କ୍ରାଇଷ୍ଟଚର୍ଚ୍ଚରେ ବି ଟିମ୍ ଇଣ୍ଡିଆର ବ୍ୟାଟିଂ ଟେଷ୍ଟ

କ୍ରାଇଷ୍ଟଚର୍ଚ୍ଚ: ଟିମ୍ ଇଣ୍ଡିଆର ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ ଶନିବାର କ୍ରାଇଷ୍ଟଚର୍ଚ୍ଚରେ ଖେଳାଯିବ। ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ୦-୧ରେ ପଛୁଆ ରହିଛି। ୱେଲିଂଟନର ବେସିନ୍ ରିଜର୍ଭରେ ୧୦ ୱିକେଟରେ ଲଜ୍ଜାଜନକ ପରାଜୟ ପରେ ଏବେ କ୍ରାଇଷ୍ଟଚର୍ଚ୍ଚର ହେଗଲେ ଓଭାଲରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଅଗ୍ନିପରୀକ୍ଷା ହେବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପ୍ରଥମ ମ୍ୟାଚ୍ ସାଢ଼େ ତିନି ଦିନରେ ହାରିବା ଦ୍ୱାରା ଭାରତୀୟ […]

TEAM-INDIA

Ranjit Kumar Jena
  • Published: Friday, 28 February 2020
  • , Updated: 28 February 2020, 04:19 PM IST

କ୍ରାଇଷ୍ଟଚର୍ଚ୍ଚ: ଟିମ୍ ଇଣ୍ଡିଆର ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ ଶନିବାର କ୍ରାଇଷ୍ଟଚର୍ଚ୍ଚରେ ଖେଳାଯିବ। ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ୦-୧ରେ ପଛୁଆ ରହିଛି। ୱେଲିଂଟନର ବେସିନ୍ ରିଜର୍ଭରେ ୧୦ ୱିକେଟରେ ଲଜ୍ଜାଜନକ ପରାଜୟ ପରେ ଏବେ କ୍ରାଇଷ୍ଟଚର୍ଚ୍ଚର ହେଗଲେ ଓଭାଲରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଅଗ୍ନିପରୀକ୍ଷା ହେବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପ୍ରଥମ ମ୍ୟାଚ୍ ସାଢ଼େ ତିନି ଦିନରେ ହାରିବା ଦ୍ୱାରା ଭାରତୀୟ ଦଳର ବ୍ୟାଟିଂ ଦୁର୍ବଳତା ସାମ୍ନାକୁ ଆସିଛି।

ଘରୋଇ ମାଟିରେ ଜବରଦସ୍ତ ବ୍ୟାଟିଂ କରିଆସୁଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏହି ପରାଜୟ କୌଣସି ଝଟକାରୁ କମ୍ ନୁହେଁ। ଟିମର କୋଚ୍ ରବି ଶାସ୍ତ୍ରୀ ମଧ୍ୟ ଏଭଳି ପରିସ୍ଥିତି ସହ ଭଲଭାବେ ଅଭ୍ୟସ୍ତ ଅଛନ୍ତି। ମ୍ୟାଚ୍ ପୂର୍ବ ଦିନ ଶାସ୍ତ୍ରୀ କହିଛନ୍ତି, ଏଭଳି ଝଟକା ଟିମ୍ ପାଇଁ ଭଲ, କାରଣ ଏହା ପରବର୍ତ୍ତୀ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଯୋଗାଇବ। ଲଗାତର ବିଜୟ ହାସଲ କରିବା ପରେ ହଠାତ୍ ମ୍ୟାଚ୍ ହାରିବା ନିଶ୍ଚିତ ପ୍ରଶଂସକଙ୍କୁ ନିରାଶ କରିଥିବ। କିନ୍ତୁ ମୋର ଆଶା ଯେ ଟିମ୍ ନିଶ୍ଚିତ ଭାବେ ବିଜୟ ଟ୍ରାକକୁ ଫେରିବ।

