ଷ ବା ଉପାଧ୍ୟକ୍ଷ ପଦବୀରୁ ଗୋଟିକରେ ଜଣେ ମହିଳା ରହିବେ। ଗୁରୁବାର ରାଜ୍ୟ କ୍ୟାବିନେଟ୍ ବୈଠକରେ ଏ ସଂପର୍କିତ ପ୍ରସ୍ତାବ ପାରିତ ହୋଇଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉନ୍ନୟନ କମିଶନର ଉପେନ୍ଦ୍ର ନାଥ ବେହେରା ଏ ସଂପର୍କରେ ସବିଶେଷ ସୂଚନା ଦେଇ କହିଥିଲେ […]

upendra behera

Rakesh Mallick
  • Published: Thursday, 26 November 2015
  • , Updated: 26 November 2015, 11:18 AM IST

ଭୁବନେଶ୍ୱର: ଏଣିକି ଜିଲ୍ଲା ଯୋଜନା କମିଟି ଗୁଡ଼ିକରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷିତ ହେବ। ପୁଣି ଅଧ୍ୟକ୍ଷ ବା ଉପାଧ୍ୟକ୍ଷ ପଦବୀରୁ ଗୋଟିକରେ ଜଣେ ମହିଳା ରହିବେ। ଗୁରୁବାର ରାଜ୍ୟ କ୍ୟାବିନେଟ୍ ବୈଠକରେ ଏ ସଂପର୍କିତ ପ୍ରସ୍ତାବ ପାରିତ ହୋଇଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉନ୍ନୟନ କମିଶନର ଉପେନ୍ଦ୍ର ନାଥ ବେହେରା ଏ ସଂପର୍କରେ ସବିଶେଷ ସୂଚନା ଦେଇ କହିଥିଲେ ଯେ ବର୍ତ୍ତମାନର ନିୟମ ଅନୁଯାୟୀ ଜିଲ୍ଲା ଯୋଜନା କମିଟିଗୁଡ଼ିକରେ ରହୁଥିବା ସଦସ୍ୟମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ହେଉଛନ୍ତି ନିର୍ବାଚିତ ଜନ ପ୍ରତିନିଧି। ବାକି ୨୦ ପ୍ରତିଶତ ସଦସ୍ୟ ମନୋନୀତ ହୋଇ କମିଟିକୁ ଆସିଥାଆନ୍ତି। ଜିଲ୍ଲା ପରିଷଦ, ମ୍ୟୁନିସିପାଲିଟି ଓ ଏନଏସିର ନିର୍ବାଚିତ ପ୍ରତିନିଧିମାନେ ଜିଲ୍ଲା ଯୋଜନା କମିଟିର ସଦସ୍ୟ ରହୁଛନ୍ତି। କିନ୍ତୁ ଏହି କମିଟିରେ ମହିଳାଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନ ଥିଲା। ଏବେ ଏଥିରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି।

ସେ ଆହୁରି ମଧ୍ୟ କହିଥିଲେ ଯେ ବର୍ତ୍ତମାନର ନିୟମ ଅନୁଯାୟୀ ଜିଲ୍ଲା ଯୋଜନା କମିଟିରେ କେବଳ ଅଧ୍ୟକ୍ଷ ପଦ ରହିଛି। କିନ୍ତୁ କ୍ୟାବିନେଟ୍ ପାରିତ କରିଥିବା ପ୍ରସ୍ତାବ ଅନୁଯାୟୀ ଏଣିକି ଜିଲ୍ଲା ଯୋଜନା କମିଟିରେ ଏକ ଉପାଧ୍ୟକ୍ଷ ପଦ ସୃଷ୍ଟି କରାଯିବ। ଯେଉଁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପଦରେ ଜଣେ ପୁରୁଷ ରହିଥିବେ ସେଠାରେ ଉପାଧ୍ୟକ୍ଷ ପଦରେ ଜଣେ ମହିଳା ରହିବେ। ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀରୁ ଗୋଟିକରେ ନିଶ୍ଚିତ ଭାବେ ଜଣେ ମହିଳା ରହିବାକୁ ନିୟମ କରାଯାଇଛି।

ଜିଲ୍ଲା ଯୋଜନା କମିଟି ନିୟମରେ ଆଉ ଏକ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ରହିଥିବା ନିୟମ ଅନୁଯାୟୀ ଜିଲ୍ଲା ଯୋଜନା କମିଟିଗୁଡ଼ିକରେ ଅଧ୍ୟକ୍ଷ ରହୁଛନ୍ତି ମନ୍ତ୍ରୀ। ଜଣେ ଜଣେ ମନ୍ତ୍ରୀ ଏକାଧିକ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରହୁଛନ୍ତି। କିନ୍ତୁ ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ ଏଣିକି ସଂପୃକ୍ତ ଜିଲ୍ଲାର ବିଧାୟକମାନେ ବି ଏହି କମିଟିର ଅଧ୍ୟକ୍ଷ ରହିପାରିବେ। କମିଟିର ଅଧ୍ୟକ୍ଷ ନିର୍ବାଚନ ଅଧିକାର ସରକାରଙ୍କ ହାତରେ ରହିବ। ସରକାର ଜଣେ ମନ୍ତ୍ରୀ ଅବା ସଂପୃକ୍ତ ଜିଲ୍ଲାର ଜଣେ ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପଦରେ ବସାଇ ପାରିବେ।

ସେହିପରି ଜିଲ୍ଲା ଯୋଜନା କମିଟିକୁ ସାହାଯ୍ୟ କରିବା ପାଇଁ ଏକ ଟେକ୍ନିକାଲ୍ କମିଟି ଗଠନ କରାଯିବ। ଜିଲ୍ଲା ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଏହି କମିଟି ସାହାଯ୍ୟ କରିବ।

ଏହି ପ୍ରସ୍ତାବିତଗୁଡ଼ିକ କ୍ୟାବିନେଟରେ ପାସ୍ ହୋଇଯାଇଥିବାରୁ ଏବେ ଏହାକୁ ବିଧାନସଭାର ଆଗାମୀ ଅଧିବେଶନରେ ପାରିତ କରିବାକୁ ଆଗତ କରାଯିବ ବୋଲି ଉନ୍ନୟନ କମିଶନର କହିଥିଲେ।

ଜିଲ୍ଲା ଯୋଜନା କମିଟିର ନିୟମଗୁଡ଼ିକରେ ହୋଇଥିବା ଏସବୁ ପରିବର୍ତ୍ତନ ବିଶେଷ କରି ମହିଳା ସଶକ୍ତୀକରଣକୁ ଦୃଷ୍ଟିରେ ରଖି କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି କହିଛନ୍ତି।

Related story