ରାଜ୍ୟର ବିଭିନ୍ନ ସ୍ଥାନରେ ଜନ ଆକ୍ରୋଶ ଦିବସ

ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସ ଓ ବାମ ଦଳ ଗୁଡିକ ପକ୍ଷରୁ ଆଜି ଜନ ଆକ୍ରୋଶ ଦିବସ ପାଳନ କରାଯାଇଛି। ରାଜଧାନୀରେ ଉଭୟ କଂଗ୍ରେସ ଓ ବାମ ଦଳ ପକ୍ଷରୁ ରାଲି ଓ ବିକ୍ଷୋଭ କରାଯାଇଛି। ସେହିପରି କଂଗ୍ରେସ ପକ୍ଷରୁ ରାଜଧାନୀରେ ବିକ୍ଷୋଭ କରାଯାଇଛି। ଏକ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ରିଜର୍ଭ ବ୍ୟାଙ୍କ ଅଭିମୁଖେ ଯାଇଥିଲା। ଏଥିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ହେମାନନ୍ଦ ବିଶ୍ୱାଳ, ଶରତ ପଟ୍ଟନାୟକ, ଶରତ ରାଉତ ପ୍ରମୁଖ ଦଳର ବରିଷ୍ଠ […]

congress

Rakesh Mallick
  • Published: Monday, 28 November 2016
  • , Updated: 28 November 2016, 02:19 PM IST

ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସ ଓ ବାମ ଦଳ ଗୁଡିକ ପକ୍ଷରୁ ଆଜି ଜନ ଆକ୍ରୋଶ ଦିବସ ପାଳନ କରାଯାଇଛି। ରାଜଧାନୀରେ ଉଭୟ କଂଗ୍ରେସ ଓ ବାମ ଦଳ ପକ୍ଷରୁ ରାଲି ଓ ବିକ୍ଷୋଭ କରାଯାଇଛି।

ସେହିପରି କଂଗ୍ରେସ ପକ୍ଷରୁ ରାଜଧାନୀରେ ବିକ୍ଷୋଭ କରାଯାଇଛି। ଏକ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ରିଜର୍ଭ ବ୍ୟାଙ୍କ ଅଭିମୁଖେ ଯାଇଥିଲା। ଏଥିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ହେମାନନ୍ଦ ବିଶ୍ୱାଳ, ଶରତ ପଟ୍ଟନାୟକ, ଶରତ ରାଉତ ପ୍ରମୁଖ ଦଳର ବରିଷ୍ଠ ନେତା ସାମିଲ ହୋଇଥିଲେ। କଂଗ୍ରେସ କର୍ମୀମାନେ ହାତରେ ପ୍ଲାକାର୍ଡ ଧରି କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ନିଷ୍ପତ୍ତିକୁ ବିରୋଧ କରିବା ସହ ମୋଦି ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ।

ପ୍ରସାଦ କହିଥିଲେ,“ବିମୁଦ୍ରାକରଣ ପୂର୍ବରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜିଲ୍ଲା କାର୍ଯ୍ୟାଳୟ ଖୋଲିବାକୁ ବିଜେପି ପକ୍ଷରୁ ଜମି କିଣା ଯାଇଛି। କାହା ଟଙ୍କାରେ ଏହି ଜମି କିଣା ଯାଇଛି? ଲୋକଙ୍କୁ ଚାଉଳ କିଣିବାକୁ ଟଙ୍କା ମିଳୁ ନ ଥିବା ବେଳେ ବିଜେପି ଏଠାରେ ଜାଗରଣ ସମାବେଶ କରିଛି। ଏଥିପାଇଁ ଟଙ୍କା କୁଆଡୁ ଆସିଲା, କେହି କ’ଣ ଚେକ୍‌ରେ ଟଙ୍କା ଦେଇଥିଲେ?”

ସେ କହିଛନ୍ତି,“ଏ ନୋଟ୍‌ବନ୍ଦୀ ପରେ ଭାରତ ଠପ୍‌ ହୋଇଯାଇଛି। ୨୫ ପ୍ରତିଶତ ବେପାର ବାଧାପ୍ରାପ୍ତ ହୋଇଛି। ୬୦ ଭାଗ ଛୋଟ ବେପାରୀଙ୍କ କାରବାର ଠପ୍‌ ହୋଇଯାଇଛି। ଜିଡିପି ୨ ପ୍ରତିଶତ କମିବ ବୋଲି କୁହାଯାଉଛି। ଆର୍ଥିକ ଅରାଜକତା ଦେଖା ଦେଇଛି। ୨୦ ଦିନ ହେଲା ଭାରତ ବନ୍ଦ ହୋଇଯାଇଛି। ଆଜି ଆମେ ଭାରତ ବନ୍ଦ କରିନାହୁଁ, ଆମେ ଜନ ଆକ୍ରୋଶ ଦିବସ ପାଳିଛୁ। ରାଜ୍ୟର ସବୁ ଜିଲ୍ଲାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ପ୍ରତିବାଦ ଦିବସ ପାଳନ କରାଯାଇଛି। ଦଳର ବରିଷ୍ଠ ନେତାମାନେ ବିଭିନ୍ନ ସ୍ଥାନରେ ଏହାର ନେତୃତ୍ୱ ନେଇଛନ୍ତି।”

ବାମ ଦଳ ପକ୍ଷରୁ ଆଜି ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ରାଲି ବାହାରି ରିଜର୍ଭ ବ୍ୟାଙ୍କ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ସିପିଆଇ, ସିପିଏମ୍‌ ସହ ୫ଟି ବାମ ଦଳ ସାମିଲ ହୋଇଥିଲେ। ପୁରୀରେ ସିଟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କର୍ମୀମାନେ ସ୍ୱର୍ଗଦ୍ୱାର ରାସ୍ତାରେ ରାଲି କରିବା ସହ ବେଳାଭୂମି ରାସ୍ତାର ଉଭୟ ପାର୍ଶ୍ୱରେ ଛିଡା ହୋଇ ବିକ୍ଷୋଭ କରିଥିଲେ।

ସେହିପରି ପୁରୀ, ବଲାଙ୍ଗିର, ନୟାଗଡ଼, ଯାଜପୁର, ଢେଙ୍କାନାଳର କାମାକ୍ଷାନଗର ଓ ରାୟଗଡ଼ାର ଗୁଣପୁରରେ କଂଗ୍ରେସ ଓ ବାମ ଦଳ ଗୁଡିକ ପକ୍ଷରୁ ବିକ୍ଷୋଭ ଓ ରାଲି କରାଯାଇଛି।

ରାୟଗଡ଼ାରେ କଂଗ୍ରେସ କର୍ମୀମାନେ ଷ୍ଟେଟ୍‌ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟରେ ପ୍ରବେଶ କରି ବ୍ୟାଙ୍କ ବନ୍ଦ କରିବାକୁ ଦାବି କରିଥିଲେ। ଏହାସହ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ। ପୋଲିସ ହସ୍ତକ୍ଷେପ କରିବା କଂଗ୍ରେସ କର୍ମୀମାନେ ବ୍ୟାଙ୍କରୁ ବାହାରି ଆସିଥିଲେ।

Related story