ବିରାଟ୍ କୋହଲି, ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ ହେଗଲେ ଓଭାଲାଲ ଗ୍ରୀନ୍ ପିଚରେ ନ୍ୟୁଜିଲ୍ୟାଣ୍ଡର ପେସ୍ ଆଟାକକୁ ସାମ୍ନା କରିବେ। ୧-୦ର ଅଗ୍ରଣୀ ପରେ କିୱି ବୋଲରଙ୍କ ଆତ୍ମବିଶ୍ୱାସ ଶୀର୍ଷରେ ରହିଛି। କିୱି ପେସ୍ ବୋଲର ଶର୍ଟ ପିଚ୍ ବଲକୁ ମୁଖ୍ୟଅସ୍ତ୍ର ଭାବେ ବ୍ୟବହାର କରି ସଫଳ ହୋଇଛନ୍ତି। ଭାରତ ପାଇଁ ପୃଥ୍ୱୀ ଶ'ଙ୍କ ନେଟ୍ସକୁ ଫେରିବା ଭଲ ଖବର। ପୃଥ୍ୱୀଙ୍କୁ ନେଟ୍ସରେ କ୍ୟାପଟେନ୍ କୋହଲି କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ମଧ୍ୟ ଦେଇଥିଲେ। ପୃଥ୍ୱୀଙ୍କ ବାମ ଗୋଡ଼ରେ ସାମାନ୍ୟ ଆଘାତ ଥିଲା, ଯେଉଁକାରଣରୁ ସେ ଗୁରୁବାର ଟ୍ରେନିଂ ସେସନରେ ଭାଗ ନେଇପାରି ନଥିଲେ। କିନ୍ତୁ ଏବେ ପୃଥ୍ୱୀ ଫିଟ୍ ହୋଇସାରିଛନ୍ତି ଏବଂ ଆସନ୍ତାକାଲି ମ୍ୟାଚରେ ମୟଙ୍କ ଅଗ୍ରୱାଲଙ୍କ ସହ ଇନିଂସ୍ ଓପନ୍ କରିବେ।

ପୂର୍ବ ମ୍ୟାଚରେ ପୂଜାରା, ରାହାଣେ ଓ ହନୁମା ବିହାରୀଙ୍କ ଧିମା ବ୍ୟାଟିଂକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । କୋହଲି ମଧ୍ୟ ପୂଜାରଙ୍କ ଧିମା ବ୍ୟାଟିଂକୁ ନେଇ ମତ ଦେଇଥିଲେ ଏବଂ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇବାକୁ ପରାମର୍ଣ ଦେଇଥିଲେ। ବୋଲିଂରେ ମଧ୍ୟ ଭାରତର କିଛି ସମସ୍ୟା ରହିଛି। ପେସ୍ ବୋଲର ଈଶାନ୍ତ ଶର୍ମା ପୁଣିଥରେ ଆହତ ହୋଇଛନ୍ତି ଏବଂ ଆସନ୍ତାକାଲି ତାଙ୍କର ଖେଳିବା ନେଇ ସନ୍ଦେହ ରହିଛି। ଯଦି ଈଶାନ୍ତ ବାଦ୍ ପଡ଼ନ୍ତି, ତାହେଲେ ତାଙ୍କ ସ୍ଥାନରେ ଉମେଶ ଯାଦବ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ। ସେହିପରି ଆସନ୍ତାକାଲି ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସ୍ଥାନରେ ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିପାରେ।

ଅଶ୍ୱିନ୍ ପ୍ରଥମ ଟେଷ୍ଟରେ ବ୍ୟାଟିଂରେ କିଛି ଖାସ୍ କରିପାରିନଥିଲେ ଏବଂ ବୋଲିଂରେ ମାତ୍ର ୩ଟି ୱିକେଟ୍ ନେଇଥିଲେ। ନ୍ୟୁଜିଲ୍ୟାଣ୍ଡରେ ଜାଡେଜା ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଛନ୍ତି, ତେଣୁ ତାଙ୍କୁ କୋହଲି ଖେଳାଇପାରନ୍ତି। ପ୍ରଥମ ମ୍ୟାଚରେ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମିଙ୍କ ଖରାପ ପ୍ରଦର୍ଶନ ମଧ୍ୟ ଚିନ୍ତାର ବିଷୟ। ଦୁହେଁ ଏଠାକାର ଘାସୁଆ ପିଚରେ ଲୟ ହାସଲ କରିବାକୁ ବ୍ୟଗ୍ର ଅଛନ୍ତି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂଲାଇନଅପ୍ ମଜଭୁତ୍ ରହିଛି। ନ୍ୟୁଜିଲ୍ୟାଣ୍ଡ ବୋଲିଂ ତା'ର ମୁଖ୍ୟ ଶକ୍ତି। ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଟିମ୍ ସାଉଦୀ ପ୍ରଥମ ଟେଷ୍ଟ ଜବରଦସ୍ତ ପ୍ରଦର୍ଶନ କରି ଭଲ ଫର୍ମରେ ଅଛନ୍ତି। ୱେଲିଂଟନରେ ଡେବ୍ୟୁ କରିଥିବା କାଇଲ୍ ଜେମିସନ୍ ଉଭୟ ବ୍ୟାଟିଂ ଓ ବୋଲିଂରେ ନିଜର ଦକ୍ଷତା ଦେଖାଇଥିଲେ।

