ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍। ଜନତା ମଇଦାନରେ ଏହି ତିନିଦିନିଆ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଉଦ୍‌ଘାଟନ କରିଛନ୍ତି। ସେ କହିଛନ୍ତି,“ରାଜ୍ୟ ସରକାରଙ୍କ ନିମନ୍ତ୍ରଣ ରକ୍ଷା କରି ବିଭିନ୍ନ ଶିଳ୍ପ ପ୍ରତିନିଧିମାନେ କନ୍‌କ୍ଲେଭରେ ଯୋଗଦେଇଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଆଶା କରୁଛି ରାଜ୍ୟ ସରକାରଙ୍କ ଶିଳ୍ପାୟନ ନୀତି ସେମାନଙ୍କୁ ଭଲ ଲାଗିବ ଏବଂ ସେମାନେ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ।” ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ […]

make-in-odisha-jpg

Rakesh Mallick
  • Published: Wednesday, 30 November 2016
  • , Updated: 30 November 2016, 10:40 PM IST

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍। ଜନତା ମଇଦାନରେ ଏହି ତିନିଦିନିଆ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଉଦ୍‌ଘାଟନ କରିଛନ୍ତି। ସେ କହିଛନ୍ତି,“ରାଜ୍ୟ ସରକାରଙ୍କ ନିମନ୍ତ୍ରଣ ରକ୍ଷା କରି ବିଭିନ୍ନ ଶିଳ୍ପ ପ୍ରତିନିଧିମାନେ କନ୍‌କ୍ଲେଭରେ ଯୋଗଦେଇଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଆଶା କରୁଛି ରାଜ୍ୟ ସରକାରଙ୍କ ଶିଳ୍ପାୟନ ନୀତି ସେମାନଙ୍କୁ ଭଲ ଲାଗିବ ଏବଂ ସେମାନେ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ।”

ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି,“ଡିସେମ୍ୱର ୧ ଓ ୨ ତାରିଖରେ ରାଜ୍ୟ ସରକାର ଶିଳ୍ପ ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ। ଯେଉଁମାନେ ଆଗ୍ରହ ପ୍ରକାଶ କରିଛନ୍ତି ସେମାନଙ୍କ ସହିତ ଆଉଥରେ ଆଲୋଚନା କରାଯିବ।”

ନୂଆଦିଲ୍ଲୀର ତାଇୱାନ ରାଷ୍ଟ୍ରଦୂତ ଚୁଙ୍ଗ୍‌ କ୍ୱାଙ୍ଗ ୟେନ୍‌ କହିଛନ୍ତି,“ରାଜ୍ୟ ସରକାରଙ୍କର ମେକ୍ ଇନ୍‌ ଓଡ଼ିଶା କନ୍‌କ୍ଲେଭ ବହୁତ ବଡ଼ ପଦକ୍ଷେପ। ଓଡ଼ଶା ଏକ ସୁନ୍ଦର ରାଜ୍ୟ, ଏଠାରେ ବହୁ ପ୍ରାକୃତିକ ସମ୍ପଦ ଭରି ରହିଛି। ମୁଁ ଭାବୁଛି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ନିଶ୍ଚିତ ପୂରଣ ହେବ। ଆଇଟି କ୍ଷେତ୍ରରେ ତାଇୱାନର ନାଁ ରହିଥିବା ବେଳେ ଭାରତୀୟମାନେ ସ୍ମାର୍ଟ। ଯଦି ଦୁଇ ରାଷ୍ଟ୍ର ମିଶି ଗଲେ ପ୍ରଗତି ନିଶ୍ଚିତ ହେବ।”

ଓଡ଼ିଶା ସ୍କିଲ ଡେଭଲପ୍‌ମେଣ୍ଟର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି କହିଛନ୍ତି,“ଆମକୁ ପୃଥିବୀକୁ ଓଡ଼ିଶାକୁ ଆଣିବା ପାଇଁ ପଡିବ। ଓଡ଼ିଶାର ଯୁବକ ଓ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ। ଏହି କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇଛି। ଏହାକୁ ପର୍ଯ୍ୟାୟକ୍ରମେ କରିବାକୁ ପଡ଼ିବ।”

