ଏସାର ହାତେଇଲା ଘେରାବୁରାହାଣୀ ଲୁହାପଥର ଖଣି

ଭୁବନେଶ୍ୱର: ସଂଶୋଧିତ ଏମ୍‌ଏମ୍‌ଡିଆର୍‌ ଆକ୍ଟ ଅନୁଯାୟୀ ରାଜ୍ୟରେ ହୋଇଥିବା ପ୍ରଥମ ଖଣି ନିଲାମୀରେ ବାଜି ମାରିଛି ଏସାର ଷ୍ଟିଲ୍। ଜେଏସ୍‌ପିଏଲ୍‌, ଭୂଷଣ, ଟାଟା ଓ ଆରଆଇଏନ୍‌ଏଲ୍ ଭଳି ୭ଟି କଂପାନୀକୁ  ପଛରେ ପକାଇ ସୁନ୍ଦରଗଡ଼ ଜିଲ୍ଲା ଘେରାବୁରାହାଣୀ ଲୁହା ପଥର ଖଣିକୁ ହାତେଇଛି ଏସାର୍ ଷ୍ଟିଲ୍। ଶୁକ୍ରବାର ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି,“ଘେରାବୁରାହାଣୀ ଲୁହାପଥର ଖଣି ପାଇଁ ବୈଷୟିକ ଯାଞ୍ଚରେ ୭ଟି କଂପାନୀ ଭାଗ ନେଇଥିଲେ। ଫାଇନାନ୍‌ସିଆଲ୍ ବିଡ୍‌ରେ ଏସାର […]

mines

Rakesh Mallick
  • Published: Friday, 04 March 2016
  • , Updated: 04 March 2016, 05:07 PM IST

ଭୁବନେଶ୍ୱର: ସଂଶୋଧିତ ଏମ୍‌ଏମ୍‌ଡିଆର୍‌ ଆକ୍ଟ ଅନୁଯାୟୀ ରାଜ୍ୟରେ ହୋଇଥିବା ପ୍ରଥମ ଖଣି ନିଲାମୀରେ ବାଜି ମାରିଛି ଏସାର ଷ୍ଟିଲ୍। ଜେଏସ୍‌ପିଏଲ୍‌, ଭୂଷଣ, ଟାଟା ଓ ଆରଆଇଏନ୍‌ଏଲ୍ ଭଳି ୭ଟି କଂପାନୀକୁ  ପଛରେ ପକାଇ ସୁନ୍ଦରଗଡ଼ ଜିଲ୍ଲା ଘେରାବୁରାହାଣୀ ଲୁହା ପଥର ଖଣିକୁ ହାତେଇଛି ଏସାର୍ ଷ୍ଟିଲ୍। ଶୁକ୍ରବାର ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି।

ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି,“ଘେରାବୁରାହାଣୀ ଲୁହାପଥର ଖଣି ପାଇଁ ବୈଷୟିକ ଯାଞ୍ଚରେ ୭ଟି କଂପାନୀ ଭାଗ ନେଇଥିଲେ। ଫାଇନାନ୍‌ସିଆଲ୍ ବିଡ୍‌ରେ ଏସାର ଷ୍ଟିଲ୍ ସର୍ବାଧିକ ନିଲାମୀ ଡାକିଥିଲା। ତେଣୁ ଏସାର ଷ୍ଟିଲ୍‌କୁ ଘେରାବୁରାହାଣୀ ଖଣି ଦିଆଯାଇଛି।”

ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି କହିଛନ୍ତି,“ଗତ ବର୍ଷ ଡିସେମ୍ବର ୨୩ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଘେରାବୁରାହାଣୀ ଲୁହା ପଥର ଖଣିର ଇ-ନିଲାମୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏଥିରେ ୭ଟି କଂପାନୀ ଭାଗ ନେଇଥିଲେ। ବୈଷୟିକ ଯାଞ୍ଚରେ ସମସ୍ତ ୭ଟି ଯାକ କଂପାନୀ ଯୋଗ୍ୟତା ଅର୍ଜନ କରି ଥିଲେ। ଏହା ପରେ ମାର୍ଚ୍ଚ ୨ ତାରିଖରେ ଇ-ନିଲାମୀ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବୈଷୟିକ ଯାଞ୍ଚରେ ଯୋଗ୍ୟତା ଅର୍ଜନ କରିଥିବା କଂପାନୀଗୁଡ଼ିକ ମଧ୍ୟରୁ ୫ଟିକୁ ଭାଗ ନେବାକୁ ଅନୁମତି ଦିଆଯାଇଥିଲା। ୧୧ ଘଣ୍ଟାର ନିଲାମ ପ୍ରକ୍ରିୟାରେ ଏସାର ଷ୍ଟିଲ୍ ଇଣ୍ଡିଆ ଲିମିଟେଡ୍ ସର୍ବାଧିକ ୪୪.୩୫% ନିଲାମୀ ଡାକିଥିଲା। ଏଣୁ ସରକାର ଏସାର ଷ୍ଟିଲ୍ ଇଣ୍ଡିଆକୁ ଘେରାବୁରାହାଣୀ ଲୁହା ପଥର ଖଣିର ଲିଜ୍‌ଧାରୀ ଭାବେ ଘୋଷଣା କରିଛନ୍ତି।”