ନ୍ୟୁଜିଲ୍ୟାଣ୍ଡର ବାଉନ୍ସର ସ୍ପେଶାଲିଷ୍ଟ ନିଲ୍ ୱାଗନର ଦ୍ୱିତୀୟ ଟେଷ୍ଟକୁ କମବ୍ୟାକ୍ କରିବେ, ଯିଏ ନିଜର ପ୍ରଥମ ସନ୍ତାନ ଜନ୍ମ କାରଣରୁ ପ୍ରଥମ ଟେଷ୍ଟରୁ ଆଉଟ୍ ହୋଇଥିଲେ। ଜେମିସନ୍ ଯଦି ସୁଯୋଗ ପାଆନ୍ତି, ତାହେଲେ ସ୍ପିନର ଏଜାଜ ପଟେଲ୍ ବାଦ୍ ପଡିବେ। ପ୍ରଥମ ମ୍ୟାଚରେ ଦଳର ମିଡିଲ୍ ଅର୍ଡର ଏବଂ ଲୋୟର୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ କରିଥିଲେ, ଯେଉଁକାରଣରୁ ନ୍ୟୁଜିଲ୍ୟାଣ୍ଡ୍ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲେ।

ଟପ୍ ଅର୍ଡରରେ ଟମ୍ ଲାଥମ ଓ ଟମ୍ ବ୍ଲଣ୍ଡେଲଙ୍କ ଫର୍ମ ଚିନ୍ତାର ବିଷୟ। କିନ୍ତୁ ଏସବୁ ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡକୁ ଫେଭରିଟ୍ କୁହାଯାଉଛି। ହେଗଲେ ଓଭାଲରେ ଭାରତ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିନାହିଁ। ଏଠାରେ ୨୦୧୪ରୁ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି। ନ୍ୟୁଜିଲ୍ୟାଣ୍ଡ୍ ଏଠାରେ ଖେଳିଥିବା ୬ ମ୍ୟାଚରୁ ୪ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି। ଗୋଟିଏ ମ୍ୟାଚ୍ ଡ୍ର'ରେ ଶେଷ ହୋଇଛି। ବଡ଼ କଥା ହେଉଛି, ହେଗଲେ ଓଭାଲରେ ଟସ୍ ଜିତିବା ଟିମ୍ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି।

ସମ୍ଭାବ ଏକାଦଶ
ଭାରତ: ମୟଙ୍କ ଅଗ୍ରୱାଲ୍‌, ପୃଥ୍ୱୀ ଶ', ଚେତେଶ୍ୱର ପୂଜାର, ବିରାଟ୍ କୋହଲି (କ୍ୟାପଟେନ୍‌), ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷଭ ପନ୍ତ/ଋଦ୍ଧିମାନ ସାହା (ୱିକେଟକିପର), ଆର୍ ଅଶ୍ୱିନ୍‌,/ରବୀନ୍ଦ୍ର ଜାଡେଜା, ଈଶାନ୍ତ ଶର୍ମା/ଉମେଶ ଯାଦବ, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା।

ନ୍ୟୁଜିଲ୍ୟାଣ୍ଡ୍‌: ଟମ୍ ଲାଥମ, ଟମ୍ ବ୍ଲଣ୍ଡେଲ୍‌, କେନ୍ ୱିଲିୟମସନ୍ (କ୍ୟାପଟେନ୍‌), ରସ୍ ଟେଲର୍‌, ହେନରୀ ନିକୋଲ୍ସ, ବିଜେ ୱାଟଲିଙ୍ଗ୍ (ୱିକେଟକିପର), କଲିନ୍ ଡି'ଗ୍ରାଣ୍ଡହୋମ୍‌, କାଇଲ୍ ଜେମିସନ୍‌/ଏଜାଜ ପଟେଲ୍‌, ଟିମ୍ ସାଉଦୀ, ନିଲ୍ ୱାଗନର୍‌, ଟ୍ରେଣ୍ଟ ବୋଲ୍ଟ।

Related story