ବେଆଇନ ରିଅଲ୍‌ ଇଷ୍ଟେଟ୍‌ କାରବାର ଉପରେ ରୋକ୍‌ ଲଗାଇବାକୁ ଆଇନ୍‌

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଓଡ଼ିଶା ରିଅଲ୍‌ ଇଷ୍ଟେଟ୍‌ ନିୟନ୍ତ୍ରଣ ଓ ବିକାଶ ନିୟମାବଳୀ। କେନ୍ଦ୍ରୀୟ ଆଇନ ଅନୁସାରେ ରାଜ୍ୟ ସରକାର ଏହାକୁ ପ୍ରସ୍ତୁତ କରାଯାଇଛି। ଗତକାଲି ରାଜ୍ୟ କ୍ୟାବିନେଟ୍‌ରେ ଏହାକୁ ଅନୁମୋଦନ ମିଳିଥିଲା। ଏନେଇ ଆଜି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ସୂଚନା ଦେଇଛନ୍ତି। ଏହାଦ୍ୱାରା ବେଆଇନ ରିଅଲ ଇଷ୍ଟେଟ୍‌ କାରବାର ଉପରେ ରୋକ୍‌ ଲଗାଯାଇପାରିବ। ନିୟମାବଳୀ ଅନୁସାରେ ରାଜ୍ୟ ସରକାର ରିଅଲ ଇଷ୍ଟେଟ୍‌ ପ୍ରାଧୀକରଣ ଗଠନ କରିବେ। ଡେଭଲପର୍ସ ଓ […]

real estate and construction india

Rakesh Mallick
  • Published: Thursday, 23 February 2017
  • , Updated: 24 February 2017, 01:32 PM IST

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଓଡ଼ିଶା ରିଅଲ୍‌ ଇଷ୍ଟେଟ୍‌ ନିୟନ୍ତ୍ରଣ ଓ ବିକାଶ ନିୟମାବଳୀ। କେନ୍ଦ୍ରୀୟ ଆଇନ ଅନୁସାରେ ରାଜ୍ୟ ସରକାର ଏହାକୁ ପ୍ରସ୍ତୁତ କରାଯାଇଛି। ଗତକାଲି ରାଜ୍ୟ କ୍ୟାବିନେଟ୍‌ରେ ଏହାକୁ ଅନୁମୋଦନ ମିଳିଥିଲା। ଏନେଇ ଆଜି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ସୂଚନା ଦେଇଛନ୍ତି। ଏହାଦ୍ୱାରା ବେଆଇନ ରିଅଲ ଇଷ୍ଟେଟ୍‌ କାରବାର ଉପରେ ରୋକ୍‌ ଲଗାଯାଇପାରିବ।

ନିୟମାବଳୀ ଅନୁସାରେ ରାଜ୍ୟ ସରକାର ରିଅଲ ଇଷ୍ଟେଟ୍‌ ପ୍ରାଧୀକରଣ ଗଠନ କରିବେ। ଡେଭଲପର୍ସ ଓ ବିଲଡର୍ସ ନିଜର ସମସ୍ତ ପ୍ରକଳ୍ପ ପାଇଁ ପଞ୍ଜିକରଣ ଏହି ପ୍ରାଧୀକରଣ ନିକଟରେ କରିବେ। ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯାଇଛି। ପଞ୍ଜିକରଣ ସମୟରେ ସଠିକ ପରିଚୟ ଓ ଠିକଣା ସହ ପ୍ରକଳ୍ପ ନିର୍ମାଣର ୫ ବର୍ଷର ବିସ୍ତୃତ ତଥ୍ୟ ଦେବାକୁ ପଡିବ। ଏହି ତଥ୍ୟ ପରବର୍ତ୍ତୀ ସମୟରେ ୱେବସାଇଟ୍‌ରେ ଉପଲବ୍ଧ ହେବ।

