ପୁଣି ରାହୁଲ ଓ ଆୟର୍ ଧମାକା ଆଗରେ ନ୍ୟୁଜିଲ୍ୟାଣ୍ଡ୍ ଧରାଶାୟୀ
ଅକଲ୍ୟାଣ୍ଡ୍: କଞ୍ଜୁସି ବୋଲିଂ ପରେ ଓପ୍ନର ଲୋକେଶ ରାହୁଲ (୫୭*)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ଦ୍ୱିତୀୟ ଟି-୨୦ରେ ୭ ୱିକେଟରେ ପରାସ୍ତ କରିଛନ୍ତି। ରବିବାର ଅକଲ୍ୟାଣ୍ଡର ଇଡେନ୍ ପାର୍କରେ ଖେଳାଯାଇଥିବା ଏହି ମୁକାବିଲାରେ ଜବରଦସ୍ତ ବିଜୟ ସହ ଭାରତୀୟ ଟିମ୍ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ର ଅଗ୍ରଣୀ ଲାଭ କରିଛି। ନ୍ୟୁଜିଲ୍ୟାଣ୍ଡ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୩୨ ରନ୍ କରିଥିଲା। ଜବାବରେ ଭାରତ ୧୭.୩ […]
ଅକଲ୍ୟାଣ୍ଡ୍: କଞ୍ଜୁସି ବୋଲିଂ ପରେ ଓପ୍ନର ଲୋକେଶ ରାହୁଲ (୫୭*)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ଦ୍ୱିତୀୟ ଟି-୨୦ରେ ୭ ୱିକେଟରେ ପରାସ୍ତ କରିଛନ୍ତି। ରବିବାର ଅକଲ୍ୟାଣ୍ଡର ଇଡେନ୍ ପାର୍କରେ ଖେଳାଯାଇଥିବା ଏହି ମୁକାବିଲାରେ ଜବରଦସ୍ତ ବିଜୟ ସହ ଭାରତୀୟ ଟିମ୍ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ର ଅଗ୍ରଣୀ ଲାଭ କରିଛି। ନ୍ୟୁଜିଲ୍ୟାଣ୍ଡ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୩୨ ରନ୍ କରିଥିଲା।
ଜବାବରେ ଭାରତ ୧୭.୩ ଓଭରରେ ୧୩୬ ରନ୍ କରି ୧୫ ବଲ୍ ବାକି ଥାଇ ଲକ୍ଷ୍ୟକୁ ହାସଲ କରିନେଇଛି। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ରହିଥିବା ରାହୁଲ ଅପରାଜିତ ୫୭ ରନ୍ କରିଥିବା ବେଳେ ଆୟର୍ ୪୪ ରନର ଯୋଗଦାନ କରିଛନ୍ତି। ଦୁହେଁ ତୃତୀୟ ୱିକେଟ୍ ପାଇଁ ୮୬ ରନ୍ ଯୋଡ଼ିଛନ୍ତି। ରାହୁଲ୍ ୫୦ ବଲରେ ୩ ଚୌକା ଓ ୨ ଛକା ମାରିଛନ୍ତି। ସେହିପରି ଆୟର୍ ୩୩ ବଲରେ ୧ ଚୌକା ଓ ୩ ଛକା ମାରିଛନ୍ତି। ରାହୁଲଙ୍କ କ୍ୟାରିୟରର ଏହା ୧୧ତମ ଟି-୨୦ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ଥିଲା। ସେ ଚୌକା ମାରି ୪୩ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ରାହୁଲ ହାମିଶ୍ ବେନେଟ୍ଟଙ୍କ ଓଭର୍ (୧୫ତମ)ର ତୃତୀୟ ବଲରେ ଛକା ମାରିଥିଲେ ଏବଂ ପରବର୍ତ୍ତୀ ବଲରେ ଚୌକା ମାରି ନିଜର ୫୦ ରନ୍ ପୂରଣ କରିଥିଲେ।
