ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବ୍ୟକ୍ତିଗତ ଗୋପନୀୟତା, ପ୍ରତି ନାଗରିକର ମୌଳିକ ଅଧିକାର। ଏହା ବ୍ୟକ୍ତିଗତ ସ୍ୱାଧୀନତା ଓ ବଞ୍ଚିବାର ଅଧିକାରକୁ ସୁନିଶ୍ଚିତ କରୁଛି। ଆଜି ଏହି ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ୯ ଜଣିଆ ବେଞ୍ଚର ବିଚାରପତିମାନେ ବ୍ୟକ୍ତିଗତ ଗୋପନୀୟତାର ଭିନ୍ନ ଭିନ୍ନ ସଂଜ୍ଞା କରିଥିଲେ ମଧ୍ୟ ଗୋଟିଏ ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ସେପଟେ କୋର୍ଟଙ୍କ ଏହି ରାୟ, ବିଭିନ୍ନ ସ୍କିମ୍ ଲାଗି ‘ଆଧାର କାର୍ଡ’କୁ ବାଧ୍ୟତାମୂଳକ କରାଯିବା ନେଇ କେନ୍ଦ୍ରର ଯୋଜନାରେ ପ୍ରତିବନ୍ଧକ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।
ସମ୍ବିଧାନ ଅନୁଯାୟୀ, ବ୍ୟକ୍ତିଗତ ଗୋପନୀୟତା ଏକ ମୌଳିକ ଅଧିକାର। ଆଜି ଏହି ବ୍ୟାଖ୍ୟା କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକ କୋର୍ଟ କହିଛନ୍ତି, ବ୍ୟକ୍ତିଗତ ସ୍ୱାଧୀନତା ସୁନିଶ୍ଚିତ କରିବା ଲାଗି ଉଦ୍ଦିଷ୍ଟ ସମ୍ବିଧାନର ୨୧ ଧାରା ଅନୁସାରେ ଏହା ସୁରକ୍ଷିତ।
ବ୍ୟକ୍ତିଗତ ଗୋପନୀୟତା ପୂର୍ଣ୍ଣ ରୂପରେ ମୌଳିକ ଅଧିକାର ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି ଦର୍ଶା ଯାଇଥିଲା। କୁହାଯାଇଥିଲା, ସବୁବେଳେ ଭାରତୀୟ ସମ୍ବିଧାନ, ବ୍ୟକ୍ତିକୁ ଏହି ଅଧିକାର ସୁନିଶ୍ଚିତ କରିନାହିଁ। ତେବେ କୋର୍ଟଙ୍କ ୯ ଜଣିଆ ବେଞ୍ଚ ଏହି ଯୁକ୍ତିକୁ ଗ୍ରହଣ କରିନାହାଁନ୍ତି। ବିଭିନ୍ନ ସରକାରୀ ସ୍କିମ୍ରେ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯିବା ସଂପର୍କିତ ଏକାଧିକ ପିଟିସନ୍ର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଐତିହାସିକ ରାୟ ଦେଇଛନ୍ତି।
କୋର୍ଟଙ୍କ ରାୟ ଆସିବା ପରେ ‘ଆଧାର’ର ଭବିଷ୍ୟତ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି ସମସ୍ତ ଆର୍ଥିକ କାରବାର କ୍ଷେତ୍ରରେ ଆଧାରକୁ ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି। ତେବେ ଏହା ବ୍ୟକ୍ତିଗତ ଗୋପନୀୟତାକୁ ବି ଉଲ୍ଲଙ୍ଘନ କରୁଛି। କାରଣ ସମସ୍ତ ଆର୍ଥିକ କାରବାରରେ ଆଧାର ନମ୍ବର ବ୍ୟବହାର ହେଲେ ଜଣଙ୍କର କେତେ ସଂପତ୍ତି ଅଛି, ସେ କେତେ ଆୟ କରୁଛନ୍ତି, କେତେ ଆୟକର