ଘେରାବୁରାହାଣୀ ଖଣି ପାଇଁ ରାଜ୍ୟ ସରକାର ୫ ପ୍ରତିଶତ ରିଜର୍ଭ ପ୍ରାଇସ୍ ସ୍ଥିର କରିଥିଲେ। ଅର୍ଥାତ୍ ପ୍ରତିମାସରେ ଉତ୍ତୋଳନ ହେଉଥିବା ଖଣିଜ ପଦାର୍ଥର ବଜାର ଦରର ଅନ୍ତତଃ ୫ ପ୍ରତିଶତ ଅର୍ଥ ଲିଜ୍‌ଧାରୀ ରାଜ୍ୟ ସରକାରଙ୍କୁ ଦେବେ। ତେବେ ନିଲାମୀ ପ୍ରକ୍ରିୟା ପରେ ରିଜର୍ଭ ପ୍ରାଇସ୍ ୪୪.୩୫ ପ୍ରତିଶତରେ ପହଞ୍ଚି ଯାଇଛି। ଖଣି ନିର୍ଦ୍ଦେଶକ କହିଛନ୍ତି ଯେ ରୟାଲ୍‌ଟିକୁ ଛାଡ଼ି ଏସାର ଷ୍ଟିଲ୍ ଇଣ୍ଡିଆ ୪୪.୩୫ ପ୍ରତିଶତ ରିଜର୍ଭ ପ୍ରାଇସ୍ ଦେବ।

ଘେରାବୁରାହାଣୀ କ୍ୟାପ୍‌ଟିଭ୍ ମାଇନ୍ସରେ ୯୯.୫୪ ମିଲିୟନ୍ ଟନ୍ ଲୁହାପଥର ଗଚ୍ଛିତ ରହିଛି। ୧୩୯.୧୬ ହେକ୍ଟର ପରିମିତ ଅଞ୍ଚଳରେ ଏହି ଖଣି ରହିଥିବା ବେଳେ ଏଥିରେ ୨୦.୮୮ ହେକ୍ଟର ଜଙ୍ଗଲ ଜମି ରହିଛି। ତେବେ ନିଲାମୀରେ ଭାଗ ନେଇ ଏହି ଖଣି ପାଇବା ପରେ ଏବେ ଜଙ୍ଗଲ ଓ ପରିବେଶ ମଂଜୁରୀ ପାଇବା ଲିଜଧାରୀଙ୍କ ପାଇଁ ଚ୍ୟାଲେଞ୍ଜ ହେବ। ଲିଜଧାରୀ ୪୪.୩୫ ପ୍ରତିଶତ ରିଜର୍ଭ ପ୍ରାଇସ୍, ୧୫ ପ୍ରତିଶତ ରୟାଲ୍‌ଟି ଓ ରୟାଲ୍‌ଟିର ୫ ପ୍ରତିଶତ ଡିଷ୍ଟ୍ରିକ୍ଟ ମିନେରାଲ୍ ଫାଉଣ୍ଡେସନକୁ ଦେବେ। ଅର୍ଥାତ ଏସବୁକୁ ମିଶାଇ ଲିଜଧାରୀଙ୍କୁ ପ୍ରାୟ ୬୫ ପ୍ରତିଶତ ଅର୍ଥ ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିବ।

ମାର୍ଚ୍ଚ ସୁଦ୍ଧା ଅନ୍ୟ ୯ଟି ଖଣି ନିଲାମୀ ନେଇ ରାଜ୍ୟ ସରକାର ପୂର୍ବରୁ ଲକ୍ଷ୍ୟ ରଖିଥିଲେ। ତେବେ ୭ଟି ଖଣି ଜି-୩ ଲେବଲ୍‌ରୁ ଜି୨ ଲେବେଲ୍‌କୁ ଆସି ନ ଥିବାରୁ ନିଲାମୀ ପ୍ରକ୍ରିୟାରେ ବିଳମ୍ବ ହେବା ସମ୍ଭାବନା ରହିଛି।

Related story