ଏବେ ବିନା ରେଜିଷ୍ଟ୍ରେସନରେ ବିଲଡରମାନେ  ଜମି, ଘର ଓ ଫ୍ଲାଟ୍‌ ବିକ୍ରୀ କରି ପାରିବେନାହିଁ। କେହି ଏପରି ବେଆଇନ କାମ କଲେ ଜେଲଦଣ୍ଡ ସହ ଜରିମାନା ଦେବାକୁ ପଡିବ। ନିୟମ ଖିଲାପ କଲେ କିମ୍ବା ଠକିଲେ ଡେଭଲପର୍ସଙ୍କୁ ପ୍ରକଳ୍ପ ବ୍ୟୟ ବରାଦରେ ୧୦ ପ୍ରତିଶତ ଜରିମାନା ସହ ୩ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ଏଭଳି ବ୍ୟବସାୟରେ ସମ୍ପୃକ୍ତ ଦଲାଲଙ୍କ ବିରୋଧରେ ଅଭିଯୋଗ ଆସିଲେ ୫ ପ୍ରତିଶତ ଜରିମାନା ଓ ୩ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ। ଏହାସହ ଡେଭଲପର୍ସ ଜମି କିମ୍ବା ଘର ପାଇଁ ଏଗ୍ରିମେଣ୍ଟ କରିବା ପୂର୍ବରୁ ଗ୍ରାହକଙ୍କଠାରୁ ପ୍ରକଳ୍ପ ମୂଲ୍ୟର ୧୦ ପ୍ରତିଶତରୁ ଅଧିକ ଅର୍ଥ ନେଇପାରିବେ ନାହିଁ।

ମନ୍ତ୍ରୀ ସିଂହଦେଓ କହିଛନ୍ତି,“ସ୍ୱଚ୍ଛ ଓ ଦକ୍ଷତା ସମ୍ପର୍ଣ୍ଣ ଆଇନ ଅଣାଯାଇଛି। ଲୋକେ ଠକାମୀର ଶିକାର ହେଉଥିବା ଓ ହଇରାଣ ହେଉଥିବା ଅଭିଯୋଗ ହେଉଛି। ଏପରି ଠକାମୀ ବନ୍ଦ କରିବାକୁ ଏହି ଆଇନ ଅଣାଯାଇଛି।”

ନିୟମ ଅନୁସାରେ ପ୍ରାଧୀକରଣରେ ଜଣେ ଅଧ୍ୟକ୍ଷ ଓ ୩ ଜଣ ସଦସ୍ୟ ରହିବେ। ଅଧ୍ୟକ୍ଷ ପଦରେ ହାଇକୋର୍ଟର ମୁଖ୍ୟ ବିଚାରପତି କିମ୍ବା ତାଙ୍କ ମନୋନୀତ ସଦସ୍ୟ ରହିବେ। ଏହି ସଦସ୍ୟଙ୍କ ବିରୋଧରେ କେବେ ଅଭିଯୋଗ ଆସିଲେ ତା’ର ବିଚାର ପାଇଁ ରିଅଲ ଇଷ୍ଟେଟ୍‌ ଆପିଲେଟ୍‌ ଟ୍ରିବ୍ୟୁନାଲ ଗଠନ କରାଯିବାର ବ୍ୟବସ୍ଥା ରହିଛି ବୋଲି ନଗର ଉନ୍ନୟନ ସଚିବ ଜି. ମାଥିଭଥନନ୍‌ କହିଛନ୍ତି।

ଏନେଇ ରିଅଲ୍‌ ଇଷ୍ଟେଟ୍‌ ବ୍ୟବସାୟ ସହ ସମ୍ପୃକ୍ତ ସଂସ୍ଥା ଓ ବ୍ୟକ୍ତିଙ୍କ ମତାମତ ନିଆଯାଇ ନ ଥିବାରୁ ରେଡା ପକ୍ଷରୁ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି। ରେଡା ସଭାପତି କାନ୍ତିଲାଲ ପଟେଲ କହିଛନ୍ତି,“ଏହା ନିଶ୍ଚିତ ଭାବେ ଆମକୁ ଆଶ୍ଚର୍ଯ୍ୟ କରିବା ପରି ଘଟଣା। କାହାରିଙ୍କ ସହ ଆଲୋଚନା ନ କରି, କାହାରିଙ୍କ ମତ ନ ନେଇ ଆଇନ ନେଇ ଆସିଲେ।”

Related story