ଦେଉଛନ୍ତି, କେତେ ଅର୍ଥ ଖର୍ଚ୍ଚ କରୁଛନ୍ତି ଓ କେଉଁଠି ଖର୍ଚ୍ଚ କରୁଛନ୍ତି ସରକାର ସବୁ ଜାଣି ପାରିବେ। ସେହିପରି ଏହି ବ୍ୟବସ୍ଥା କେତେ ସୁରକ୍ଷିତ ତାକୁ ନେଇ ମଧ୍ୟ ଲୋକଙ୍କ ମନରେ ଶଙ୍କା ରହିଛି। ନିକଟରେ କିଛି ବ୍ୟକ୍ତିଙ୍କ ଆଧାର ତଥ୍ୟ ଲିକ୍ ହୋଇଥିଲା। ଏହା ବ୍ୟକ୍ତିଗତ ଗୋପନୀୟତା ପ୍ରତି ସବୁଠୁ ବଡ଼ ଚ୍ୟାଲେଞ୍ଜ ବୋଲି ଆଶଙ୍କା କରାଯାଉଛି।
ବ୍ୟକ୍ତିଗତ ଗୋପନୀୟତାର ବାଖ୍ୟା କରିଥିଲେ ମଧ୍ୟ କୋର୍ଟ ଆଧାରକୁ ବାଧ୍ୟତାମୂଳକ କରାଯିବା ନେଇ ସରକାରଙ୍କ ଯୋଜନା ଉପରେ କୌଣସି ଟିପ୍ପଣୀ ଦେଇନାହାଁନ୍ତି। ସୁପ୍ରିମକୋର୍ଟଙ୍କ ଅନ୍ୟଏକ ବେଞ୍ଚ ଏହା ଉପରେ ବିଚାର କରିବ। ଅନ୍ୟପକ୍ଷରେ ଆଧାର ନମ୍ବର ଆଇଡେଣ୍ଟିଫିକେସନ୍ ଓ ଅଥେଣ୍ଟିକେସନ ପାଇଁ ଉଦ୍ଦିଷ୍ଟ ଏବଂ ଏଥିରେ ଥିବା ତଥ୍ୟ ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଙ୍ଘନ କରୁନାହିଁ ବୋଲି ସରକାର ଯୁକ୍ତି କରିପାରନ୍ତି।
ବ୍ୟକ୍ତିଗତ ଗୋପନୀୟତା ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ଡାଟା ପ୍ରାଇଭେସି ଓ ପ୍ରୋଟେକସନ୍ ନେଇ ବୈଜୟନ୍ତ ପୂର୍ବରୁ ସଂସଦରେ ‘ପ୍ରାଇଭେଟ୍ ମେମ୍ବର ବିଲ୍’ ଆଣିଥିଲେ। କୋର୍ଟଙ୍କ ରାୟ ଆସିବା ପରେ ସାଂସଦ ପଣ୍ଡା କହିଛନ୍ତି ଯେ, ଗୋପନୀୟତା ଆବଶ୍ୟକ। ତେବେ ଏହା ପୂର୍ଣ୍ଣମାତ୍ରାରେ ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ ବିଚାରପତିମାନେ ମଧ୍ୟ ସ୍ପଷ୍ଟ କରିଛନ୍ତି। ଗୋପନୀୟତା ଯଦି ପୂର୍ଣ୍ଣ ମୌଳିକ ଅଧିକାର ହୁଏ, ତେବେ ଆମେ କେଉଁଠି ବି ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରିପାରିବା ନାହିଁ। ଏହାଦ୍ୱାରା ଏକବିଂଶ ଶତାବ୍ଦୀରେ ବଞ୍ଚିବା ସମ୍ଭବ ହେବନାହିଁ ବୋଲି ସେ ମତ ଦେଇଛନ୍ତି। ବ୍ୟକ୍ତିଗତ ଗୋପନୀୟତା ଦରକାର, ତା ସହିତ ଆଧାରର ବି ଆବଶ୍ୟକତା ଅଛି। ତେଣୁ ଡାଟା ସୁରକ୍ଷା ଲାଗି ସତର୍କତା ଅବଲମ୍ବନ କରାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସୋସିଆଲ ମିଡିଆ ଓ ବିଭିନ୍ନ ପ୍ରକାର ମୋବାଇଲ ଆପ୍ରେ ଅନ୍ଲାଇନ ଟ୍ରାଞ୍ଜାକ୍ସନ୍, କ୍ରେଡିଟ୍ କାର୍ଡ ଆଦି କ୍ଷେତ୍ରରେ ମଧ୍ୟ ବ୍ୟକ୍ତିଗତ ତଥ୍ୟ ଦିଆଯାଉଛି। ତା’ର ସୁରକ୍ଷା ମଧ୍ୟ ଜରୁରୀ ବୋଲି ସାଂସଦ ପଣ୍ଡା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।