ଲକ୍ଷ୍ୟର ପିଛା କରୁଥିବା ଭାରତ ପାଇଁ ଆରମ୍ଭ ଖରାପ ରହିଥିଲା। ରୋହିତ୍ ଶର୍ମାଙ୍କୁ ପ୍ରଥମ ଓଭରର ଅନ୍ତିମ ବଲରେ ଟିମ୍ ସାଉଦୀ ପ୍ୟାଭିଲିୟନ୍ ପଠାଇଥିଲେ । ରୋହିତ୍ ୨ ଚୌକା ସହ ୮ ରନ୍ କରିଥିଲେ। ଷଷ୍ଠ ଓଭରର ଦ୍ୱିତୀୟ ବଲରେ କ୍ୟାପଟେନ୍ ବିରାଟ୍ କୋହଲି (୧୧)ଙ୍କୁ ମଧ୍ୟ ସାଉଦୀ ନିଜର ଶିକାର ବନାଇଥିଲେ। ବିରାଟ୍ ୧୨ ବଲର ସାମ୍ନା କରି ଗୋଟିଏ ଚୌକା ମାରିଥିଲେ। ୩୯ ରନରେ ୨ ୱିକେଟ୍ ହରାଇ ଭାରତ ବିପଦରେ ପଡ଼ିଥିଲା। କିନ୍ତୁ ରାହୁଲ ଓ ଇନଫର୍ମ ଆୟର୍ ଚମତ୍କାର ବ୍ୟାଟିଂ କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ। ଆୟରଙ୍କୁ ଈଶ ସୋଢ଼ୀ ଆଉଟ୍ କରିଥିବା ବେଳେ ଶିବମ୍ ଦୁବେ ୮ ରନ୍ କରି ଅପରାଜିତ ଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ସାଉଦୀ ୨ଟି ଓ ସୋଢ଼ୀ ଗୋଟିଏ ୱିକେଟ୍ ନେଇଥିଲେ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡକୁ ଭଲ ଆରମ୍ଭ ଦେଇଥିବା ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଓ କଲିନ୍ ମୁନରୋ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୪୮ ରନ୍ ଯୋଡ଼ିଥିଲେ। ଗପ୍ଟିଲ ଦ୍ରୁତ ରନ୍ ସଂଗ୍ରହ କରିଥିଲେ ଏବଂ ବ୍ୟକ୍ତିଗତ ୩୩ (୨୦ ବଲ୍, ୪ ଚୌକା, ୨ ଛକା) ରନ୍ କରି ଶାର୍ଦ୍ଦୁଲ ଠାକୁରଙ୍କ ଶିକାର ହୋଇଥିଲେ। ପରେ ଶିବମ ଦୁବେ ଅନ୍ୟତମ ଓପ୍ନର କଲିନ୍ ମୁନରୋ (୨୬)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ଭାରତର ଅଭିଜ୍ଞ ସ୍ପିନର ରବୀନ୍ଦ୍ର ଜାଡେଜା ନିଜ ସ୍ପିନ୍ ଯାଦୁ ଦେଇ ଘରୋଇ ଦଳର ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ କଲିନ୍ ଡି'ଗ୍ରାଣ୍ଡହୋମ୍ (୩) ଓ କ୍ୟାପଟେନ୍ କେନ୍ ୱିଲିୟମସନ୍ (୧୪)ଙ୍କୁ ଆଉଟ୍ କରିଥିଲେ।
ଏକ ସମୟରେ ନ୍ୟୁଜିଲ୍ୟାଣ୍ଡ୍ ୧୦ ଓଭରରେ ୨ ୱିକେଟ୍ ହରାଇ ୭୩ ରନ୍ କରି ଭଲ ସ୍ଥିତିରେ ଥିଲା। କିନ୍ତୁ ଶେଷ ୧୦ ଓଭରରେ ଭାରତୀୟ ବୋଲରମାନଙ୍କ ଶୃଙ୍ଖଳିତ ବୋଲିଂ ଆଗରେ ନ୍ୟୁଜିଲ୍ୟାଣ୍ଡର କୌଣସି ବ୍ୟାଟ୍ସମ୍ୟାନ୍ ଖୋଲାଖୋଲି ଶଟ୍ ଖେଳିପାରିନଥିଲେ। ଘରୋଇ ଦଳ ଶେଷ ୧୦ ଓଭରରେ ମାତ୍ର ୫୯ ରନ୍ କରିବାକୁ ସକ୍ଷମ ହୋଇଥିଲା। ଶେଷଭାଗରେ ରସ୍ ଟେଲର୍ ୧୮ ରନ୍ କରି ଆଉଟ୍ ହୋଇଥିବା ବେଳେ ଟିମ୍ ସେଫର୍ଟ ୩୩ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଜାଡେଜା ୨ଟି, ଶାର୍ଦ୍ଦୁଲ, ଯଶପ୍ରୀତ ବୁମ୍ରା ଓ ଦୁବେ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।