ମୁମ୍ବାଇ(ଓଡ଼ିଶା ରିପୋର୍ଟର): ରେଳ ଷ୍ଟେସନ୍ରେ ନାଚୁଥିଲେ ଶ୍ୟାମ। ଆଉ ଶ୍ୟାମଙ୍କ ଏହି ନୃତ୍ୟକୁ ଚଳନ୍ତା ଟ୍ରେନ ଭିତରୁ ମୋବାଇଲ୍ରେ କଏଦ କରୁଥିଲେ ତାଙ୍କର ଦୁଇ ବନ୍ଧୁ ନିଶାନ୍ତ ଆଉ ଧ୍ରୁବ। ହେଲେ ସବୁ କିଛି ବିଗିଡ଼ିଗଲା। ନିଜ କାରନାମା ପାଇଁ ୩ ବନ୍ଧୁଙ୍କୁ ବାନ୍ଧିନେଲା ପୁଲିସ୍ । ଆଉ ୩ ଜଣଙ୍କୁ କୋର୍ଟରେ ହାଜର କରିବା ପରେ ଯାହା ଦଣ୍ଡ ମିଳିଲା, ସେ କଥା ଶୁଣି ୩ ଜଣ ଯାକ ବନ୍ଧୁ କାନ୍ଦି ପକାଇଲେ।
କୋର୍ଟ କହିଲେ, କିକି ଚ୍ୟାଲେଞ୍ଜ ପାଇଁ ବିପଦପୂର୍ଣ୍ଣ ଭାବେ ରେଳ ଷ୍ଟେସନ ପରିସରରେ ନାଚିଥିବାରୁ ସେମାନେ ଅପରାଧି। ଆଉ ଏହି କାରଣରୁ ତାଙ୍କୁ ୩ ଦିନ ଯାଏ ରେଳଷ୍ଟେସନ୍ ପରିସରରେ ସଫେଇ କରିବାକୁ ପଡ଼ିବ । ଏହା ହିଁ ସେମାନଙ୍କ ପାଇଁ ଦଣ୍ଡ ।
ଏହି ଘଟଣାଟି ଘଟିଛି ମୁମ୍ବାଇରେ। ବିହାରର ୩ ଜଣ ବନ୍ଧୁ ଏହି ଚ୍ୟାଲେଞ୍ଜ ଆକ୍ସେପ୍ଟ କରିବାକୁ ମୁମ୍ବଇର ଏକ ଜନଗହଳିପୂର୍ଣ୍ଣ ଷ୍ଟେସନରେ ଷ୍ଟଣ୍ଟ୍ ଦେଖାଉଥିଲେ। ଶ୍ୟାମ ଶର୍ମା(୨୪) ବାହାରେ ନାଚୁଥିବା ବେଳେ ଚଳନ୍ତା ଟ୍ରେନ୍ ଭିତରେ ଥାଇ ତାଙ୍କ ଦୁଇ ସାଙ୍ଗ ନିଶାନ୍ତ ଶାହା(୨୦) ଓ ଧ୍ରୁବ ଶାହା(୨୩) ଏହାର ରେକର୍ଡିଂ କରୁଥିଲେ। ଏହି ଭିଡିଓକୁ ସେମାନେ ଇଣ୍ଟର୍ନେଟ୍ରେ ଅପ୍ଲୋଡ କରିବା ପରେ ୟୁଟ୍ୟୁବ୍ରେ ଏହାର ପାଖାପାଖି ୪ ମିଲିୟନ୍ ଭିୟୁ ହୋଇଥିଲା।
ତେବେ ଭିଡିଓକୁ ଦେଖିବା ପରେ ମୁମ୍ବାଇ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ଧରାପଡ଼ି ଷ୍ଟେସନ୍ ସଫେଇ କରିବାର ଦଣ୍ଡ ପାଇଥିବା ଏହି ୩ ଜଣଙ୍କ ମଧ୍ୟରେ ଜଣେ ଯୁବକ ଏକ ଘରୋଇ ଟେଲିଭିଜନ୍ ଧାରାବାହିକର ଅଭିନେତା ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।