ରାଜ୍ୟରେ ପୁଞ୍ଜି ନିବେଶ ନେଇ ନିବେଶକଙ୍କୁ ଆକୃଷ୍ଟ କରିବା ସହ ଶିଳ୍ପାୟନ କ୍ଷେତ୍ରରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ହେଉଛି ମେକ୍‌ ଇନ୍ ଓଡ଼ିଶାର ଲକ୍ଷ୍ୟ। ଏଥିରୁ ପ୍ରାୟ ୧ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ପାଇଁ ସୁଯୋଗ ସୃଷ୍ଟି ହେବାର ଆଶା ରଖିଛନ୍ତି ସରକାର।

ଆସନ୍ତାକାଲି ଏହି କନ୍‌କ୍ଲେଭରେ ଯୋଗ ଦେବେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ ଏସ୍‌ବିଆଇ ଅଧ୍ୟକ୍ଷ ଅରୁନ୍ଧତି ଭଟ୍ଟାଚାର୍ଯ୍ୟ।

ମେକ୍ ଇନ୍ ଓଡ଼ିଶାର ଫୋକସ୍‌ରେ ରହିଛି ମିନେରାଲ୍‌ ଓ ମେଟାଲ୍ ସେକ୍ଟର। ନନ୍-ମିନେରାଲ୍ ସେକ୍ଟରକୁ ମଧ୍ୟ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ତା’ଛଡ଼ା ଆଇଟି, ଇଲେକ୍‌ଟ୍ରୋନିକ୍ସ, କେମିକାଲ, ପେଟ୍ରୋକେମିକାଲ୍, ବାୟୋଟେକ୍ନୋଲୋଜି, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ୍, ଏମ୍‌ଏସ୍‌ଏମ୍‌ଇ, ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରକୁ ବି ଗୁରୁତ୍ୱ ଦେଉଛନ୍ତି ସରକାର।

ସମ୍ମିଳନୀରେ ପ୍ରାୟ ଏକ ହଜାର କଂପାନୀ ଅଂଶଗ୍ରହଣ କରିବେ। ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ, ଆଦିତ୍ୟ ବିର୍ଲା ଗ୍ରୁପ୍ ଚେୟାରମ୍ୟାନ୍ କୁମାର ମଙ୍ଗଳମ ବିର୍ଲା, ଏସ୍‌ବିଆଇ ଅଧ୍ୟକ୍ଷା ଅରୁନ୍ଧତି ଭଟ୍ଟାଚାର୍ଯ୍ୟ, ଜେଏସ୍‌ଡବ୍ଲ୍ୟୁ ଚେୟାରମ୍ୟାନ୍ ସଜ୍ଜନ ଜିନ୍ଦଲ, ଆଦାନୀ କଂପାନୀ ମୁଖ୍ୟ ଗୌତମ ଆଦାନୀଙ୍କ ସମେତ ଟାଟା ଷ୍ଟିଲ୍‌, ଇସ୍ରୋ, ହାଲ୍, ଇମ୍ଫା, ଆଇଓସିଏଲ୍‌ର କର୍ତ୍ତୃପକ୍ଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

କଡ଼ା ସୁରକ୍ଷା ବ୍ୟବସ୍ଥା

ମେକ୍ ଇନ୍‌ ଓଡ଼ିଶା ସମ୍ମିଳନୀ ପାଇଁ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରରେ ୩୮ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଅତିଥିଙ୍କ ରହଣୀସ୍ଥଳ, କନ୍‌କ୍ଲେଭ୍ ପ୍ଲେସ୍‌ ଓ ଟ୍ରାଫିକ୍ ଦାୟିତ୍ୱରେ ଏମାନଙ୍କୁ ମୁତୟନ କରାଯାଇଛି। ବିଭିନ୍ନ ସ୍ଥାନରେ ୧୨୦ଟି ସିସିଟିଭି କ୍ୟାମେରା ଲଗାଯାଇଛି। ସୁରକ୍ଷା ବ୍ୟବସ୍ଥାରେ ଜଣେ ଡିସିପିଙ୍କ ସହ ୬ ଅତିରିକ୍ତ ଡିସିପି ଓ ୪୦ ଅଫିସରଙ୍କୁ ନିୟୋଜିତ କରାଯାଇଛି।

Related story